କନକ ବ୍ୟୁରୋ : ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ ନରରାକ୍ଷସ । ପୀଡ଼ିତାଙ୍କ ବୟାନ ଆଧାରରେ କ୍ରାଇମସିନ୍ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଆଇଜି ଏସ. ସାଇନିଙ୍କ ନେତୃତ୍ୱରେ ତନାଘନା ଆରମ୍ଭ ହୋଇଛି । ଗତକାଲି କୋର୍ଟ ପରିସରରେ ୬ ସାବାଳକ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଇଥିଲା । ଆଜି ଘଟଣାସ୍ଥଳରେ ପହଞ୍ଚି ପ୍ରେମୀ ଯୁଗଳ କେଉଁଠି ବସିଥିଲେ ଏବଂ ଯୁବତୀଙ୍କ ସହ କେଉଁଠି ଗଣଦୁଷ୍କର୍ମ ହୋଇଥିଲା ଏହାର ଯାଞ୍ଚ କରିଛନ୍ତି ଟିମ୍ । ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଏହି ଘଟଣାକୁ ଗୁରୁତ୍ବର ସହ ନେଇ 'ରେଡ୍ ଫ୍ଲାଗ୍' ମାମଲା ଭାବେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ସରକାର । ଘଟଣାର ଯେଭଳି ପୁନରାବୃତ୍ତି ନହୁଏ ସେଥିପାଇଁ ଗୋପାଳପୁର ବେଳାଭୂମିରେ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି ।
ପାନ୍ଥନିବାସ ପଛପଟ ସମୁଦ୍ର ବେଳାଭୂମିରେ କିଛିବର୍ଷ ପୂର୍ବରୁ ବ୍ଲୁ-ଫ୍ଲାଗ ବିଚ୍ ଓ ବିଚ୍ ସାକ୍ କରିବାକୁ ନିଷ୍ପତ୍ତି କରିଥିଲେ ପୂର୍ବ ସରକାର । ଏଥିପାଇଁ ବେଳାଭୂମିରେ ଏହି ୪ଟି କ୍ୟାବିନ ନିର୍ମାଣ କରାଯାଇଥିଲା । ଏଭଳି ନିଛାଟିଆ ସ୍ଥାନରେ ଯୁବତୀଙ୍କ ସହ ପାଶବିକ ଅତ୍ୟାଚାର କରିଥିଲେ ସମୁଦ୍ରକୂଳର ସଇତାନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପ୍ରଶାସନକୁ ଧରି ଘଟଣାସ୍ଥଳରେ ପହଞ୍ଚିଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିଭୂତି ଭୂଷଣ ଜେନା । ତୁରନ୍ତ ଏହି କ୍ୟାବିନ ଉଚ୍ଛେଦ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀଙ୍କ ସହ କ୍ରାଇମସିନ୍ ବୁଲି ଦେଖିଛନ୍ତି ବ୍ରହ୍ମପୁର ଏସ୍ପି, ଉପଜିଲ୍ଲାପାଳ ଓ କନିଷି ତହସିଲଦାରଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ।
ମହିଳା ଓ ଶିଶୁଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଦୁଷ୍କର୍ମ ଭଳି ଅପରାଧକୁ ରେଡ୍ ଫ୍ଲାଗ୍ ମାମଲା ଭାବେ ଗ୍ରହଣ କରାଯାଏ । ଗୋପାଳପୁର ଗଣଦୁଷ୍କର୍ମ ଭଳି ସମ୍ବେଦନଶୀଳ ଘଟଣାରେ ତ୍ୱରିତ ତଦନ୍ତ ପାଇଁ ଆଇଜି ପାହ୍ୟାର ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ପୁଲିସ ଡିଜି । କ୍ରାଇମବ୍ରାଞ୍ଚ ସିଆଇଡି ଅଧୀନରେ ଥିବା ମହିଳା ଓ ଶିଶୁ ଅପରାଧ ନିରୋଧୀ ଶାଖାକୁ ଏହି ତଦନ୍ତ ଭାର ଦିଆଯାଇଛି । ପୀଡ଼ିତାଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ସ୍ୱାଭିମାନକୁ ସୁନିଶ୍ଚିତ କରିବା ଏହି ବିଭାଗର ମୂଳ ଉଦ୍ଦେଶ୍ୟ ।