କନକ ବ୍ୟୁରୋ : ଝିଅ ବାହାଘରରେ ହେଉ କିମ୍ବା କୌଣସି ପର୍ବପର୍ବାଣୀରେ ସୁନା ଏବଂ ରୁପା କିଣିବାକୁ ଚାହୁଥିବା ଲୋକଙ୍କ ପାଇଁ ଆସିଲା ଖୁସି ଖବର । କମିଲା ସୁନା ଆଉ ରୁପା ଦାମ । ଲଗାତାର ବଢୁଥିବା ସୁନା ଏବଂ ରୁପା ଦାମ୍ ଭିତରେ, ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ନିବେଶକଙ୍କ ଦ୍ୱାରା ଲାଭ , ପର୍ବପର୍ବାଣୀ ଚାହିଦାରେ ହ୍ରାସ , ବାଣିଜ୍ୟ ଉତ୍ତେଜନା ହ୍ରାସ ଯୋଗୁ ସୁନା ଦରରେ ବଡ଼ ହ୍ରାସ ଘଟିଛି । ଗତକାଲି ସୁନା ଏବଂ ରୁପା ମୂଲ୍ୟରେ ଅଚାନକ ବୃଦ୍ଧି ପରେ ଆଜି ବଜାରରେ ଉଭୟର ମୂଲ୍ୟ ହ୍ରାସ ପାଇଛି । ଗତକାଲି ସୁନା ପ୍ରତି ୧୦ ଗ୍ରାମ ଏକ ଲକ୍ଷ ୬୨ ହଜାର ଥିବା ବେଳେ ରୂପା ୩ ଲକ୍ଷ ଛୁଇଁଥିଲା କିନ୍ତୁ ଆଜି ଲାଭ ବୁକିଂ ଯୋଗୁଁ ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି । ଆଜି ସକାଳ ୯ ଟାରେ MCX ରେ ଏପ୍ରିଲ ଫ୍ୟୁଚର୍ସ ପାଇଁ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧ ହଜାର ଟଙ୍କାରୁ ଅଧିକ ହ୍ରାସ ପାଇଁ ପ୍ରତି ୧୦ ଗ୍ରାମ ଏକ ଲକ୍ଷ ୬୦ ହଜାରରେ ପହଞ୍ଚିଛି । ସେପଟେ ରୂପା ମୂଲ୍ୟରେ ମଧ୍ୟ ୧୩୦୦ ଟଙ୍କାର ହ୍ରାସ ଦେଖିବାକୁ ମିଳିଛି । ବର୍ତ୍ତମାନ ରୂପା ପ୍ରତି କିଲୋଗ୍ରାମ ୨,୬୩,୯୪୯ ଟଙ୍କା ରହିଛି । 

Advertisment

ଆଗକୁ ପଢ଼ନ୍ତୁ : ଭାରତର ମୂଲ୍ୟବାନ ବସ୍ତୁ ହୋଇଥିଲା ଚୋରି : ଏବେ ବ୍ରିଟେନ ମ୍ୟୁଜିୟମର ବଢ଼ାଉଛି ଶୋଭା

ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜ ଏବଂ ସରାଫା ବଜାର ଦୁଇଟି ଜାଗାରେ ସୁନା ଏବଂ ରୂପାର ଭଲ କାରବାର ଚାଲିଛି । ଗତକାଲିର କ୍ରୟ ପରେ ଆଜି ନିବେଶକମାନେ ବିକ୍ରି କରୁଛନ୍ତି । ୨୪ କ୍ୟାରେଟ୍ ସୁନାର ମୂଲ୍ୟ ବର୍ତ୍ତମାନ ୧୦ ଗ୍ରାମ ପିଛା ୧,୬୦,୬୮୮ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାକୁ ଯଦି ଦେଖିବା ତା’ହେଲେ ୧୦ ଗ୍ରାମ ପିଛା ୧,୪୭,୪୧୮ ଟଙ୍କା ରହିଛି । ଅନ୍ୟପକ୍ଷରେ ରୂପାର ମୂଲ୍ୟ ୨,୬୪,୦୧୦ ଟଙ୍କା ରହିଛି । 

ତେବେ ଗତକାଲିର ରେକର୍ଡ ଭାଙ୍ଗିବା ପରେ ପ୍ରମୁଖ ନିବେଶକମାନେ ଅଧିକ ମୂଲ୍ୟରେ ସୁନା ବିକ୍ରି କରି ଲାଭ ବୁକିଂ କରିଛନ୍ତି । ବିଶ୍ୱ ସ୍ତରରେ ଆମେରିକୀୟ ଡଲାର ମଜବୁତ ହେବା ସୁନା ମୂଲ୍ୟ ଉପରେ ଚାପ ପକାଇଛି । ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ କୂଟନୈତିକ ଆଲୋଚନାର ଖବର ବଜାର ଭୟକୁ ହ୍ରାସ କରିଛି, ଯାହା ଫଳରେ ସୁନା ଭଳି ସୁରକ୍ଷିତ ନିବେଶ ଧାତୁର ଚାହିଦାରେ ସାମାନ୍ୟ ହ୍ରାସ ଘଟିଛି । ତେବେ ବିଶ୍ୱସ୍ତରରେ ଅର୍ଥନୈତିକ ଅନିଶ୍ଚିତତା ଯୋଗୁଁ ସୁନା ଦର ଆକାଶଛୁଆଁ ହୋଇଥିଲା । ଶେୟାର ବଜାରରେ ଅସ୍ଥିରତା ଯୋଗୁଁ ଲୋକେ ସୁନା ଓ ରୂପାରେ ଅଧିକ ନିବେଶ କରିବାକୁ ପସନ୍ଦ କରିଥିଲେ । ତେବେ ଏହି ମୂଲ୍ୟଗୁଡ଼ିକରେ ଜିଏସଟି ଏବଂ ମେକିଂ ଚାର୍ଜ ଅନ୍ତର୍ଭୁକ୍ତ ନାହିଁ । ପ୍ରକୃତ ଦର ଜୁଏଲାରୀ ଦୋକାନରେ ସାମାନ୍ୟ ଭିନ୍ନ ହୋଇପାରେ ।