କନକ ବ୍ୟୁରୋ : ଟିଟିଲାଗଡ଼ ପୂର୍ତ୍ତ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲେଶ୍ବର ମାଝୀଙ୍କ ଘରୁ ବିଡ଼ା ବିଡ଼ା ଟଙ୍କା ମିଳିଛି । ସମ୍ବଲପୁର ଘରେ ଚଢାଉ ବେଳେ ମିଳିଛି ସିକ୍ରେଟ୍ ଚାମ୍ବର । ଯାହା ଭିତରୁ ଜବତ ହୋଇଛି ନଗଦ ୬ ଲକ୍ଷ ଟଙ୍କା ସହ ୩୦୦ ଗ୍ରାମ୍ ସୁନା । ଶୋଇବା ଖଟରେ ଲୁଚାଇ ରଖିଥିଲେ । ସମ୍ବଲପୁର ସରଲାସ୍ଥିତ ଘରେ ଏହି ଚାମ୍ବର ଥିଲା, ଯେଉଁଠି ରହୁଥିଲେ ତାଙ୍କ ସ୍ତ୍ରୀ । ରେଡ୍ ବେଳେ ୨୦ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ ଥିବା ଜାଣିବାକୁ ପାଇଛନ୍ତି ଭିଜିଲାନ୍ସ ଅଧିକାରୀ । ୧୭ ଜଣିଆ ଟିମ୍ ସମ୍ବଲପୁର ଚଢାଉରେ ସାମିଲ ହୋଇଥିବାବେଳେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦିଲେଶ୍ବର ମାଝୀଙ୍କର ଏକକାଳୀନ ୬ଟି ସ୍ଥାନରେ ରେଡ୍ କରାଯାଇଛି। ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ଚଢାଉ ହେଉଛି। ସମ୍ବଲପୁର ଟାଉନ୍ରେ ଥିବା କୋଠା, ଝାରସୁଗୁଡ଼ା ବ୍ରଜରାଜନଗରରେ ଥିବା ଦୁଇ ମହଲା କୋଠା, ବ୍ରଜରାଜନଗର ନୂଆଡିହିରେ ଥିବା ମାର୍କେଟ୍ କମ୍ପ୍ଲେକ୍ସ, ଝାରସୁଗୁଡ଼ାରେ ଥିବା ୨ଟି ହାଉସିଂ ବୋର୍ଡ ଘରେ ଚଢାଉ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ଏହା ସହ କୋରାପୁଟ କଣ୍ଟାବାଞ୍ଜିରେ ଥିବା ଅଫିସ୍ ଓ ସରକାରୀ ବାସଭବନରେ ଭିଜିଲାନ୍ସ ଟିମ୍ ପହଞ୍ଚି ଛାନ୍ଭିନ୍ ଚଳାଇଛନ୍ତି ।