କନକବ୍ୟୁରୋ : ଗତ ତିନି ଦିନ ହେଲାଣି ସୁନା ଦର ମଧ୍ୟ ଲଗାତାର ଭାବେ ବଢ଼ୁଛି  ।  ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ବୁଧବାର ୧୭୫୦ ଟଙ୍କା ବୃଦ୍ଧି ହୋଇଥିବାରୁ ତାହାର ଦର ୧,୧୩,୬୦୦ ଟଙ୍କାରେ ପହଞ୍ଚିଛି  ।  ସେହି ସମୟରେ ୨୪ କ୍ୟାରେଟ୍‌ ସୁନା ଦର ୧୯୧୦ ଟଙ୍କା ବଢ଼ି ୧,୨୩,୯୩୦ ଟଙ୍କା ହୋଇଛି। ୧୮ କ୍ୟାରେଟ୍‌ ସୁନା ଦାମ୍ ୧୪୩୦ ଟଙ୍କା ବଢ଼ି ୯୨,୯୫୦ ଟଙ୍କା ହୋଇଛି । 

Advertisment

ଚଳିତ ସପ୍ତାହର ସୋମବାର ୨୨ କ୍ୟାରେଟ୍‌ ସୁନା ଦର ୧୨୫୦ ଟଙ୍କା, ମଙ୍ଗଳବାର ୧୧୫୦ ଟଙ୍କା ଓ ବୁଧବାର ୧୭୫୦ ଟଙ୍କା ବଢ଼ିଛି। ସେହି ସମୟରେ ୨୪ କ୍ୟାରେଟ୍ ସୁନା ଦର ଏହି ତିନି ଦିନରେ ଯଥାକ୍ରମେ ୧୩୭୦ ଟଙ୍କା, ୧୨୫୦ ଟଙ୍କା ଓ ୧୯୧୦ ଟଙ୍କା ବୃଦ୍ଧି ପାଇଛି। ତିନି ଦିନରେ ୨୨ କ୍ୟାରେଟ୍‌ ସୁନା ଦର ୪୫୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ଦାମ୍ ୪୫୩୦ ଟଙ୍କା ବଢ଼ିଛି। 

ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୪୦୦୦ ଡଲାରରୁ ଅଧିକ ହେବା ଏବଂ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହୁଥିବାରୁ ସୁନା ଓ ରୁପା ମହଙ୍ଗା ହେଉଛି। କେବଳ ଓଡ଼ିଶା ନୁହେଁ ସାରା ବିଶ୍ବରେ ସୁନା ଦର ବଢ଼ୁଛି। ୨୦୨୫ରେ ବର୍ତ୍ତମାନ ସୁଦ୍ଧା ସୁନା ମୂଲ୍ୟ ୫୬ ପ୍ରତିଶତ ଓ ରୁପା ଦରରେ ୬୯ ପ୍ରତିଶତର ବୃଦ୍ଧି ହୋଇଛି। ଗୋଟିଏ ପଟେ ନିବେଶକମାନଙ୍କ ଲାଗି ଏହି ଦୁଇ ଧାତୁ ବେଶ୍ ଆକର୍ଷଣୀୟ ହୋଇଥିବା ବେଳେ ଗହଣା ବିକ୍ରେତା ଓ ଗ୍ରାହକମାନଙ୍କ ପାଇଁ ଏହାର ଦର ଚିନ୍ତାର କାରଣ ପାଲଟିଛି। ଏଭଳି ଚଢ଼ା ଦରରେ ଗହଣା କିଣିବା ଅନେକ ଗ୍ରାହକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି।
 

ଅନ୍ୟପଟେ ରୁପା ଦର ନିଆଁ ଲାଗିବା ଭଳି ବଢ଼ିଚାଲିଛି ।  ବୁଧବାର ଭୁବନେଶ୍ବରରେ ରୁପା କେଜି ୨୯୦୦ ଟଙ୍କା ବୃଦ୍ଧି ପାଇ ୧,୭୦,୦୦୦ ଟଙ୍କା ହୋଇଛି ।  ଖୁବ୍‌ କମ୍ ସମୟ ଭିତରେ ରୁପାରେ ଏଭଳି ବଡ଼ ଧରଣର ବୃଦ୍ଧି ଘଟିଛି । କେବଳ ଚଳିତ ମାସର ପ୍ରଥମ ସପ୍ତାହରେ ରୁପା ମୂଲ୍ୟରେ ପ୍ରାୟ ୧୧ ହଜାର ଟଙ୍କାର ବୃଦ୍ଧି ହୋଇଥିବାରୁ ତାହା ଏଭଳି ଚିନ୍ତାଜନକ ସ୍ତରକୁ ବୃଦ୍ଧି ପାଇଛି ।  ଇଲେକ୍ଟ୍ରିକ୍ ଯାନଠାରୁ ଆରମ୍ଭ କରି ବିଭିନ୍ନ ଶିଳ୍ପ କାର୍ଯ୍ୟରେ ରୁପା ବ୍ୟବହାର ହେଉଥିବାରୁ ତାହାର ଚାହିଦା ବଢ଼ିବାରେ ଲାଗିଛି । ଏହା ବ୍ୟତୀତ ନିବେଶକମାନଙ୍କୁ ରିଟର୍ଣ୍ଣ ଦେବାରେ ମଧ୍ୟ ରୁପା ଆଗରେ ରହିଛି । ସେଥିପାଇଁ ବହୁ ସଂଖ୍ୟାରେ ନିବେଶକ ରୁପାରେ ନିବେଶ କରିବାକୁ ଆଗେଇ ଆସିଥିବାରୁ ତାହାର ଚାହିଦା ବଢ଼ିଛି ।