କନକବ୍ୟୁରୋ : ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀ ଆଇନ ହାତରୁ ଖସିଯିବା ପାଇଁ କରିଥିବା ଯୋଜନାବଦ୍ଧ ଉଦ୍ୟମ ପଦାକୁ ଆସିଛି । ଅତ୍ୟନ୍ତ ସମ୍ବେଦନଶୀଳ ଏହି ଅପରାଧର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଅଭିଯୁକ୍ତମାନେ ଦୁଷ୍କର୍ମ ସମୟରେ ଆପତ୍ତିଜନକ ଜିନିଷ ବ୍ୟବହାର କରିଥିଲେ ।
ପ୍ରମାଣ ନଷ୍ଟ କରିବା ପାଇଁ ସେମାନେ ଏହାକୁ ବ୍ୟବହାର କରିଥାଇ ପାରନ୍ତି ବୋଲି ବ୍ରହ୍ମପୁର ଏମ୍କେସିଜି ଏଫ୍ଏମ୍ଟି ବିଭାଗର ମୁଖ୍ୟ ପ୍ରଫେସର ସୁଦୀପା ଦାଶ କହିଛନ୍ତି । ଏଥିସହ ଆଜି ହୋଇପାରେ ଅଭିଯୁକ୍ତ ମାନଙ୍କ ଟିଆଇପରେଡ । ଗୁରୁବାର ବ୍ରହ୍ମପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଅଭିଯୁକ୍ତ ମାନଙ୍କର ଟିଆଇ ପରେଡ ଲାଗି ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ ।
କୋର୍ଟ ଅନୁମତି ପ୍ରଦାନ କରିଥିବା ବେଳେ ଟିଆଇ ପରେଡ ଜରିଆରେ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରିବେ ପୀଡ଼ିତା । କ୍ରାଇମ୍ବ୍ରାଞ୍ଚର ଜଣେ ଅତିରିକ୍ତ ଏସ୍ପିଙ୍କ ସମେତ ୯ ଜଣିଆ ଟିମ୍ ଗୋପାଳପୁର ଥାନାରେ ପହଞ୍ଚି ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ସହ ଥାନାରୁ ଘଟଣା ସଂକ୍ରାନ୍ତ ବିଭିନ୍ନ କାଗଜପତ୍ର ସଂଗ୍ରହ କରାଯାଇଛି । ଆଜି କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଟିଆଇ ପରେଡ୍ ପାଇଁ ବ୍ରହ୍ମପୁରସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ଠାରେ ଆବେଦନ କରାଯାଇଛି । କୋର୍ଟ ଟିଆଇ ପରେଡ୍ ପାଇଁ ଅନୁମତି ଦେଇଥିବା ସୂଚନା ମିଳିଛି ।
ଏଥିସହ ଆଜି କ୍ରାଇମ୍ବ୍ରାଞ୍ଚ ଟିମ୍ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ପଚରାଉଚରା କରିଛି । ଏହି ଘଟଣାରେ ଗୋପାଳପୁର ପୁଲିସ ପୂର୍ବରୁ ୬ଟି ମୋବାଇଲ୍ ଜବତ କରିଥିବା ବେଳେ ଆଜି ଆଉ ଗୋଟିଏ ମୋବାଇଲ୍ ଜବତ ହୋଇଛି । କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଏକ ନୂଆ ମାମଲା ରୁଜୁ କରାଯାଇଛି ।
ଗତ ୧୫ ତାରିଖ ରେ ଗୋପାଳପୁର ବେଳାଭୂମିରେ ଏହି ଗଣଦୁଷ୍କର୍ମ ଘଟିଥିବା ବେଳେ ୧୬ ତାରିଖ ଦିନ ଲୋକଲୋଚନକୁ ଆସିଥିଲା। ଏହି ଘଟଣାରେ ପୁଲିସ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ସହ ପୀଡ଼ିତାଙ୍କ ଡାକ୍ତରୀମାଇନା ଏମ୍କେସିଜିର ଏଫ୍ଏମ୍ଟି ବିଭାଗରେ କରାଯାଇଥିଲା । ଡିଏନ୍ଏ ସଂପର୍କିତ କିଛି ନମୁନା ଭୁବନେଶ୍ବରସ୍ଥିତ ଏସ୍ଏଫ୍ଏସ୍ଏଏଲ୍କୁ ପଠାଯାଇଛି ।