କନକ ବ୍ୟୁରୋ :  ବିବାହ ଋତୁରେ ଆକାଶଛୁଆଁ ହେଲାଣି ସୁନା ଦର । କିଣିବା ତ ଦୂରର କଥା, ହାତ ମାରିବାକୁ ବି ଡର ଲାଗୁଛି। ହଠାତ ସୁନା ଦର ବଢ଼ିବା ପରେ ଚିନ୍ତାରେ ଗ୍ରାହକ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗତ ୧୦ ଦିନରେ ସୁନା ଦର ୪ହଜାର ଟଙ୍କାରୁ ଅଧିକ ବଢ଼ିଛି । ଗୁରୁବାର ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ୮୬ହଜାର ୨୭୦ ଟଙ୍କା ରହିଛି । ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ଦର ରହିଛି ୭୯ହଜାର ଟପିଛି। ସୁନା ଭଳି ଅନ୍ୟ ମୂଲ୍ୟବାନ ଧାତବ ପଦାର୍ଥ ରୁପା ମଧ୍ୟ ମହଙ୍ଗା ହେବାରେ ଲାଗିଛି। ଯେହେତୁ ଏବେ ବିବାହ ଋତୁ ଚାଲିଛି, ତେଣୁ ଗ୍ରାହକଙ୍କୁ ସୁନା ଦର ଖୁବ ବାଧୁଛି। ଦର ବଢ଼ୁଥିଲେ ବି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଳ୍ପ ଅଳ୍ପ ସୁନା କିଣିବାକୁ ବାଧ୍ୟ ହେଉଛନ୍ତି ।

Advertisment

କାହିଁକି ହୁ ହୁ ହୋଇ ବଢ଼ୁଛି ଦର?
ସୁନା ଦର କମିବ ନା ଆହୁରି ବଢ଼ିବ? 
ସୁନା ଦର ବଢ଼ିବା ପଛରେ ଅନେକ କାରଣ ରହିଥିଲେ ବି, ବିଶ୍ବରେ ଚାଲିଥିବା ଟ୍ରେଡ ୱାର ସୁନା ଦର ବୃଦ୍ଧିର ପମୁଖ କାରଣ ବୋଲି କୁହାଯାଉଛି। ଏହାସହ କେନ୍ଦ୍ର ସରକାରଙ୍କ ବଜେଟ୍ ଘୋଷଣା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, କାନାଡ଼ା, ମେକ୍ସିକୋ ଓ ଚୀନ ଉପରେ ଶୁଳ୍କ ଲଗାଇବା ପରଠାରୁ ଦର ବଢ଼ିଚାଲିଛି। ଏବେ ସୁନା ଦର ୮୬ହଜାର ଉପରେ ଥିବା ବେଳେ ଆଗକୁ ଦର ଲକ୍ଷେ ଟଙ୍କା ଛୁଇଁବାର ଆଶଙ୍କା ଦେଖା ଦେଇଛି।