କନକ ନ୍ୟୁଜ୍ : ଏକ ରେଷ୍ଟୁରାଣ୍ଟକୁ କିଛି ଯୁବକ ଡିନର୍ କରିବାକୁ ଯାଉଛନ୍ତି , ଶ୍ରାବଣ ମାସ ଥିବାରୁ କିଛି ଯୁବକ ଭେଜ୍ ବିରିୟାନି ଅର୍ଡର କରିଥିବା ବେଳେ ଆଉ କିଛି ଯୁବକ ଚିକେନ୍ ବିରିୟାନି ଅର୍ଡର କରି ଖାଇବା ଆରମ୍ଭ କରୁଛନ୍ତି । କିନ୍ତୁ ଭେଜ୍ ବିରିୟାନିରେ ହଠାତ୍ ଗୋଟିଏ ହାଡ଼ ବାହାରୁଛି ଆଉ ତା’ପରେ ରେଷ୍ଟୁରାଣ୍ଟରେ ପାଟିତୁଣ୍ଡ ଆରମ୍ଭ ହେଉଛି । ଘଟଣାଟି ହେଉଛି ଉତ୍ତରପ୍ରଦେଶ ଗୋରଖପୁରର । ଏଠାରେ ଜଣେ ଯୁବକଙ୍କ ନିରାମିଷ ଖାଦ୍ୟରୁ ହାଡ଼ ମିଳିଥିବାକୁ ନେଇ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । କିନ୍ତୁ ସିସିଟିଭି ଫୁଟେଜ୍ ଜମାନାରେ ଆଉ କିଛି ଲୁଚାଇବା ଭଳି ଘଟଣା ହୋଇନାହିଁ । ସିସିଟିଭି ଯାଞ୍ଚ୍ କରିବାରୁ ଜଣାପଡ଼ିଛି ଯେ ଯୁବକ ଜଣକ ନିଜେ ଖାଦ୍ୟରେ ହାଡ଼ ମିଶାଉଛନ୍ତି । ଆଉ ଏପରି କରିବାର କାରଣ ହେଉଛି ଅଧିକ ବିଲ୍ । ମୋଟ ବିଲ୍ ୪୦୦୦ ଟଙ୍କା ଆସିଥିବାରୁ ଯୁବକ ଏଭଳି କାଣ୍ଡ ଭିଆଇଛନ୍ତି । 

Advertisment
Haddi
Haddi Photograph: (google)

ଗୋରଖପୁରର କ୍ୟାଣ୍ଟ ଥାନା ଅଞ୍ଚଳର ଶାସ୍ତ୍ରୀ ଚୌକରେ ଥିବା ‘ବିରିୟାନି ବେ’ ରେଷ୍ଟୁରାଣ୍ଟରେ ଘଟିଛି ଏଭଳି ଘଟଣା । ଜୁଲାଇ ୩୧ ତାରିଖ ରାତି ୯ଟାରେ ୮ରୁ ୧୦ ଜଣ ଯୁବକ ବିରିୟାନି ଖାଇବାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ କିଛି ନନ୍‌ଭେଜ୍ ଏବଂ ଅନ୍ୟମାନେ ଭେଜ୍ ବିରିୟାନି ଅର୍ଡର କରିଥିଲେ । ଖାଇବାର କିଛି ସମୟ ପରେ ଜଣେ ଯୁବକ ଭେଜ୍ ବିରିୟାନିରେ ହାଡ଼ ମିଳିଥିବା ଅଭିଯୋଗ କରିଥିଲେ । ଯୁବକ ଶ୍ରାବଣ ମାସରେ ଭେଜ୍ ବିରିୟାନିରେ ହାଡ଼ ବାହାରିଥିବା ଅଭିଯୋଗ କରି ହଙ୍ଗାମା ଆରମ୍ଭ କରିଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମାମଲାକୁ ଶାନ୍ତ କରିଥିଲା । ଏହି ସମୟରେ ରେଷ୍ଟୁରାଣ୍ଟ ମାଲିକ କହିଥିଲେ ଯେ ଯୁବକ ୪ ହଜାର ଟଙ୍କାର ବିଲ୍ ପୈଠ କରିନାହାନ୍ତି । କର୍ମଚାରୀମାନେ ଯେତେବେଳେ ସିସିଟିଭି ଫୁଟେଜ୍ ଯାଞ୍ଚ କଲେ ସେତେବେଳେ ସବୁ ସତ କଥା ସାମ୍ନାକୁ ଆସିଲା ।

ସିସିଟିଭିରେ ସ୍ପଷ୍ଟ ଦେଖାଯାଉଛି ଯେ ଜଣେ ଯୁବକ ମଝିରେ ବସିଥିବା ଯୁବକଙ୍କୁ ହାଡ଼ର ଖଣ୍ଡ ଦେଉଛି ଯାହାକୁ ସେ ଭେଜ୍ ଖାଉଥିବା ସାଙ୍ଗର ଥାଳିରେ ପକାଇ ଦେଉଛି । ଅଭିଯୋଗ ଅନୁସାରେ, ସେହି ଯୁବକମାନଙ୍କର ଖାଇବା ବିଲ୍ ୫ ରୁ ୬ ହଜାର ଟଙ୍କା ହୋଇଥିଲା ଏବଂ ସେମାନେ ଏହାର ଟଙ୍କା ଦେବାକୁ ଚାହୁନଥିଲେ ଯେଉଁ କାରଣରୁ ସେମାନେ ଏପରି କରିଥିଲେ । ଏହି ଘଟଣା ଉପରେ ରେଷ୍ଟୁରାଣ୍ଟର ମାଲିକ ରବିକର ସିଂ କହିଛନ୍ତି ଯେ ସେମାନଙ୍କ ରେଷ୍ଟୁରାଣ୍ଟରେ ନନ୍‌ଭେଜ୍ ଏବଂ ଭେଜ୍ ଦୁଇଟି ଅଲଗା ଅଲଗା ଭାବରେ ତିଆରି କରାଯାଏ । ଅନ୍ୟ କାହା ଥାଳିରେ ହାଡ଼ ନାହିଁ କେବଳ ଏମାନଙ୍କ ଥାଳିରେ ହାଡ଼ କେମିତି ଆସିଲା । ସେ ପୁଲିସକୁ କହିଥିଲେ ଯେ ବିଲ୍ ଅଧିକ ଆସିଛି ସେଥିପାଇଁ ଏମାନେ ହଙ୍ଗାମା କରୁଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ସେ ୧୫ ବର୍ଷ ଧରି ରେଷ୍ଟୁରାଣ୍ଟ ବ୍ୟବସାୟ ସହିତ ଜଡ଼ିତ ଅଛନ୍ତି ଏବଂ କାହାରି ଭାବନାକୁ ଆଘାତ ଦେବା ତାଙ୍କର କାମ ନୁହେଁ । ଘଟଣାସ୍ଥଳରେ ପୁଲିସ ମଧ୍ୟ ସିସିଟିଭି ଫୁଟେଜ୍ ଦେଖି ଯୁବକମାନଙ୍କୁ ଧକ୍କା ମାରି ବାହାର କରିଦେଇଥିଲା । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ କିଛି ଯୁବକ ନନ୍‌ଭେଜ୍ ଥାଳିରୁ ହାଡ଼ ନେଇ ଭେଜ୍ ଥାଳିରେ ରଖୁଥିବା ଦେଖାଯାଉଛି ।