କନକ ବ୍ୟୁରୋ : ସମ୍ବଲପୁର ମଣପୁରମ୍ ଗୋଲ୍ଡ ଲୋନ୍ ଶାଖାରୁ ସୁନା ଲୁଟ୍ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଭିଜୁଆଲ । ମଣପୁରମ୍ ଗୋଲ୍ଡ ଲୋନ୍ ଶାଖା ନିକଟରେ ଲାଗିଥିବା ଏକ ସିସିଟିଭିରେ ଲୁଟେରା ମାନେ ଲୁଟ୍ କରିସାରି ଫେରାର ହେବା ବେଳର ଦୃଶ୍ୟ କଏଦ ହୋଇଛି । ଏଥିରେ ସ୍ପଷ୍ଟ ଭାବେ ଦେଖାଯାଉଛି କିପରି ଜଣେ ଲୁଟେରା ବାହାରେ ବାଇକରେ ଅପେକ୍ଷା କରିଥିବା ବେଳେ ବ୍ୟାଗ ଭର୍ତ୍ତି ସୁନା ନେଇ ଆସିଥିଲେ ଅନ୍ୟ ଲୁଟେରା । ସୁନା ଭର୍ତ୍ତି ବ୍ୟାଗ ନେଇ ୨ଜଣ ପଳାଇଥିବା ବେଳେ ଅନ୍ୟ ମାନେ ଅନ୍ୟତ୍ର ଫେରାର ହୋଇଥିଲେ। ଅଭିଯୁକ୍ତଙ୍କୁ ଧରିବାକୁ ଜିଲ୍ଲା ବାହାରେ ତଦନ୍ତ କରୁଛି ୪ଟି ସ୍ବତନ୍ତ୍ର ଟିମ୍ । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲୁଟେରାଙ୍କୁ ଖୋଜୁଛି ପୋଲିସ। ଏହାସହ ବାହାର ଜିଲ୍ଲାକୁ ଯାଇ ମଧ୍ୟ ତଦନ୍ତ କରାଯାଉଛି । ଗତକାଲି ସକାଳ ୧୦ଟା ବେଳକୁ ଅଫିସ୍ ଖୋଲିବା ସମୟରେ ମଣପୁରମ୍ ଶାଖାରେ ପଶି ଲୁଟ୍ କରିଥିଲେ ୧୦ ଦୁର୍ବୃତ୍ତ । କାର୍ୟ୍ୟାଳୟ ଖୋଲିବା ସମୟରେ ୧୦ ଜଣ ଲୁଟେରା ପଶି କର୍ମଚାରୀଙ୍କୁ ବାନ୍ଧି ନିସ୍ତୁକ ମାଡ଼ମାରି ଲୁଟ୍ କରିଥିଲେ । ପାଖାପାଖି ୩୦ କେଜି ସୁନା ଓ ନଗଦ ଟଙ୍କା ଲୁଟି ନେଇଥିଲେ ଲୁଟେରା ।