କନକ ବ୍ୟୁରୋ: ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ପ୍ରମାଣ ନଷ୍ଟ ପାଇଁ କିଭଳି ଉଦ୍ୟମ କରିଥିଲେ ଦୁଷ୍କର୍ମକାରୀ, ତାହା ସାମ୍ନାକୁ ଆସିଛି । ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତମାନେ ବ୍ୟବହାର କରିଥିଲେ ଗର୍ଭ ନିରୋଧକ ସାମଗ୍ରୀ । ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଏମ୍କେସିଜି ମେଡିକାଲ କଲେଜର ଏଫ୍ଏମ୍ଟି ବିଭାଗୀୟ ମୁଖ୍ୟ ଡାକ୍ତର ସୁଦୀପା ଦାସ । ସେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିଥିଲେ । ଡାକ୍ତରୀ ମାଇନା ପରେ ଏଫଏମଟି ବିଭାଗୀୟ ମୁଖ୍ୟ ଏହି ବୟାନ ଦେଇଛନ୍ତି । ତେଣୁ ଗଣଦୁଷ୍କର୍ମ କାଣ୍ଡ ଯୋଜନାବଦ୍ଧ ଥିବା ସନ୍ଦେହ କରାଯାଉଛି ।
ସେପଟେ ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚର ଛାନଭିନ ଜାରି ରହିଛି । ସେଦିନର ଘଟଣା ପାଇଁ ସାକ୍ଷୀ ସଂଗ୍ରହ କରୁଛି ତଦନ୍ତକାରୀ ସଂସ୍ଥା । ସେପଟେ ୧୦ ଅଭିଯୁକ୍ତଙ୍କ ଡିଏନଏ ସାମ୍ପୁଲ ନେଲା CAW ବା କ୍ରାଇମ୍ ଏଗେନେଷ୍ଟ ୱିମେନ୍ ଶାଖା । ୧୦ ଅଭିଯୁକ୍ତଙ୍କର ନିଆଗଲା ଡିଏନଏ । ଘଟଣା ସ୍ଥଳରୁ CAWକୁ ମିଳିଛି ଅନେକ ତଥ୍ୟ ଓ ତଥ୍ୟ ଭିତ୍ତିକ ପ୍ରମାଣ, ଆପତ୍ତିଜନକ ସମାଗ୍ରୀ ସହିତ ଘଟଣା ସ୍ଥଳରୁ ପୋଡା ସିଗାରେଟ୍ ଜବତ କରିଛି CAW ଟିମ୍ । ତେବେ ପ୍ରଥମ ପର୍ଯ୍ୟାୟରେ ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ CAW ଓ ପରେ ଘଟଣାରେ ସମ୍ପୃକ୍ତ ନାବାଳକଙ୍କୁ ଆଣିବା ପ୍ରକ୍ରିୟା କରାଯିବ । ଅଭିଯୋଗକାରିଣୀଙ୍କ ଉଭୟ ଅଡିଓ ଭିଡିଓ ବୟାନ ରେକର୍ଡ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କର ମଧ୍ୟ ଅଡିଓ ଭିଡିଓ ବୟାନ ରେକର୍ଡ ହୋଇଛି । ରେଡ୍ଫ୍ଲାଗ୍ ଅନୁଯାୟୀ ଫରେନ୍ସିକ୍ ତଥ୍ୟକୁ ପରୀକ୍ଷା ପାଇଁ ଲ୍ୟାବ୍ରେ ପ୍ରାଥମିକତା ଦିଆଯିବ ।
ଏହାପୂର୍ବରୁ ପୀଡ଼ିତାଙ୍କ ପୁରୁଷବନ୍ଧୁଙ୍କୁ ପଚରାଉଚରା କରିଥିଲା ପୁଲିସ । ଗତ ବୁଧବାର ରାତିରେ ଗୋପାଳପୁର ଥାନାରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ପୁରୁଷବନ୍ଧୁଙ୍କୁ ଘନଘନ ପ୍ରଶ୍ନ କରିଛି । ବିଭିନ୍ନ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ଟିମ୍ ପ୍ରାୟ ଦେଢ଼ ଘଣ୍ଟା ଧରି ପୁରୁଷବନ୍ଧୁଙ୍କୁ ପଚରାଉଚରା କରିଛି । ଘଟଣାର ତଦନ୍ତ ପାଇଁ ଗୋପାଳପୁରରେ କ୍ରାଇମବ୍ରାଞ୍ଚର ଆଉ ଏକ ଟିମ୍ ମଧ୍ୟ ପହଞ୍ଚିଛି । ଟିମ୍ରେ ଜଣେ ଇନ୍ସପେକ୍ଟର, ଜଣେ ସବ୍ଇନ୍ସ୍ପେକ୍ଟର ଓ ଅନ୍ୟ ଜଣେ କ୍ରାଇମବ୍ରାଞ୍ଚ ଅଧିକାରୀ ରହିଛନ୍ତି । ମଙ୍ଗଳବାର ସନ୍ଧ୍ୟାରୁ କ୍ରାଇମବ୍ରାଞ୍ଚ ଆଇଜି ଏସ. ସାଇନିଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଆସି ତଦନ୍ତ ଜାରି ରଖିଛି । କୋର୍ଟ ପରିସରରେ ୬ ସାବାଳକ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଇଥିଲା । ବୁଧବାର ଘଟଣାସ୍ଥଳରେ ପହଞ୍ଚି, ପ୍ରେମୀ ଯୁଗଳ କେଉଁଠି ବସିଥିଲେ ? ଯୁବତୀଙ୍କ ସହ କେଉଁଠି ଗଣଦୁଷ୍କର୍ମ ହୋଇଥିଲା ? ଇତ୍ୟାଦି ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚର ଟିମ୍ ।