କନକ ବ୍ୟୁରୋ: ବାବା ଆଖଣ୍ଡଳମଣି ମନ୍ଦିରର ସେବାୟତଙ୍କ ଘରୁ ମିଳିଥିବା ବିରଳ ମୂର୍ତ୍ତିକୁ ନେଇ ଚର୍ଚ୍ଚା । ମାଟିତଳୁ ମିଳିଥିବା ଏହି ବିରଳ ମୂର୍ତ୍ତି ପ୍ରକୃତରେ ସୁନା ନା ଅନ୍ୟ ଧାତୁରେ ତିଆରି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ମୂର୍ତ୍ତି ବାବା ଆଖଣ୍ଡଳମଣିଙ୍କର ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ମୂର୍ତ୍ତିକୁ ଉଦ୍ଧାର କରିଥିବା ଭୂତତ୍ତ୍ୱ ଦେବାଚାର୍ଯ୍ୟ । ସେପଟେ ଏହାକୁ ଅସ୍ୱୀକାର କରିଛନ୍ତି ମନ୍ଦିରର ସେବାୟତ ।
ଆରଡ଼ିର ବାବା ଆଖଣ୍ଡଳମଣି ମନ୍ଦିରର ସେବାୟତଙ୍କ ଘରୁ ମିଳିଥିବା ଏହି ବିରଳ ମୂର୍ତ୍ତିକୁ ନେଇ ସବୁଠି ଚର୍ଚ୍ଚା । ଆଖିକୁ ଚକାଚକ ଦେଖାଯାଉଥିବା ଏହି ମୂର୍ତ୍ତି କେଉଁ ଧାତୁରେ ତିଆରି, ତାହା ସ୍ପଷ୍ଟ ହୋଇନଥିଲେ ବି ଏଥିରେ ସୁନାର ଧାତୁ ମିଶିଥିବା କୁହାଯାଉଛି । ଖବରକୁ ଲୋକଲୋଚନକୁ ନଆଣି, ଏହାକୁ ଚପାଇ ଦେବା ପାଇଁ ପ୍ରୟାସ କରାଯାଉଥିବା ଅଭିଯୋଗ ହୋଇଛି । ସେପଟେ ମୂର୍ତ୍ତି ସମ୍ପର୍କରେ ମୁହଁ ଖୋଲିଛନ୍ତି ଏହାକୁ ଉଦ୍ଧାର କରିଥିବା ପଣ୍ଡିତ ନରୋତ୍ତମ ମିଶ୍ର ।
ଆଖଣ୍ଡଳମଣି ମନ୍ଦିର ନିକଟରେ ରହୁଥିବା ସେବାୟତ ରବିନାରାୟଣ ମିଶ୍ରଙ୍କ ଘରେ ଅଲୌକିକ ଘଟଣା ସମ୍ପର୍କରେ ଦେବାଚାର୍ଯ୍ୟ ଭୂତତ୍ତ୍ୱ ପଣ୍ଡିତ ନରୋତ୍ତମ ମିଶ୍ରଙ୍କୁ ଜଣାଇଥିଲେ । ତାଙ୍କ ନିର୍ଦ୍ଦେଶରେ ସେବାୟତଙ୍କ ଘରେ ପୂଜାପାଠ, ହୋମଯଜ୍ଞ କରାଯାଇଥିଲା । ଘର ଭିତରେ ୬ଫୁଟ ଲମ୍ବ ଓ ୬ଫୁଟ ଓସାର ବିଶିଷ୍ଟ ୧୫ଫୁଟ ଗଭୀରର ଏକ ଗର୍ତ୍ତ ଖୋଳିବା ପରେ ଏକ ପିତଳ ହଣ୍ଡା ମିଳିଥିଲା । ହଣ୍ଡାରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ସହ ଶିବ, ପାର୍ବତୀ, ଗଣେଶ, କାର୍ତ୍ତିକ, ବୃଷଭ ଆଦି ବିରଳ ମୂର୍ତ୍ତି ଉଦ୍ଧାର କରାଯାଇଛି । ଉଦ୍ଧାର ଅଳଙ୍କାର ଓ ମୂର୍ତ୍ତି, ବାବା ଆଖଣ୍ଡଳମଣିଙ୍କ ସମ୍ପତ୍ତି ବୋଲି ଦାବି କରିଛନ୍ତି ଦେବାଚାର୍ଯ୍ୟ ଭୁତତ୍ତ୍ୱ । ଅନ୍ୟପଟେ ଏହାକୁ ପିତ୍ତଳ ବୋଲି କହିଛନ୍ତି ସେବାୟତ । ସେପଟେ ଗବେଷକ କହିଛନ୍ତି, ଏଭଳି ବିରଳ ମୂର୍ତ୍ତି ମିଳିବା କିଛି ନୂଆ ନୁହେଁ । ଅନେକ ସ୍ଥାନରେ ଏଭଳି ମୂର୍ତ୍ତି ଲୁଚି ରହିଛି, ଯାହାର ରକ୍ଷଣାବେକ୍ଷଣ କରିବା ଦରକାର । ସେପଟେ ପ୍ରଶାସନ ହସ୍ତକ୍ଷେପ ଦ୍ୱାରା ପ୍ରକୃତ ସତ ପଦାକୁ ଆସିବ ବୋଲି କୁହାଯାଉଛି ।