କନକ ବ୍ୟୁରୋ : ସେମିକଣ୍ଡକ୍ଟର କ୍ଷେତ୍ରରେ ଓଡ଼ିଶା ପାଇଁ ସ୍ୱର୍ଣ୍ଣିମ ଦିନ । ପ୍ରଥମ ସେମିକଣ୍ଡକ୍ଟର ୟୁନିଟ୍‌ର ଶିଳାନ୍ୟାସ ସହ ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ ପାଲଟିଛି । ଆଗକୁ ସେମିକଣ୍ଡକ୍ଟର ଇକୋ ସିଷ୍ଟମ କ୍ଷେତ୍ରରେ ଓଡ଼ିଶା ପାଲଟିବ ଅଗ୍ରଣୀ ରାଜ୍ୟ । କେନ୍ଦ୍ରର ଏଭଳି ପ୍ରତିଶ୍ରୁତି, ଓଡ଼ିଶା ପାଇଁ ନୂଆ ଆଶା ସୃଷ୍ଟି କରିଛି ।

Advertisment

ଓଡ଼ିଶାରେ ପ୍ରଥମ ସେମିକଣ୍ଡକ୍ଟର ପ୍ରକଳ୍ପର ହୋଇଛି ଶ୍ରୀଗଣେଶ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିସି ଜରିଆରେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ପ୍ରକଳ୍ପରେ ୨ ହଜାର ୬୭ କୋଟି ଟଙ୍କାର ପୁଞ୍ଜିନିବେଶ କରିବ ସିକ୍‌ସେମ୍ ପ୍ରାଇଭେଟ୍‌ ଲିମିଟେଡ୍‌ । ୧ ହଜାର ପ୍ରତ୍ୟକ୍ଷ ଓ ୪ ହଜାର ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ପ୍ରକଳ୍ପର ଶିଳାନ୍ୟାସ ସହ ସେମିକଣ୍ଡକ୍ଟର ହବ୍ ଦିଗରେ ଆଉ ପାଦେ ଆଗକୁ ବଢିଛି ଓଡ଼ିଶା ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଉନ୍ନତ ଶିଳ୍ପର ସ୍ୱପ୍ନ ଏବେ ସାକାର ହେଉଛି । ଡବଲ ଇଞ୍ଜିନ ସରକାରରେ କେନ୍ଦ୍ର ସହଯୋଗ କରିବ, ରାଜ୍ୟ ପ୍ରସ୍ତୁତ ରହୁ । ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶା ଏବେ ପ୍ରଥମ ପସନ୍ଦର ରାଜ୍ୟ ପାଲଟିଛି । ସେମିକଣ୍ଡକ୍ଟର କ୍ଷେତ୍ରକୁ ଆଗକୁ ନେବାକୁ ଆଇଆଇଟି ଭୁବନେଶ୍ୱରରେ ନମୋ ସେମିକଣ୍ଡକ୍ଟର ଲ୍ୟାବ ପ୍ରତିଷ୍ଠା ସରିଛି ।

ଗୁଜରାଟ ପରେ ଦ୍ୱିତୀୟ ରାଜ୍ୟ ଭାବେ ଓଡିଶାରେ ସେମିକଣ୍ଡକ୍ଟର ୟୁନିଟ୍ ନିର୍ମାଣ ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ସରକାର ଯାହା କହିଥିଲେ ତାହା ପୂରା କରୁଛନ୍ତି । ହେଲେ ପୂର୍ବ ସରକାର କରୁଥିଲେ କ’ଣ ? କେବଳ ଏମଓୟୁ ଫାଇଲରେ ସୀମିତ ଥିଲା ଶିଳ୍ପ ? ପ୍ରାକୃତିକ ସମ୍ପଦରେ ସମୃଦ୍ଧ ଓଡ଼ିଶା ପଛୁଆ କାହିଁକି ? ପୂର୍ବ ସରକାରଙ୍କୁ ପ୍ରଶ୍ନ ଓ ସେମିକଣ୍ଡକ୍ଟର ୟୁନିଟ୍ ଭେଟି ପାଇଁ ଡବଲ ଇଞ୍ଜିନ ସରକାରକୁ ପ୍ରଂଶସା କରିଛନ୍ତି ମୋହନ ମାଝୀ । କେବଳ ଚିପ୍‌ ନୁହେଁ ଆଗକୁ ସିପ୍ ବା ଜାହାଜ ନିର୍ମାଣ କରିବ ଓଡ଼ିଶା । ଏନେଇ ମୁମ୍ବାଇରେ ଏମଓୟୁ କରିଛନ୍ତି ମୁଖ୍ୟମନ୍ତ୍ରୀ ।