କନକ ବ୍ୟୁରୋ : ଟେକ୍ନୋଲୋଜି କ୍ଷେତ୍ରର ଦିଗ୍ଗଜ କମ୍ପାନୀ ଗୁଗଲ୍‌ ଭାରତରେ ଏକ ବଡ଼ ଧରଣର ଆର୍ଥିକ ପ୍ରଭାବ ପକାଇଛି । ୨୦୨୪ ମସିହାରେ କେବଳ ଗୁଗଲ୍‌ ପ୍ଲେ ଏବଂ ଆଣ୍ଡ୍ରଏଡ୍ ଇକୋସିଷ୍ଟମ୍ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଆୟ କରିଛି । ଏହା ସହିତ ପ୍ରାୟ ୩୫ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି, ଯାହା ଭାରତୀୟ ଅର୍ଥନୀତି ପାଇଁ ଏକ ବଡ଼ ଉପଲବ୍ଧି । 

Advertisment

ଏହି ତଥ୍ୟ ଏକ ଅର୍ଥନୀତି, ନୀତି ଏବଂ ମତ ସମ୍ବନ୍ଧୀୟ ଅନୁସନ୍ଧାନ ପରାମର୍ଶଦାତା ସଂସ୍ଥା ପିଟିଆଇ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ଭାରତର ଡିଜିଟାଲ ଅର୍ଥବ୍ୟବସ୍ଥା ବିଶ୍ୱର ସବୁଠାରୁ ବଡ଼ ଏବଂ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି ମଧ୍ୟରୁ ଅନ୍ୟତମ । ସ୍ମାର୍ଟଫୋନର ବହୁଳ ବ୍ୟବହାର, ଶସ୍ତା ଡାଟା ଏବଂ ଡେଭଲପର୍ ଓ ଉଦ୍ୟୋଗୀଙ୍କ ଏକ ଗତିଶୀଳ ଇକୋସିଷ୍ଟମ୍‌ ଏହି ଅଭିବୃଦ୍ଧିକୁ ଆହୁରି ଆଗକୁ ନେଉଛି ।

ଗୁଗଲ୍‌ର ଏହି ଇକୋସିଷ୍ଟମ୍ କେବଳ ଆପ୍ ଡେଭଲପର୍‌ ପାଇଁ ନୁହେଁ, ବରଂ ବ୍ୟାପକ ଅର୍ଥନୀତି ପାଇଁ ମଧ୍ୟ ରାଜସ୍ୱ ସୃଷ୍ଟି କରିଛି । ଏହାଦ୍ୱାରା ଦେଶରେ ୩୫ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଚାକିରି ସୃଷ୍ଟି ହୋଇପାରିଛି । ସୂଚନା ଅନୁଯାୟୀ, ଭାରତରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ସକ୍ରିୟ ଡେଭଲପର୍ ଅଛନ୍ତି ଯେଉଁମାନେ ଗୁଗଲ୍‌ ପ୍ଲେରେ କାର୍ଯ୍ୟ କରନ୍ତି । ଏହି କ୍ଷେତ୍ରରେ ୨୦୨୪ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଡେଭଲପର୍ ନିଯୁକ୍ତି ପାଇଛନ୍ତି । 

ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଆଣ୍ଡ୍ରଏଡର ଓପନ୍-ସୋର୍ସ ସିଷ୍ଟମ୍‌ ଯୋଗୁଁ ଡିଭାଇସ୍ ନିର୍ମାତାମାନେ ଶସ୍ତାରେ ଉପକରଣ ତିଆରି କରିପାରୁଛନ୍ତି । ଯାହାଦ୍ୱାରା ବିକାଶ ଏବଂ ପରିଚାଳନା ଖର୍ଚ୍ଚରେ ପ୍ରାୟ ୨୫,୨୦୦ କୋଟି ଟଙ୍କା ସଞ୍ଚୟ ହୋଇଛି । ଭାରତର ପ୍ରାୟ ୭୨% ବ୍ୟବହାରକାରୀ ପ୍ରଥମ ଥର ପାଇଁ ଆଣ୍ଡ୍ରଏଡ୍ ଡିଭାଇସ୍‌ରେ ଇଣ୍ଟରନେଟ୍ ବ୍ୟବହାର କରିଥିବା ବେଳେ, ୮୫% ଲୋକ ଡିଜିଟାଲ୍ ସାର୍ବଜନୀନ ସେବା ପାଇଁ ସେମାନଙ୍କ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରୁଛନ୍ତି । 

ଗୁଗଲ୍‌ ଇଣ୍ଡିଆର କଣ୍ଟ୍ରି ମ୍ୟାନେଜର ପ୍ରୀତି ଲୋବାନା କହିଛନ୍ତି, "ଭାରତର ଡେଭଲପର୍‌ମାନେ ବିଶ୍ୱ କିପରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବ୍ୟବହାର କରିବ, ତାହା ସ୍ଥିର କରୁଛନ୍ତି । ଆମେ ସେମାନଙ୍କ ସହିତ ଛିଡା ହୋଇଥିବାରୁ ଗର୍ବିତ ।" ଏହା ସହିତ ଗୁଗଲ୍‌ ଭାରତୀୟ ଡେଭଲପର୍ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍‌କୁ ସମର୍ଥନ କରିବା ପାଇଁ ନୂତନ ପଦକ୍ଷେପ ଏବଂ AI କ୍ଷମତା ଘୋଷଣା କରିଛି ।