କନକ ବ୍ୟୁରୋ : ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଆବେଦନ କରିଥିବା ମହିଳାଙ୍କ ପାଇଁ ଭଲ ଖବର । ୨୪ତାରିଖରେ ୨୦ଲକ୍ଷ ମହିଳାଙ୍କୁ ମିଳିବ ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।
ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଆହୁରି ୪୦ଲକ୍ଷରୁ ଅଧିକ ମହିଳା ଅପେକ୍ଷା କରିଥିବା ବଡ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆସନ୍ତା ୨୪ରେ ଆସିବ ‘ସୁଭଦ୍ରା’ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ଏଥର ପ୍ରାୟ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ‘ସୁଭଦ୍ରା’ ଟଙ୍କା ଯିବ । ସୁନ୍ଦରଗଡ଼ ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ତୃତୀୟ ପର୍ଯ୍ୟାୟ ଟଙ୍କା ଦେବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ସରକାର । ଏଥିସହ ବିଭିନ୍ନ କାରଣରୁ ଆବେଦନ ଖାରଜ ହୋଇଯାଇସାରିଥିବା ୨ଲକ୍ଷରୁ ଅଧିକ ଆବେଦନକାରୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଏହା ମଧ୍ୟରେ ବ୍ୟାଙ୍କ, ଆଧାର କାର୍ଡରେ ଥିବା ତ୍ରୁଟି ସଂଶୋଧନ କରିନେଲେ ସେମାନଙ୍କୁ ଏହି ପର୍ଯ୍ୟାୟରେ ସାମିଲ କରାଯିବ । ନଚେତ ବାଦ ପଡ଼ିଥିବା ମହିଳାମାନଙ୍କୁ ଆସନ୍ତା ପର୍ଯ୍ୟାୟରେ ସାମିଲ କରିବାକୁ ଟାର୍ଗେଟ ରଖାଯାଇଛି ଏବଂ ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜାନରୁ ବଞ୍ଚିତ ହେବେନି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏଥର ଟଙ୍କା ପାଇବାକୁ ଆଶା ରଖିଛନ୍ତି ଆବେଦନକାରୀ ।
ଗତ ସେପ୍ଟେମ୍ବର ୧୭ ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା । ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଗତ ମିଳିଥିଲା ଟଙ୍କା । ତେବେ ସୁଭଦ୍ରା ଯୋଜନାରେ ମୋଟ ୧ କୋଟି ୨ ଲକ୍ଷ ହିତାଧିକାରୀ ପଞ୍ଜିକୃତ ହୋଇଥିବାରୁ ଅପେକ୍ଷାରେ ଅଛନ୍ତି ପ୍ରାୟ ୪୦ଲକ୍ଷ ମହିଳା ।