କନକ ବ୍ୟୁରୋ: ସରକାରୀ ଚାକିରି କରିଛନ୍ତି କି ? ତାହାଲେ ଆପଣଙ୍କ ଲାଗି ଏହା ବଡ଼ ଖବର । କାରଣ ଏଣିକି ଆପଣ ନେଇପାରିବେ ୪୨ଦିନର ଛୁଟି । ଅବଶ୍ୟ ଏହା ସମସ୍ତ ସରକାରୀ କର୍ମଚାରୀଙ୍କ ଲାଗି ଲାଗୁ ହୋଇନି କିନ୍ତୁ ଅନେକ କର୍ମଚାରୀଙ୍କ ଲାଗି ହୋଇଛି । ଯାହାକୁ ନେଇ ବଡ଼ ଚର୍ଚ୍ଚା । ଯଦି ଆପଣ କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଛନ୍ତି ତାହାଲେ ନିଶ୍ଚିତ ଭାବରେ ଏହାର ଲାଭ ଆପଣ ପାଇପାରିବେ । କଥାହେଲା, ଯେଉଁ କେନ୍ଦ୍ରୀୟ କର୍ମଚାରୀମାନେ ଅଙ୍ଗଦାନ କରିବାକୁ ଯାଉଛନ୍ତି ସେମାନେ ୪୨ ଦିନର ଛୁଟି ପାଇପାରିବେ । ଏନେଇ ନାସନାଲ ଅର୍ଗାନ୍‌ ଓ ଟିସୁ ଟ୍ରାନ୍ସପ୍ଲାଟ ଅର୍ଗାନାଇଜେସନ ଏନେଇ ସବିଶେଷ ତଥ୍ୟ ଦେଇଛି । ହେଲେ ଯେଉଁମାନେ ଘରୋଇ କ୍ଷେତ୍ରରେ କାମ କରୁଛନ୍ତି ସେମାନେ କିନ୍ତୁ ଏହି ସୁବିଧା ପାଇପାରିବେ ନାହିଁ । ଅବଶ୍ୟ ସେମାନଙ୍କ କମ୍ପାନୀର ପଲିସିରେ ଯଦି ସଂଶୋଧିତ କରାଯାଏ ତାହାଲେ ସେମାନେ ପାଇପାରନ୍ତି ।

Advertisment

କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ତାଲିମ ବିଭାଗ ପକ୍ଷରୁ ବି ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ନାସନାଲ ଅର୍ଗାନ୍‌ ଓ ଟିସୁ ଟ୍ରାନ୍ସପ୍ଲାଟ ଅର୍ଗାନାଇଜେସନର ମୁଖ୍ୟ କହିଛନ୍ତି, ପୂର୍ବରୁ ଏନେଇ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି । ଏହାସହ ଏନେଇ ୱେବସାଇଟ୍‌ରେ ବି ସମସ୍ତ ତଥ୍ୟ ଅପଲୋଡ୍‌ କରାଯାଇଥିବା ଜଣାପଡ଼ିଛି । 

କାହିଁକି ମିଳିବ ଛୁଟି

କଥା ହେଲା, ଅଙ୍ଗଦାନ କରିବା ପରେ ଡୋନର ଜଣଙ୍କ ଶାରୀରିକ କ୍ଷେତ୍ରରେ ଦୁର୍ବଳ ହୋଇ ପଡନ୍ତି । ଏନେଇ ମେଡ଼ିକାଲରେ ବି ତାଙ୍କୁ ଅନେକ ଦିନ ରହିବାକୁ ପଡ଼େ । ଏହି ସମୟରେ ଯେତିକି ଦିନ ଛୁଟି ମିଳେ ସେତିକିରେ ଡୋନର ଜଣକ ସଂପୂର୍ଣ୍ଣ ସୁସ୍ଥ ହୋଇନଥାନ୍ତି । ତେଣୁ ସଂପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ କେନ୍ଦ୍ର ସରକାର ଛୁଟି ଅବଧିକୁ ବଢାଇ ଦେଇଥିବା ସୂଚନା ମିଳିଛି । କାରଣ ଡୋନରମାନେ ଏନେଇ କେନ୍ଦ୍ର ସରକାରଙ୍କୁ ଅପିଲ କରିଥିଲେ । ଏବଂ କେନ୍ଦ୍ର ସରକାର କମିଟି ଗଠନ କରିବା ପରେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଥିବା କୁହାଯାଉଛି । 

କେନ୍ଦ୍ର ସରକାରଙ୍କ ଆଦେଶ ଅନୁସାରେ, ଯେଉଁ କେନ୍ଦ୍ରୀୟ କର୍ମଚାରୀମାନେ ଅଙ୍ଗଦାନ କରୁଛନ୍ତି ସେମାନେ ବିଭିନ୍ନ ପ୍ରକାର ସର୍ଜରୀର ସାମ୍ନା କରନ୍ତି । ତେଣୁ ଛୁଟିର ଆବଶ୍ୟକତା ରହିଛି । କୁହାଯାଉଛି କି, ୨୦୨୩ ମସିହାରୁ ଏ ନିର୍ଦ୍ଦେଶନାମା ଜାରି ହୋଇଛି । କୁହାଯାଇଛି, ସରକାରୀ ସ୍ବୀକୃତିପ୍ରାପ୍ତ ମେଡିକାଲର ଡାକ୍ତରଙ୍କ ରିପୋର୍ଟ ଆଧାରରେ ଏହି ଛୁଟି ନେଇପାରିବେ ଅଙ୍ଗଦାନକାରୀ । ଅପରେସନ୍‌ ଏବଂ ତାହାର କିଛିଦିନ ପୂର୍ବରୁ ଛୁଟି ଉପଲବ୍ଧ ହୋଇପାରିବ । 

ନାସନାଲ ଅର୍ଗାନ୍‌ ଓ ଟିସୁ ଟ୍ରାନ୍ସପ୍ଲାଟ ଅର୍ଗାନାଇଜେସନ କାମ କଣ ?

ନାସନାଲ ଅର୍ଗାନ୍‌ ଓ ଟିସୁ ଟ୍ରାନ୍ସପ୍ଲାଟ ଅର୍ଗାନାଇଜେସନ ଜାତୀୟ ସ୍ତରରେ ଅଙ୍ଗଦାନକାରୀଙ୍କ ପାଇଁ କାମ କରେ । କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରଣାଳୟ ଅଧୀନରେ ଏହି ବିଭାଗ କାମ କରୁଛି । ତେଣୁ ସ୍ବାସ୍ଥ୍ୟ ସମସ୍ୟା ପାଇଁ ମନ୍ତ୍ରଣାଳୟ ଯେଉଁ ଛୁଟି ଘୋଷଣା କରିଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଏପଟେ ଏ ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ପରେ ଘରୋଇ ସଂସ୍ଥାରେ ବି ଏହି ଆଇନ ଲାଗୁ ହେବା ନେଇ ଦାବି ଜୋର ଧରିଛି ।