କନକ ବ୍ୟୁରୋ: ଭାରତର ସ୍ୱାଧୀନତା ସଂଗ୍ରାମରେ ଗୋପାଳ କୃଷ୍ଣ ଗୋଖଲେଙ୍କର ଅବଦାନ ଅତୁଳନୀୟ । ସେ କେବଳ ମହାତ୍ମା ଗାନ୍ଧୀଙ୍କୁ ଇଂଲଣ୍ଡରୁ ଭାରତ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିନଥିଲେ, ବରଂ ଦେଶବାସୀଙ୍କ ମନରେ ଦେଶପ୍ରେମର ବହ୍ନି ଜଳାଇବାରେ ମଧ୍ୟ ସଫଳ ହୋଇଥିଲେ । ସେ ଶିକ୍ଷାର ଗୁରୁତ୍ୱକୁ କେବଳ ବୁଝିନଥିଲେ, ବରଂ ସ୍ୱାଧୀନତା ସଂଗ୍ରାମ ସମୟରେ ମଧ୍ୟ ସ୍ଥାନେ ସ୍ଥାନେ ପାଠାଗାର ସ୍ଥାପନ କରି ଲୋକଙ୍କୁ ଶିକ୍ଷା ଗ୍ରହଣ କରିବା ପାଇଁ ପ୍ରେରିତ କରିଥିଲେ ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ଗୋପାଳ କୃଷ୍ଣ ଗୋଖଲେଙ୍କ ଜନ୍ମ ୧୮୬୬ ମସିହା ମେ ୯ତାରିଖରେ ମହାରାଷ୍ଟ୍ରର ରତ୍ନଗିରିଠାରେ ଏକ ସାଧାରଣ ପରିବାରରେ ହୋଇଥିଲା । ତାଙ୍କ ପିତାଙ୍କ ନାମ କୃଷ୍ଣା ରାଓ ଗୋଖଲେ ଏବଂ ମାତାଙ୍କ ନାମ ଭାଲୁବାଈ ଗୋଖଲେ ଥିଲା । ସାଧାରଣ ପରିବାରରେ ଜନ୍ମ ହୋଇ ମଧ୍ୟ ସେ ଜଣେ ମେଧାବୀ ଛାତ୍ର ଥିଲେ । ତାଙ୍କ ମନରେ ପିଲାଦିନୁ ହିଁ ଦେଶଭକ୍ତିର ଭାବନା ରହିଥିଲା, ଯାହା ତାଙ୍କୁ ଦେଶ ପାଇଁ ବହୁତ କିଛି କରିବାକୁ ପ୍ରେରଣା ଦେଇଥିଲା । ସେ ୧୮୮୧ ମସିହାରେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ୧୮୮୨ରେ ରାଜାରାମ କଲେଜରେ ନାମ ଲେଖାଇଥିଲେ । ପରେ ସେ ଏଲଫିନଷ୍ଟୋନ କଲେଜରୁ ନିଜର ସ୍ନାତକ ଡିଗ୍ରି ହାସଲ କରିଥିଲେ । ପାଠପଢା ପ୍ରତି ତାଙ୍କର ଏତେ ଆଗ୍ରହ ଥିଲା ଯେ ତାଙ୍କୁ ପ୍ରତି ମାସରେ ଛାତ୍ରବୃତ୍ତି ମିଳୁଥିଲା ।
କଂଗ୍ରେସ ଅଧ୍ୟକ୍ଷ ଗୋଖଲେ
ଆଇନ ଅଧ୍ୟୟନ ପରେ ଗୋଖଲେ ରାଷ୍ଟ୍ରଭାବନା ପାଇଁ ନରମପନ୍ଥୀ ନେତା ଭାବେ କାର୍ଯ୍ୟ କରିବା ଆରମ୍ଭ କଲେ । ସେ ୧୯୦୫ ମସିହାରେ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ୧୯୦୭ ସୁଦ୍ଧା ଦଳ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା । ବୈଚାରିକ ମତଭେଦ ସତ୍ତ୍ୱେ ସେ ଚରମପନ୍ଥୀ ନେତା ଲାଲା ଲାଜପତ ରାୟଙ୍କ ମୁକ୍ତି ପାଇଁ ଅଭିଯାନ ଚଳାଇଥିଲେ ।
ଗୋଖଲେଙ୍କ କ୍ରାନ୍ତିକାରୀ ପରିବର୍ତ୍ତନ
- ସର୍ଭେଣ୍ଟସ୍ ଅଫ୍ ଇଣ୍ଡିଆ ସୋସାଇଟିର ସ୍ଥାପନା: ଗୋଖଲେ ୧୯୦୫ ମସିହାରେ ଭାରତୀୟ ଶିକ୍ଷାର ବିସ୍ତାର ପାଇଁ "ସର୍ଭେଣ୍ଟସ୍ ଅଫ୍ ଇଣ୍ଡିଆ ସୋସାଇଟି"ର ସ୍ଥାପନା କରିଥିଲେ । ତାଙ୍କର ବିଶ୍ୱାସ ଥିଲା ଯେ ଭାରତୀୟମାନଙ୍କୁ ଏପରି ଶିକ୍ଷା ମିଳିବା ଉଚିତ ଯାହା ସେମାନଙ୍କ ମନରେ ନାଗରିକ କର୍ତ୍ତବ୍ୟ ଓ ଦେଶପ୍ରେମର ଭାବନା ଜାଗ୍ରତ କରିବ ।
- ଶିକ୍ଷାର ପ୍ରସାର: ସେ ଅନେକ ପାଠାଗାର ଏବଂ ବିଦ୍ୟାଳୟ ସ୍ଥାପନ କରିଥିଲେ । ଏଥିସହ ସେ ରାତିରେ ଶ୍ରମିକମାନଙ୍କୁ ପଢାଇବାର କାମ ମଧ୍ୟ କରୁଥିଲେ ।
- ମହାତ୍ମା ଗାନ୍ଧୀଙ୍କୁ ପ୍ରେରଣା: ୧୯୧୨ ମସିହାରେ ଗୋଖଲେ ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କୁ ଭେଟିଥିଲେ ଏବଂ ତାଙ୍କ ଅନୁରୋଧ କ୍ରମେ ମହାତ୍ମା ଗାନ୍ଧୀ ଭାରତ ଫେରିଥିଲେ ।
- ଗାନ୍ଧୀଙ୍କ ରାଜନୈତିକ ଗୁରୁ: ମହାତ୍ମା ଗାନ୍ଧୀ ନିଜ ଆତ୍ମକଥା 'ସତ୍ୟ ସହିତ ମୋର ପ୍ରୟୋଗ'ରେ ଗୋଖଲେଙ୍କୁ ନିଜର ରାଜନୈତିକ ଗୁରୁ, ପରାମର୍ଶଦାତା ଓ ମାର୍ଗଦର୍ଶକ ବୋଲି ବର୍ଣ୍ଣନା କରିଛନ୍ତି ।
ଗୋଖଲେଙ୍କ ବିଚାରଧାରା
ଗୋଖଲେଙ୍କ ବିଚାର ସବୁବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶିକ୍ଷା ପାଇଁ ପ୍ରେରିତ କରୁଥିଲା । କିଛି ଏମିତି ଥିଲା ତାଙ୍କ ବିଚାରଧାରା...
• "ଶିକ୍ଷାର ଅଧିକାର ସମସ୍ତ ନାଗରିକଙ୍କୁ ମିଳିବା ଉଚିତ, ସେମାନଙ୍କ ଜାତି, ଧର୍ମ, ଲିଙ୍ଗ କିମ୍ବା ସାମାଜିକ ସ୍ଥିତି ଯାହା ବି ହେଉନା କାହିଁକି ।"
• "ସ୍ୱତନ୍ତ୍ରତା କେବଳ ରାଜନୈତିକ ସ୍ୱତନ୍ତ୍ରତା ନୁହେଁ, ବରଂ ସାମାଜିକ ଓ ଆର୍ଥିକ ସ୍ୱତନ୍ତ୍ରତା ମଧ୍ୟ ।"
• "ସଫଳତା ଶୀଘ୍ର ମିଳୁଥିବା ଉପଲବ୍ଧି ନୁହେଁ । ତାକୁ ପାଇବା ପାଇଁ ନିରନ୍ତର ପରିଶ୍ରମ ଓ ଧୈର୍ଯ୍ୟର ଆବଶ୍ୟକତା ରହିଛି ।"
• "ଅନ୍ୟମାନଙ୍କୁ ନିନ୍ଦା କରିବା ପୂର୍ବରୁ ଆମକୁ ଆତ୍ମ-ମନ୍ଥନ କରିବା ଉଚିତ ଯେ ଆମେ ନିଜକୁ ଉନ୍ନତ କରିବାକୁ ଚେଷ୍ଟା କରୁଛୁ କି ନାହିଁ ।"
• "ଆମକୁ ନିଜ ମତଭେଦ ସତ୍ତ୍ୱେ ଏକଜୁଟ ହୋଇ ରାଷ୍ଟ୍ର ନିର୍ମାଣ କରିବା ଉଚିତ ।"
• "ଦାରିଦ୍ର୍ୟ ଓ ଅଜ୍ଞାନତା ସବୁଠାରୁ ବଡ଼ ଶତ୍ରୁ। ଏହାର ବିନାଶ କରିବା ଆମର କର୍ତ୍ତବ୍ୟ ।"
୧୯୧୫ ମସିହା ଫେବ୍ରୁଆରୀ ୧୯ରେ ଗୋପାଳ କୃଷ୍ଣ ଗୋଖଲେଙ୍କର ମୃତ୍ୟୁ ହୋଇଥିଲା, କିନ୍ତୁ ତାଙ୍କର ବିଚାର ଓ କାର୍ଯ୍ୟ ଆଜି ମଧ୍ୟ ଦେଶବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି ।