କନକ ବ୍ୟୁରୋ: ସୁନା, ରୂପା କିଣିବାରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଖୁସି ଖବର। ମହଙ୍ଗା ବଜାର ଭିତରେ ଅଚାନକ ଖସିଛି ସୁନା ଦର। ଉଭୟ ୨୨ ଓ ୨୪ କ୍ୟାରେଟ ସୁନା ଦର ହ୍ରାସ ପାଇଛି। ବିବାହ ଋତୁରେ ସୁନା ଦର ଖସିଥିବାରୁ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଉଭୟ ସୁନା ଅଳଙ୍କାର ଓ ବଣ୍ଡ କିଣିବା ଆରମ୍ଭ କରିଛନ୍ତି ଗ୍ରାହକ।

Advertisment
  • ବିବାହ ଋତୁ ପୂର୍ବରୁ କମିଲା ସୁନା ଦର
  • ସୁନା କିଣିବାକୁ ଜମିଲାଣି ଦୋକାନରେ ଭିଡ଼ 

ଦିନ କେଇଟା ପୂର୍ବରୁ ସୁନା ଦର ଦେଖି ଭୟ ଲାଗୁଥିଲା। କାରଣ ସୁନା ଦର ଏତେ ବଢି ଯାଇଥିଲା ଯେ, କିଣିବା ପାଇଁ ହାତ ଯାଉନଥିଲା। ବାହାଘର ବେଳେ ଚିନ୍ତା ବଢି ଯାଉଥିଲା। କିନ୍ତୁ ଲଗାତାର ସୁନା ଦର ବୃଦ୍ଧିରେ ଏବେ ଲାଗିଛି ବ୍ରେକ। ଗୋଟିଏ ଦିନରେ ୨୨ କ୍ୟାରେଟ ସୁନା ଦରରେ ୧୦ ଗ୍ରାମ ପିଛା ପାଖାପାଖି ୧୫୦୦ ଟଙ୍କା କମିଛି। ଆଜି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ରହିଛି ୭୨୮୫୦ ଟଙ୍କା। ବିବାହ ଋତୁ ପୂର୍ବରୁ ସୁନା ଦର ହ୍ରାସ ଗ୍ରାହକଙ୍କ ପାଇଁ ଆଶ୍ବସ୍ତି ଆଣି ଦେଇଛି। ସୁନା ଦର କମିବା ପରେ ଏବେ ଦୋକାନରେ ଗ୍ରାହକଙ୍କର ଭିଡ଼ ଜମିବା ଆରମ୍ଭ ହୋଇଛି। 

କେବଳ ସୁନା ଦର ନୁହେଁ ରୂପା ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ଏବେ ରୂପା ୧୦ ଗ୍ରାମ ପିଛା ଦର ରହିଛି ୧୦୨୦ ଟଙ୍କା। କିନ୍ତୁ ହୀରା ଓ ପ୍ଲାଟିନମର ମୂଲ୍ୟ ପୂର୍ବଭଳି ଅପରିବର୍ତ୍ତିତ ରହିଛି। କହାଯାଉଛି ସୁନା ଦର କମିବା ପଛରେ ଆମେରିକା ନିର୍ବାଚନ ଫଳାଫଳ ରହିଛି। ଆମେରିକା ନିର୍ବାଚନ ଫଳାଫଳ ପାଇଁ ସେୟାର ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ସୁନା ଦର କିଛି ମାତ୍ରାରେ ହ୍ରାସ ପାଇଥିବା କହିଛନ୍ତି ଅର୍ଥନୀତି ବିଶେଷଜ୍ଞ।  ଆବଶ୍ୟକ ପଡିଲେ ଆଗକୁ ଆହୁରି ସୁନା ଦର କମିପାରେ ବୋଲି କହିଛନ୍ତି ରାଜୀବ ସାହୁ। 

ଆଗକୁ ବିବାହ ଋତୁ ଆସୁଛି । ଏହାରି ମଧ୍ୟରେ ସୁନା ମୂଲ୍ୟ ହ୍ରାସ ପାଇବା ଗ୍ରାହକଙ୍କ ପକେଟକୁ ଟିକେ ଆଶ୍ୱସ୍ତି ଆଣି ଦେଇଛି। ଖାଁ ଖାଁ ପଡୁଥିବା ସୁନା ଦୋକାନୀରେ ପୁଣିଥରେ ଭିଡ଼ ଜମିବା ଆରମ୍ଭ ହୋଇଛି।