କନକ ବ୍ୟୁରୋ: ଓଡ଼ିଶାରେ ମିଳିଛି ସୁନା ଖଣିର ସନ୍ଧାନ। ଦେବଗଡ଼ ଜିଲ୍ଲାର ଗୋପୁର-ଗାଜିପୁର ଅଞ୍ଚଳରେ ମିଳିଛି ସୁନା ଖଣି। ମାଙ୍କଡ଼ଚୁଆଁ, ସଲେଇକଣା ଓ ଡ଼ିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚାଲିଛି ଚି଼ହ୍ନଟ। ମୟୁରଭଞ୍ଜ ଜିଲ୍ଲାର ଯଶିପୁର, ସୂରିଆଗୁଡା, ରୁଆଁସୀ, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନାଖଣି ଅନ୍ୱେଷଣ ଚାଲିଛି। ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ସୁନା ଖଣି ଥିବା ମଧ୍ୟ ସୂଚନା ମିଳିଛି। 

Advertisment

ଇସ୍ପାତ ଓ ଖଣି ମନ୍ତ୍ରୀଙ୍କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏକ ଅଣତାରକା ପ୍ରଶ୍ନ କରିଥିଲେ। ରାଜ୍ୟର କେଉଁ କେଉଁ ଜିଲ୍ଲାରେ କେତୋଟି ଲେଖାଏଁ ସୁନାଖଣି ଚିହ୍ନଟ କରାଯାଇଛି, ଏହାର ସ୍ଥିତି କଣ ଓ ସୁନା ଖଣିଗୁଡିକ ଉତ୍ତୋଳନ କରି ରାଜ୍ୟ ସରକାର ନିଜେ ଏକ ପ୍ରୋସେସିଂ ୟୁନିଟ୍ ଖୋଲିବାକୁ ପଦକ୍ଷେପ ଗ୍ରହଣ କରିବେ କି ବୋଲି ପ୍ରଶ୍ନ କରିଥିଲେ ତାରା ବାହିନୀପତି। ଏହାର ଉତ୍ତରରେ ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଉତ୍ତର ରଖିଛନ୍ତି।

ଦେବଗଡ ଜିଲ୍ଲାର ଆଡାସ-ରାମପାଲ୍ଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ତମ୍ବାପଥର ପାଇଁ ଅନ୍ଵେଷଣ କଲାବେଳେ ସୁନାପଥରର ସନ୍ଧାନ ମିଳିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଭୂ-ତାତ୍ତ୍ଵିକ ଆକଳନରୁ ଏହି ଅଞ୍ଚଳରେ ସୁନା ଗଚ୍ଛିତ ଥିବା ଜଣାପଡିଛି। ବର୍ତ୍ତମାନ ଏହି ଖଣିଜ ବ୍ଳକକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଉଅଛି। ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା, ରୁଆଁସି, ଇଡେଲକୁଚା, ମାରେଡ଼ିହି ଓ ସୁଲେଇପାଟ ଏବଂ ବାଦାମପାହାଡ ଅଞ୍ଚଳରେ ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଏବଂ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ସୁନାଖଣି ଅନ୍ଵେଷଣ ପାଇଁ ପ୍ରାରମ୍ଭିକ ଅନୁସନ୍ଧାନ ଜାରି ରହିଛି। ଏହାବାଦ୍ ସୁନ୍ଦରଗଡ, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ବିକ୍ଷିପ୍ତ ଭାବରେ ସୁନା ଥିବାର ସୂଚନା ରହିଛି। ଯାହାର ସବିଶେଷ ଅନୁସନ୍ଧାନ କରାଯାଇନାହିଁ। ତେବେ ସୁନା ଖଣିଗୁଡିକ ଉତ୍ତୋଳନ କରି ଏକ ପ୍ରସେସିଂ ୟୁନିଟ୍ ଖୋଲିବା ପାଇଁ ବର୍ତ୍ତମାନ ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି।