କନକ ବ୍ୟୁରୋ: ବତ୍ୟା ଦାନ ଗଲା । କିନ୍ତୁ ପ୍ରଭାବରେ ଉତର ଓଡିଶାରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ବୁଢାବଳଙ୍ଗରେ ବନ୍ୟା ପରସ୍ଥିତି ସୃଷ୍ଟି ହୋଇଛି । ଭଦ୍ରକ ଓ ସୋରରେ ଅନେକ ଅଂଚଳ ଜଳମଗ୍ନ ହୋଇ ରହିଛି । ତଳିଆ ଅଂଚଳରେ ପାଣି ପଶିଯାଇଛି ବିଭିନ୍ନ ନଦୀ ଫୁଲୁଥିବାବେଳେ ବିପଦ ସଙ୍କେତ ଡେଇଁଛି କାଂଶବାଂଶ ନଦୀ ।
ହେକ୍ଟର ହେକ୍ଟର ଚାଷ ଜମିରେ ଲହଡ଼ି ମାରୁଛି ପାଣି । ଜଳବନ୍ଦୀ ହୋଇଛନ୍ତି ହଜାର ହଜାର ଲୋକ । ଦାନା ଅପେକ୍ଷା ବନ୍ୟା ଅଧିକ ସଙ୍କଟଜନକ ସ୍ଥିତି ସୃଷ୍ଟି କରିଛି । ବାତ୍ୟା ଦାନାର ପ୍ରଭାବ କେବଳ ରାଜନଗର ବ୍ଲକରେ ସୀମିତ ରହିଲା । କିନ୍ତୁ ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷା ଏବେ ଉତ୍ତର ଓଡ଼ିଶାକୁ କଲବଲ କଲାଣି । ପ୍ରବଳ ବର୍ଷା ପାଇଁ ବୁଢାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ରେମୁଣା ଓ ସଦର ବ୍ଲକର ତଳିଆ ଅଞ୍ଚଳ ଉବୁଟୁବୁ ହେଲାଣି । ବୁଢାବଳଙ୍ଗରେ ଜଳସ୍ତର ବଢିବାରୁ ବାରିପଦା ମଧୁବନରେ ମଧ୍ୟ ଘର ବୁଡିଛି, ରାସ୍ତାଘାଟରେ ଯାତାୟତ ବନ୍ଦ ହୋଇଛି। ଘରୁ ବାହାରିବା ଏକପ୍ରକାର ଠପ ହୋଇଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଛି ।
ପ୍ରବଳ ବର୍ଷା ପାଇଁ ଭଦ୍ରକ ଓ ସୋରରେ ବି ସମାନ ଅବସ୍ଥା । କାଂଶବାଂଶ ନଦୀ ଫୁଲୁଥିବାରୁ ନଈକୂଳିଆ ଲୋକଙ୍କ ମନରେ ଭୟ ପଶିଛି। ଭଦ୍ରକର ବାସୁଦେବପୁର, ସୋର, ସିମୁଳିଆ ବ୍ଲକର ଅନେକ ଗାଁ ଏବେ ଜଳମଗ୍ନ ହୋଇଛି। ବାରିପଦାରେ ଶହ ଶହ ଏକର ଚାଷ ଜମି ଏବେ ଜଳପ୍ଲାବିତ। ସୋରରେ ବନ୍ୟା ପାଣି ଅଢେଇ ବର୍ଷ ଶିଶୁର ଜୀବନ ନେଇଛି। ଅନ୍ୟପଟେ ସରକାରୀସ୍ତରରେ ବନ୍ୟାର ମୁକାବିଲା ପାଇଁ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ୟା ଭୟ ବଢୁଥିବା ବେଳେ ସର୍ବୋଚ୍ଚ ଯନ୍ତ୍ରୀ ଆଶ୍ବସ୍ତ କରି କହିଛନ୍ତି, ବିପଦ ସଂକେତ ଟପିବନି ବୁଢାବଳଙ୍ଗ ।
ବାତ୍ୟା ଦାନା ଦୁର୍ବଳ ହୋଇ ମାଡ ହେଲା। ଲୋକେ କିଛି ମାତ୍ରାରେ ଆଶ୍ବସ୍ତ ହେଲେ। କିନ୍ତୁ ବାତ୍ୟା ପରବର୍ତ୍ତୀ ବର୍ଷା ଉତ୍ତର ଓଡ଼ିଶାରେ ବିତ୍ପାତ ରଚିଛି। ବର୍ଷା ଏବେ ବି ଜାରି ରହିଥିବାରୁ ଆଗକୁ ଦୁର୍ଦ୍ଦଶା ଆହୁରି ବଢିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2024/10/26/gw7i3JCvw94M0dgKli1V.jpg)