କନକ ବ୍ୟୁରୋ : ଦିଲ୍ଲୀରେ ଉଠିଲା ଗୋପାଳପୁର ଗଣଦୁଷ୍କର୍ମ ଘଟଣା । ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାର ଉପରେ ବର୍ଷିଛି କଂଗ୍ରେସ । ଜାତୀୟ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବା , ରାଜ୍ୟ ମହିଳା କଂଗ୍ରେସ ସଭାପତି ମୀନାକ୍ଷି ବାହିନୀପତି ଏବଂ କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋସ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ରଜ ଅବସରରେ ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇଥିବା ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଗଲା । ଏ ଘଟଣା ଓଡ଼ିଶାକୁ ଲଜ୍ଜିତ କରିଥିବା କଂଗ୍ରେସ ଅଭିଯୋଗ କରିଛି ।
ଆହୁରି ମଧ୍ୟ କହିଛନ୍ତି , ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ପ୍ରତିଦିନ ମହିଳାଙ୍କ ସୁରକ୍ଷା ଓ ନିର୍ଯାତନା ଅଭିଯୋଗ ଆସୁଛି । ପ୍ରତିଦିନ ଓଡ଼ିଶାରେ ୧୫ଟି ବଳାତ୍କାର ମାମଲା ରିପୋର୍ଟ ହେଉଛି । ୧୦ ମାସରେ ରାଜ୍ୟର ବିଭିନ୍ନ ସ୍ଥାନରେ ୪,୫୦୦ ଝିଅ ନ୍ୟାୟ ପାଇଁ ନିବେଦନ କରୁଛନ୍ତି । ୧୧ ମାସରେ ରାଜ୍ୟର ୨୮ହଜାର ମହିଳା ଏବଂ ଝିଅ ଦୁଷ୍କର୍ମର ଶିକାର ହୋଇଛନ୍ତି । ଓଡିଶାରେ ୩୬ହଜାର ମହିଳା ଏବଂ ୮ହଜାର ୪୦୦ ଝିଅ ନିଖୋଜ ଅଛନ୍ତି । ଗୋଟିଏ ବର୍ଷ ଓଡ଼ିଶାର ଭଉଣୀ, ଝିଅ ଏବଂ ମହିଳାଙ୍କ ପାଇଁ ବହୁତ ବିପଦପୂର୍ଣ୍ଣ ଏବଂ ଭୟଙ୍କର ହୋଇଛି । ଓଡ଼ିଶାରେ ବିଜେପି ସରକାର କାର୍ଯ୍ୟକାଳରେ ମହିଳାଙ୍କ ବିରୁଦ୍ଧରେ ବଳାତ୍କାର ଏବଂ ହତ୍ୟା ଭଳି ଅପରାଧ ବୃଦ୍ଧି ପାଉଛି । ଗୋପାଳପୁରରେ ପର୍ଯ୍ୟଟକଙ୍କ ସହିତ ଘଟିଥିବା ଗଣଦୁଷ୍କର୍ମ ଲଜ୍ଜାଜନକ ବୋଲି କହିଛି କଂଗ୍ରେସ । ଏହା ବିରୋଧରେ ଆକ୍ସନ ନେବାକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛି କଂଗ୍ରେସ ।