କନକ ବ୍ୟୁରୋ: ଦେଶରେ ସୁନା ବଦଳରେ ନିଆଯାଉଥିବା ଋଣ ବା ଗୋଲ୍ଡ ଲୋନର ଚାହିଦା ବୃହତ ଭାବେ ବୃଦ୍ଧି ପାଇଛି । ଯାହା ଫଳରେ ଦେଶର ଅର୍ଥନୀତିରେ ସୁନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ସୁନା ବନ୍ଧକ ରଖି ଗ୍ରାହକମାନେ ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ନେଇଛନ୍ତି । ଗତବର୍ଷ ତୁଳନାରେ ଏହି ରାଶି ୧୧୫.୨୫ ପ୍ରତିଶତ ଅଧିକ । ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ ଏହି ସୂଚନା ଦେଇଛନ୍ତି । ୨୦୨୪ରେ ସୁନା ବନ୍ଧକ ଋଣ ପରିମାଣ ୧.୧୬,୭୭୭ କୋଟି ଟଙ୍କା ଥିଲା । ୨୦୨୫ରେ ତାହା ୨,୫୧,୩୬୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
ଅନ୍ୟାନ୍ୟ ସମ୍ପତ୍ତି ତୁଳନାରେ ସୁନାର ମୂଲ୍ୟ ଅନୁସାରେ ଋଣ ଅନୁପାତ ଅଧିକ ରହୁଥିବାରୁ ସୁନା ଋଣକୁ ଗ୍ରାହକମାନେ ପ୍ରାଥମିକତା ଦେଉଥିବା ମନ୍ତ୍ରୀ କହିଛନ୍ତି । ଭାରତରେ ସୁନା ଉଭୟ ନିବେଶ ଓ ଉପଯୋଗିତା କାମ କରୁଛି। ସୁନା ମୂଲ୍ୟ ବଢ଼ିବା ଦ୍ବାରା ଦେଶରେ ପୂର୍ବରୁ ଥିବା ସୁନାର ମୂଲ୍ୟ ବଢ଼ୁଥିବାରୁ ତାହା ଲୋକମାନଙ୍କ ଉପଯୋଗିତା କ୍ଷମତା ବଢ଼ାଉଛି ବୋଲି ମନ୍ତ୍ରୀ ଶ୍ରୀ ଚୌଧୁରୀ କହିଛନ୍ତି ।
ଅନ୍ୟ ଏକ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଜୁନ୍ ୩୦ ସୁଦ୍ଧା ୬୭,୦୦୩ କୋଟି ଟଙ୍କାର ଦାବିଦାର ନଥିବା ଜମା ରାଶିକୁ ଜମାକାରୀ ଶିକ୍ଷା ଓ ସଚେତନତା ଫଣ୍ଡ୍ରେ ଜମା କରାଯାଇଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କ ୫୮,୩୩୦.୨୬ କୋଟି ଟଙ୍କା ଜମା କରିଥିବା ବେଳେ ଘରୋଇ ବ୍ୟାଙ୍କଗୁଡ଼ିକ ୮,୬୭୩.୭୨ କୋଟି ଟଙ୍କା ଜମା କରିଛନ୍ତି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସର୍ବାଧିକ ୧୯,୩୨୯.୯୨ କୋଟି ଟଙ୍କା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୬,୯୧୦.୬୭ କୋଟି ଟଙ୍କା, କାନାରା ବ୍ୟାଙ୍କ ୬୨୭୮.୧୪ କୋଟି ଟଙ୍କା ଏବଂ ଆଇସିଆଇସିଆଇ ବ୍ୟାଙ୍କ ୨,୦୬୩.୪୫ କୋଟି ଟଙ୍କା ଜମା କରାଯାଇଛି ।
୧୦ ବର୍ଷରୁ ଅଧିକ ସମୟ ଧରି ନିସ୍କ୍ରିୟ ରହିଥିବା ସଞ୍ଚୟ ଓ ଚଳନ୍ତି ଖାତାରେ ଥିବା ରାଶିକୁ ଏବଂ ମାଚ୍ୟୁରିଟି ହେବାର ୧୦ ବର୍ଷ ଭିତରେ କେହି ଦାବି କରିନଥିବା ମିଆଦୀ ଜମା ଖାତା ରାଶିକୁ ଦାବିଦାର ନଥିବା ଜମା ବର୍ଗରେ ସାମିଲ କରାଯାଉଛି । ପରବର୍ତ୍ତୀ ସମୟରେ ସେହି ଖାତାଗୁଡ଼ିକର ଜମାରାଶିକୁ ଜମାକାରୀ ଶିକ୍ଷା ଓ ସଚେତନତା ଫଣ୍ଡ୍ରେ ଜମା କରାଯାଉଛି । ସେହି ଫଣ୍ଡ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପରିଚାଳନା କରୁଛନ୍ତି । ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ସେହି ପାଣ୍ଠିରେ ଟଙ୍କା ଜମା କରିବା ଲାଗି କୌଣସି ନିୟମ ନାହିଁ ।
ଏହି ପରିସଂଖ୍ୟାନରୁ ସ୍ପଷ୍ଟ ହେଉଛି ଯେ ଦେଶର ଅର୍ଥନୀତିରେ ସୁନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଏବଂ ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କ ପାଇଁ ଏହା ଏକ ପ୍ରମୁଖ ଆର୍ଥିକ ସହାୟତା ଭାବେ ଉଭା ହୋଇଛି। ଏହାକୁ ଅନେକେ "ଭାରତ ଧନୀ ହେଉଛି"ର ସୂଚକ ଭାବେ ମଧ୍ୟ ଦେଖୁଛନ୍ତି।