କନକ ବ୍ୟୁରୋ: ରକେଟ୍ ଭଳି ବଢିଚାଲିଛି ସୁନା ଦର । ଦିନ କେଇଟା ଭିତରେ ଦର ଲକ୍ଷେ ପାଖାପାଖି ପହଞ୍ଚିଲାଣି । ଆଉ ଦିନ କେଇଟା ଭିତରେ ଲକ୍ଷେ ଟପି ଯିବ ବୋଲି କୁହାଯାଉଛି । ତେବେ ମୁଣ୍ଡ ଉପରେ ବାହଘର ଋତୁ ଥିବାରୁ ଚିନ୍ତାରେ ସାଧାରଣ ଗ୍ରାହକ। ଏପଟେ ବଜାର ବିଶେଷଜ୍ଞଙ୍କ ଆକଳନ ଗ୍ରାହକଙ୍କ ଚିନ୍ତାକୁ ବଢ଼ାଇ ଦେଇଛି।
୨୨ କ୍ୟାରେଟ ସୁନା ଦର ୮୯ ହଜାର ଛୁଇଁବା ପରେ ଏବେ ଦ୍ବନ୍ଦରେ ଗ୍ରାହକ । ବିଭାଘର ଋତୁରେ ସୁନା ଟିକେ ନହେଲେ, ନହୁଏ । ପକେଟ କୁ ଚାହିଁ କିଣିଲେ ଆଖିକୁ ଦେଖାଯାଉନି । ଏମିତି ଦ୍ବନ୍ଦରେ ଏବେ ସୁନା ଦୋକାନ କୁ ଆସୁଛନ୍ତି ଗ୍ରାହକ । ୧୦ ଗ୍ରାମ କିଣିବା ଜାଗାରେ ୧ ଗ୍ରାମରେ ମନ ମାରି ଘରକୁ ଫେରିବା କଥା । ପୁଣି ଆହୁରି ଦରବୃଦ୍ଧି କଥା ଶୁଣି, ନକିଣିବା ଲୋକ ମଧ୍ୟ କାନ ମୁଣ୍ଡ ଆଉଁସି ଅଳ୍ପେ ବହୁତେ ନେଉଛି । ସ୍ଥିତି ଏପରି ରହିଲେ ଆଗକୁ ୧ ଗ୍ରାମ ଗୋଲ୍ଡ ନହେଲେ ଆଦୌ ସୁନା ନକିଣିବାକୁ ମନସ୍ଥ କଲେଣି ଗ୍ରାହକ ।
ସୁନା ଦରକୁ ଦେଖିଲେ ସୁନା ଦୋକାନ ବି ଖାଁ ଖାଁ । ଅତି ଆବଶ୍ୟକ ନପଡିଲେ ଲୋକେ ଦୋକାନକୁ ଆସିବାକୁ ବି ପସନ୍ଦ କରୁନାହାନ୍ତି । ସେପଟେ ଷ୍ଟକ ମାର୍କେଟ ବିଶେଷଜ୍ଞଙ୍କ କହିବା କଥା ଆନ୍ତର୍ଜାତୀୟ ବଜାରରେ ଅସ୍ଥିରତା, ଆମେରିକା ଟାରିଫ୍ ବୃଦ୍ଧି ଏବଂ ନିବେଶକଙ୍କ ସୁନା ପ୍ରତି ଆକୃଷ୍ଟ କାରଣରୁ ଦର ବୃଦ୍ଧି ପାଉଛି । ବିଶେଷ ଭାବେ ନିବେଶକଙ୍କ ପାଇଁ ଦର ବୃଦ୍ଧି ହେଉଥିବା ହେତୁ ଦର ନିକଟ ଭବିଷ୍ୟତରେ କମିବା ସମ୍ଭାବନା କମ ରହିଥିବା କହିଛନ୍ତି ଷ୍ଟକ ମାର୍କେଟ ବିଶେଷଜ୍ଞ ।
ତେବେ ଗତ ୧୦ ଦିନ ମଧ୍ୟରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬ ହଜାର ୯୫୦ ଟଙ୍କା ବଢି ୮୯ ହଜାର ୨ ଶହ ଟଙ୍କାରେ ରହିଛି । ସେହିପରି ୨୪ କ୍ୟାରେଟ ବା ଖାଣ୍ଟି ସୁନା ଦର ୧୦ ଗ୍ରାମ ପିଛା ଗତ ୧୦ ଦିନ ଭିତରେ ୭ ହଜାର ୫୮୦ ଟଙ୍କା ବଢି ୯୭ ହଜାର ୩ ଶହ ୧୦ ଟଙ୍କା ଛୁଇଁଛି। ଏହି ଦର ଏପ୍ରିଲ ଶେଷ ସୁଦ୍ଧା ୧ ଲକ୍ଷ ୨୦ ହଜାର ଛୁଇଁବା ନେଇ ଆକଳନ କରୁଛନ୍ତି ବିଶେଷଜ୍ଞ ।