କନକ ବ୍ୟୁରୋ : ନବ ଦାସଙ୍କ ହତ୍ୟାକୁ ନେଇ ଆସିଲା ବଡ ଖବର । ଗୋପାଳ ଦାସଙ୍କ ଓକିଲ ନରେଶ ନାୟକଙ୍କ ଚାଞ୍ଚଲ୍ୟକର ବୟାନ । କହିଲେ ନବ ଦାସଙ୍କୁ ହତ୍ୟା କରିନି ଗୋପାଳ । ଘଟଣା ଦିନ ନବଙ୍କ ସୁରକ୍ଷା ପାଇଁ ମୁତୟନ ଥିଲେ ଗୋପାଳ । ସେ ଗୁଳି ବା ବାଣ ଫୁଟିଲା ପରି ଶବ୍ଦ ଶୁଣିଥିଲେ ।
ତେଣୁ ସତର୍କ ହୋଇ ତୁରନ୍ତ ବ୍ଲାଙ୍କ ଫାୟାର କରଥିଲେ ଗୋପାଳ । ତିନି ଥର ବ୍ଲାଙ୍କ ଫାୟାର କରିଥିଲେ ଗୋପାଳ । ତାଙ୍କ ବନ୍ଧୁକର ଗୁଳିରେ ନବ ଦାସଙ୍କ ମୃତ୍ୟୁ ହୋଇନି । ଅନ୍ୟ କାହା ଗୁଳିରେ ନବଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଏପରି ସାଙ୍ଘାତିକ ବୟାନ ଦେଇଛନ୍ତି ଗୋପାଳ ଦାସଙ୍କ ଓକିଲ।
2023ରେ ୨୯ ଜାନୁଆରୀରେ ଗୁଳି କରି ହତ୍ୟା କରାଯାଇଥିଲା ମନ୍ତ୍ରୀ ନବ ଦାସଙ୍କୁ । ତଦନ୍ତ ପରେ ଜଣାପଡିଥିଲା ଏଏସଆଇ ଗୋପାଳ ଦାସ ନବଙ୍କୁ ଗୁଳି କରି ହତ୍ୟା କରିଥିଲେ । ନବ ଦାସଙ୍କ ହତ୍ୟା ମାମଲାରେ ସରଗରମ ହୋଇଥିଲା ରାଜ୍ୟ ରାଜନୀତି । ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହୋଇଥିଲେ ଗୋପାଳ ।
୫୦୦ ପୃଷ୍ଠାର ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ଚାଞ୍ଚଲ୍ୟକର ତଥ୍ୟ ମଧ୍ୟ ରଖିଥିଲା । ନବଙ୍କୁ ହତ୍ୟା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ । ନିଜ ଭାଇଙ୍କ ସହ ସମ୍ବଲପୁର ସମଲେଇ ମନ୍ଦିର ଯାଇ ଶପଥ ନେଇଥିଲା ଗୋପାଳ । ଏପରିକି ଏହାପରେ ସେ ହତ୍ୟା ପାଇଁ ବାରମ୍ବାର ପ୍ରୟାସ କରି ବି ବିଫଳ ହୋଇଥିଲା । ବ୍ରଜରାଜନଗରରେ ନବଙ୍କୁ ହତ୍ୟା କରିବାକୁ ଯାଇ ଫେଲ୍ ମାରିଥିଲା ଗୋପଳା ।
ସେହିଦିନ ଠାରୁ ଗୋପାଳ ନିଜ ସର୍ଭିସ ପିସ୍ତଲରେ ଗୁଳି ଲୋଡ କରି ରଖିଥିଲା । ହତ୍ୟାକାଣ୍ଡ ସମ୍ପର୍କରେ ମଧ୍ୟ ଚାର୍ଜସିଟରେ ସମାନ ତଥ୍ୟ ରହିଛି । ନିର୍ବାଚନ ସମୟରେ ଟ୍ରାଫିକ ଡ୍ୟୁଟିରେ ଥିବାବେଳେ ନବ ଓ ତାଙ୍କ ସମର୍ଥକଙ୍କ ଗୋପାଳ ଗାଡି ଯାଞ୍ଚ କରିଥିଲେ । ଏହି ସମୟରେ ନବ ତାଙ୍କୁ ଧମକାଇବା ସହ ଗାଳି ଗୁଲଜ କରିଥିଲେ । ତାପରଠାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଭାବି ଗୋପାଳ ଏହିଭଳି ବଡକାଣ୍ଡ ଘଟାଇଥିବା ଚାର୍ଜସିଟରେ ଉଲ୍ଲେଖ ରହିଥିଲା ।