କନକ ବ୍ୟୁରୋ: ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଜାରି ରହିଛି ତଦନ୍ତ । ପୀଡ଼ିତାଙ୍କ ପୁରୁଷବନ୍ଧୁଙ୍କୁ ପଚରାଉଚରା କରୁଛି ପୁଲିସ । ଗତ ବୁଧବାର ରାତିରେ ଗୋପାଳପୁର ଥାନାରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ପୁରୁଷବନ୍ଧୁଙ୍କୁ ଘନଘନ ପ୍ରଶ୍ନ କରିଛି । ବିଭିନ୍ନ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ଟିମ୍‌ ପ୍ରାୟ ଦେଢ଼ ଘଣ୍ଟା ଧରି ପୁରୁଷବନ୍ଧୁଙ୍କୁ ପଚରାଉଚରା କରିଛି । ଘଟଣାର ତଦନ୍ତ ପାଇଁ ଗୋପାଳପୁରରେ କ୍ରାଇମବ୍ରାଞ୍ଚର ଆଉ ଏକ ଟିମ୍ ମଧ୍ୟ ପହଞ୍ଚିଛି । ଟିମ୍‌ରେ ଜଣେ ଇନ୍ସପେକ୍ଟର, ଜଣେ ସବ୍‌ଇନ୍‌ସ୍ପେକ୍ଟର ଓ ଅନ୍ୟ ଜଣେ କ୍ରାଇମବ୍ରାଞ୍ଚ ଅଧିକାରୀ ରହିଛନ୍ତି । ମଙ୍ଗଳବାର ସନ୍ଧ୍ୟାରୁ କ୍ରାଇମବ୍ରାଞ୍ଚ ଆଇଜି ଏସ. ସାଇନିଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଆସି ତଦନ୍ତ ଜାରି ରଖିଛି । କୋର୍ଟ ପରିସରରେ ୬ ସାବାଳକ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଇଥିଲା । ବୁଧବାର ଘଟଣାସ୍ଥଳରେ ପହଞ୍ଚି, ପ୍ରେମୀ ଯୁଗଳ କେଉଁଠି ବସିଥିଲେ ? ଯୁବତୀଙ୍କ ସହ କେଉଁଠି ଗଣଦୁଷ୍କର୍ମ ହୋଇଥିଲା ? ଇତ୍ୟାଦି ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚର ଟିମ୍ । ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ମଧ୍ୟ, ଗୁରୁତ୍ୱର ସହ ନେଇ 'ରେଡ୍‌ ଫ୍ଲାଗ' ମାମଲା ଭାବେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ସରକାର । ଘଟଣାର ଯେଭଳି ପୁନରାବୃତ୍ତି ନହୁଏ ସେଥିପାଇଁ ଗୋପାଳପୁର ବେଳାଭୂମିରେ ପୁଲିସ ପାଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।

Advertisment

ସେପଟେ ବାରିପଦାରେ ବିବାହିତ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । କିଛି ଦୁର୍ବୃତ୍ତ ତାଙ୍କୁ ଘରୁ ଅପହରଣ କରିନେଇ ଏଭଳି ନାରକୀୟ କାଣ୍ଡ ଘଟାଇଛନ୍ତି । ଏହାକୁ ନେଇ ପୀଡ଼ିତାଙ୍କ ସ୍ୱାମୀ ୪ ଜଣ ଯୁବକଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଅଭିଯୁକ୍ତମାନେ ମହିଳାଙ୍କୁ ଏକ କଠୋରିରେ ବନ୍ଦ କରି ତାଙ୍କ ସହ ଏକାଧିକ ଥର ଦୁଷ୍କର୍ମ କରିଥିଲେ । ବର୍ତ୍ତମାନ ଅଭିଯୁକ୍ତମାନେ ଫେରାର ରହିଥିବା ବେଳେ ପୁଲିସ ସେମାନଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି ।