କନକ ବ୍ୟୁରୋ: ଲକ୍ଷେ ଛୁଇଁଲା ସୁନା । ୧୦ ଗ୍ରାମ ସୁନା ମୂଲ୍ୟ ୯୯ ହଜାର ୮୦୦ ଟଙ୍କା ଛୁଇଁଛି । ଜିଏସଟି ମିଶିଲା ପରେ ଦର ଲକ୍ଷେ ପାର କରିଛି । ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ, ବିଶ୍ବର ଅର୍ଥନୈତିକ ଅସ୍ଥିରତା ଯୋଗୁ ସୁନା, ରୁପା ଦର ଆକାଶଛୁଆଁ ହୋଇଛି । ପ୍ରଥମ ଥର ପାଇଁ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୯୯ ହଜାର ୮୦୦ ଟଙ୍କା ଛୁଇଁଛି । ଲକ୍ଷେ ଟଙ୍କା ଛୁଇଁବାକୁ ଆଉ ମାତ୍ର ୨୦୦ ଟଙ୍କା ବାକି ଅଛି । ହେଲେ ସୁନାରେ ୩ ପ୍ରତିଶତ ଜିଏସଟି ଲାଗିବା ପରେ ଏହାର ଦର ୧ ଲକ୍ଷ ୧୬୬ ଟଙ୍କା ଛୁଇଁଛି । ଚଳିତ ବର୍ଷରେ ସୁନା ଦର ୧୦ ଗ୍ରାମ ପିଛା ୨୦ ହଜାର ୮୫୦ ଟଙ୍କା ଅର୍ଥାତ୍ ୨୬ ଦଶମିକ ୪ ପ୍ରତିଶତ ମହଙ୍ଗା ହୋଇଛି । ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୯୮ ହଜାର ୩୫୦ ଟଙ୍କା ଛୁଇଁଛି ।
ସେହିପରି ୧୦ ଗ୍ରାମ ୨୨ କ୍ୟାରେଟ ସୁନା ଦାମ ୯୦ ହଜାର ୧୫୦ ଟଙ୍କା ଛୁଇଁଛି । ବିଶ୍ବର ଦୁଇ ବୃହତ ଅର୍ଥନୀତି ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ଟ୍ରେଡ ୱାର ଯୋଗୁ ଦର ବଢୁଥିବା କୁହାଯାଉଛି । ଅର୍ଥନୈତିକ ଅସ୍ଥିରତା ଯୋଗୁ ନିବେଶକମାନେ ସୁନା ଓ ରୁପା ଉପରେ ନିବେଶ କରୁଛନ୍ତି । କାରଣ ଏହାକୁ ସୁରକ୍ଷିତ ମଣୁଛନ୍ତି ନିବେଶକ ।