କନକ ବ୍ୟୁରୋ: ସୁନା ଏବଂ ରୁପା ଦର ଏବେ ରକେଟ୍ ବେଗରେ ବଢ଼ିଚାଲିଛି । ଟ୍ରମ୍ପଙ୍କ ଚାରିଫ, ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ସହ ଅନିଶ୍ଚିତତା ମଧ୍ୟରେ ସୁନାକୁ ନିବେଶର ସୁରକ୍ଷିତ ମାଧ୍ୟମ ଭାବେ ଗ୍ରହଣ କରୁଛନ୍ତି ନିବେଶକ । ଏହି ଧାତୁରେ ପ୍ରଚୁର ନିବେଶ କରୁଛନ୍ତି, ଯାହାକି ଦରବୃଦ୍ଧିର ପ୍ରମୁଖ କାରଣ ।
ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ଵରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ସୁନା ଦର ଯଥାକ୍ରମେ ୯୩୦ ଟଙ୍କା ଏବଂ ୮୫୦ ଟଙ୍କା ମହଙ୍ଗା ହୋଇଛି । ଉଭୟର ଦର ଯଥାକ୍ରମେ ୧,୦୫,୮୮୦ ଟଙ୍କା ଏବଂ ୯୭,୦୫୦ ଟଙ୍କାରେ ପହଞ୍ଚିଛି । ସୁନା ଦରରେ ଲଗାତର ବୃଦ୍ଧି ଦେଖିବାକୁ ମିଳୁଛି । ଏ ବର୍ଷ ଜାନୁଆରୀ ୧ରୁ ଏଯାଏଁ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୨୮,୦୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି ।
ଅନ୍ୟପକ୍ଷରେ, ରାଜଧାନୀ ଭୁବନେଶ୍ଵରରେ ଆଜି କିଲୋଗ୍ରାମ ପିଛା ରୁପା ଦର ୧୦୦୦ ଟଙ୍କା ବଢ଼ି ୧,୩୬,୦୦୦ ଟଙ୍କା ହୋଇଥିବା ଜଣାପଡ଼ିଛି । ଅଗଷ୍ଟ ୩୦ରେ ଏଥିରେ ୫, ୧୦୦ ଟଙ୍କା ବୃଦ୍ଧି ଘଟିଥିଲା । ଫଳରେ ଏହା ୧,୨୯,୯୦୦ ଟଙ୍କାରୁ ବଢ଼ି ୧,୩୫,୦୦୦ ଟଙ୍କା ହୋଇଯାଇଥିଲା । ଏବର୍ଷ ଆରମ୍ଭରୁ କିଲୋଗ୍ରାମ ପିଛା ରୁପା ଦର 36 ହଜାର ଟଙ୍କାରୁ ଅଧିକ ମହଙ୍ଗା ହୋଇଛି ।
କେଡିଆ ଆଉ ଭାଇଜରୀର ନିର୍ଦ୍ଦେଶକ ଅଜୟ କେଡିଆ କୁହନ୍ତି, ଆମେରିକାର ଟାରିଫ୍ ବାଣ ମଧ୍ୟରେ ଭୁ-ରାଜନୈତିକ ଅନିଶ୍ଚିତତା ଜାରି ରହିଛି । ଏହା ସୁନା ମୂଲ୍ୟକୁ ବଢ଼ାଉଛି । କାରଣ ବିଶ୍ଵ ବଜାରରେ ଅସ୍ଥିରତା ଦେଖାଦେଲେ ସୁନାରେ ନିବେଶ ବଢ଼ିଥାଏ । ଏଭଳି ସ୍ଥିତିରେ ଏ ବର୍ଷ ୧୦ ଗ୍ରାମ ପିଛା ସୁନା ଦର ୧ ଲକ୍ଷ ୮ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇପାରେ ।
ସୁନା ଦର ବଢ଼ିବାର 5ଟି ପ୍ରମୁଖ କାରଣ ରହିଛି । ଟ୍ରମ୍ପଙ୍କ ଟାରିଫ ନୀତି ଏବଂ ବାଣିଜ୍ୟ ଯୁଦ୍ଧ ଡରରେ ନିବେଶକ ସୁନାକୁ ନିରାପଦ ମନେ କରି କ୍ରୟ କରୁଛନ୍ତି । ଚୀନ, ଋଷ ଭଳି ଦେଶ ଅଧିକ ମାତ୍ରାରେ ସୁନା କିଣୁଛନ୍ତି । ଯାହା ସୁନା, ରୁପାର ଚାହିଦା ବଢ଼ାଉଛି, ଚାହିଦା ବଢ଼ିବା ସହ ଦର ବି ବଢୁଛି । ଋଷ, ୟୁକ୍ରେନ ଯୁଦ୍ଧ ଶେଷ ନହେବା କାରଣରୁ ଅସ୍ଥିରତା ମଧ୍ୟରେ ଲୋକେ ସୁନାରେ ନିବେଶ ବଢ଼ାଉଛନ୍ତି । ମୁଦ୍ରାସ୍ପୀତି ଡର ଓ ଫେଡେରାଲ ରିଜର୍ଭର କମ୍ ସୁଧ ହାର ଯୋଗୁ ସୁନା ନିବେଶର ମାଧ୍ୟମ ପାଲଟିଛି । ଏହା ମଧ୍ୟ ଦର ବୃଦ୍ଧିର ଅନ୍ୟ ଏକ ପ୍ରମୁଖ କାରଣ । ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ମଧ୍ୟ ସୁନାକୁ ମହଙ୍ଗା କରୁଥିବା ଜଣାପଡ଼ିଛି ।