କନକବ୍ୟୁରୋ : ରାସନକାର୍ଡଧାରୀଙ୍କ ପାଇଁ ବଡ ଖବର। ଆଗକୁ ମୁଣ୍ଡପିଛା ଅଧିକ ୫ କିଲୋ ଚାଉଳ ଦେବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର। ଅନ୍ୟପଟେ ଇ-କେୱାଇସି କରିନଥିଲେ ଆସନ୍ତା ମାସରୁ ହିତାଧିକାରୀ ଚାଉଳ ପାଇବେନି ବୋଲି ମନ୍ତ୍ରୀ କହିଛନ୍ତି। ଯାହାକୁ ନେଇ କଟାକ୍ଷ କରିଛି ବିଜେଡି । ରାସନକାର୍ଡଧାରୀଙ୍କ ପାଇଁ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି ରାଜ୍ୟ ସରକାର। ଆଗକୁ ମୁଣ୍ଡପିଛା ୫ କିଲୋ ନୁହେ୧୦ କିଲୋ ଚାଉଳ ଦିଆଯିବ। ଏବେ ମିଳୁଥିବା ୫ କିଲା ଚାଉଳ ମାସେ ପାଇଁ ପର୍ଯ୍ୟାପ୍ତ ହେଉନାହିଁ। ତେଣୁ ହିତାଧିକାରୀଙ୍କୁ ଅଧିକ ଚାଉଳ ଦେବାକୁ ସଂକେତ ଦେଇଛି ଯୋଗାଣ ବିଭାଗ। ପ୍ରାୟ ୩ କୋଟି ୨୫ ଲକ୍ଷ ହିତାଧିକାରୀ ପାଇବେ ଅଧିକ ଚାଉଳ। ଏନେଇ ତର୍ଜମା ସରିଛି, ଫାଇଲ ସିଏମଓରେ ପହଞ୍ଚିଛି ।
ଶେଷ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅନ୍ୟପଟେ ଇ-କେୱାଇସି କରିନଥିଲେ ଆସନ୍ତାମାସରୁ ଚାଉଳ ମିଳିବନି ବୋଲି ଚେତାଇ ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ଇ-କେୱାଇସି ନଥିଲେ ହିତାଧିକାରୀଙ୍କୁ ଚାଉଳ ମିଳିବନି ବୋଲି ମନ୍ତ୍ରୀଙ୍କ ବୟାନକୁ ନେଇ କଟାକ୍ଷ କରିଛି ବିଜେଡି। କହିଛି, ଗରିବ ଲୋକଙ୍କୁ ଚାଉଳ ନଦେଇ ଗାଁ ଗାଁରେ ରାସନକାର୍ଡ କାଟିବାକୁ ଇ-କେୱାଇସିକୁ ଆୟୁଧ କରିଛନ୍ତି ସରକାର। ଚାଉଳ ନଦେଇ ଲୋକଙ୍କୁ ଭୟଭୀତ କରାଯାଉଛି। ଇ-କେୱାଇସି କରିନଥିବାରୁ ୧୫ ଲକ୍ଷରୁ ଅଧିକ ହିତାଧିକାରୀ ଚାଉଳରୁ ବଞ୍ଚିତ ହୋଇପାରନ୍ତି । ହିତାଧିକାରୀଙ୍କୁ ଅଧିକ ୫ କିଲୋ ଚାଉଳ ଦେବାକୁ ହେଲେ ଆହୁରି ଚାଉଳର ଆବଶ୍ୟକତା ପଡିବ। ତେଣୁ ଏଫସିଆଇ ଉଠାଉନଥିବା ବଳକା ଚାଉଳ ହିତାଧିକାରୀଙ୍କୁ ବାଣ୍ଟିବାକୁ ଯୋଜନା କରୁଛନ୍ତି କି ସରକାର?