କନକ ବ୍ୟୁରୋ : ମୟୂରଭଞ୍ଜ ବାସୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଆରମ୍ଭ ହେବ ବାଙ୍ଗିରିପୋଷି ଘାଟି ରାସ୍ତା ପ୍ରଶସ୍ତୀକରଣ କାମ । ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜର୍ମାଗ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସ୍ୱୀକୃତି ମିଳିଛି । ବହଡ଼ାଗଡ଼ା ଠାରୁ ସିଙ୍ଗଡ଼ା ମଧ୍ୟରେ ଥିବା ବାଙ୍ଗିରିପୋଷି ଘାଟିର ୯ କିମି ରାସ୍ତା ପାଇଁ ଚଉଡ଼ା ହେବ । ଏଥିପାଇଁ ଅନୁଦାନ ଘୋଷଣା ହେବା ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ ଶୀଘ୍ର ନିର୍ମାଣ ଆରମ୍ଭ ହେବ।
ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଘାଟି। ପଞ୍ଚପିଢ଼ ଓ ବାମନ ଘାଟି ଉପଖଣ୍ଡବାସୀଙ୍କୁ ସଦର ମହକୁମା ବାରିପଦାକୁ ଆସିବାକୁ ହେଲେ ଏହି ଘାଟି ହିଁ ଏକମାତ୍ର ଭରସା। ହେଲେ ୯ କିଲୋମିଟର ସଂକୁଚିତ ଘାଟି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଗତ ୨ବର୍ଷରେ ୭୧ଟି ଦୁର୍ଘଟଣାରେ ୩୮ ଜଣଙ୍କ ମୃତ୍ୟ ହୋଇଛି। ଅନେକ ଆହତ ହୋଇଛନ୍ତି । ତେଣୁ ବାଙ୍ଗିରିପୋଶି ଘାଟି ରାସ୍ତା ପ୍ରଶସ୍ତିକରଣ ପାଇଁ ବାରମ୍ବାର ଦାବି ହେବା ପରେ ପ୍ରଶାସନର ଚେତା ପସିଛି। ରାସ୍ତା ପ୍ରଶସ୍ତୀକରଣ ପାଇଁ ଜାନୁଆରୀ ୩ରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ଫେବ୍ରୁୟାରୀ ୧୯ରେ ଟେଣ୍ଡର ପ୍ରକ୍ରିୟା ସରିବା ପରେ ରାସ୍ତା କାମ ହେବ। ୪ ଲେନ ବିଶିଷ୍ଟ ରାସ୍ତାରେ ୧୯୬ କୋଟି ୧୫ ଲକ୍ଷ ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ବାଙ୍ଗିରିପୋଷି ଘାଟି କାମ କରାଯାଉଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବଫର ଜୋନ ଦେଇ ଯାଉଥିବା ଏହି ଜାତୀୟ ରାଜପଥରେ ହାତୀଙ୍କ ପାଇଁ ୫ଟି ଅଣ୍ଡରପାସ୍ ଓ ଅନ୍ୟ ବନ୍ୟପ୍ରାଣୀଙ୍କ ପାଇଁ ୧୪ଟି ଅଣ୍ଡରପାସ୍ ନିର୍ମାଣ କରାଯିବ। ତେବେ ଦୀର୍ଘ ଦିନର ଦାବି ପରେ ରାସ୍ତା ସମସ୍ୟାର ସମାଧାନ ହେଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଜିଲ୍ଲାବାସୀ । ଆସନ୍ତା ଅଢେଇ ବର୍ଷ ମଧ୍ୟରେ ଘାଟି ରାସ୍ତା କାମ ସରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।