କନକ ବ୍ୟୁରୋ: ଆଦିଶକ୍ତି ଦେବୀ ଦୁର୍ଗାଙ୍କ ନବରାତ୍ର ପ୍ରତିବର୍ଷ ଆଶ୍ୱିନ ମାସର ଶୁକ୍ଲ ପକ୍ଷରୁ ଆରମ୍ଭ ହୋଇଥାଏ । ନବରାତ୍ରରେ ମା’ଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ଶାରଦୀୟ ନବରାତ୍ର ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଛି । ତେବେ ଆଜି ହେଉଛି ନବରାତ୍ର ର ତୃତୀୟ ଦିନ ଏବଂ ଶକ୍ତିମୟୀ ମା ଆଜି ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଛନ୍ତି । ନବରାତ୍ରରେ ମା ଦୁର୍ଗାଙ୍କର ନଅଟି ରୂପକୁ ପୂଜା କରାଯାଏ । ଏହି ୯ ଦିନରେ ମାତା ଦୁର୍ଗା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁସ୍ମଣ୍ଡା, ସ୍କନ୍ଦମାତା, କତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ ରୂପରେ ପୂଜା ପାଇଥାନ୍ତି । ତେବେ ଏହି ସବୁ ରୂପ ଗୁଡିକ କଣ ଜାଣନ୍ତୁ।
ଶୈଳପୁତ୍ରୀ: ନବରାତ୍ରର ପ୍ରଥମ ଦିନରେ ମା ଦୁର୍ଗାଙ୍କ ଶୈଳପୁତ୍ରୀ ରୂପ ପୂଜା କରାଯାଏ । କିମ୍ବଦନ୍ତୀ କୁହେ ପର୍ବତରାଜ ହିମାଳୟ କୋଳରେ ଜନ୍ମ ନେଇଥିବାରୁ ତାଙ୍କୁ ଶୈଳପୁତ୍ରୀ କୁହାଯାଏ,ଏହି ଦିନ ମା ଙ୍କ ଡାହାଣ ହାତରେ ତ୍ରିଶୁଳ ଏବଂ ବାମ ହାତରେ ପଦ୍ମ ରହିଥାଏ ।
ବ୍ରହ୍ମଚାରିଣୀ: ଦ୍ୱିତୀୟ ଦିନରେ ଶକ୍ତିମୟୀ ମାଙ୍କୁ ବ୍ରହ୍ମଚାରିଣୀ ବେଶରେ ପୂଜା କରାଯାଏ । ମାତା ବ୍ରହ୍ମଚାରିଣୀଙ୍କ ଗୋଟିଏ ହାତରେ ପଦ୍ମ ଓ ଅନ୍ୟ ହାତରେ କମଣ୍ଡଳ ଧରିଥାନ୍ତି । ମାଙ୍କର ଏହି ସ୍ୱରୂପକୁ ପୂଜା କଲେ ସର୍ବତ୍ର ବିଜୟ ପ୍ରାପ୍ତ ହୁଏ ବୋଲି ହିନ୍ଦୁ ଶାସ୍ତ୍ରରେ ବିଶ୍ୱାସ ରହିଛି ।
ଦେବୀ ଚନ୍ଦ୍ରଘଣ୍ଟା: ନବରାତ୍ରର ତୃତୀୟ ଦିନରେ ମାଙ୍କୁ ବାଘ ଉପରେ ବିରାଜମାନ ଚନ୍ଦ୍ରଘଣ୍ଟା ରୂପରେ ପୂଜା କରାଯାଏ। ଏହି ରୂପରେ ମାଙ୍କ ଦଶଭୁଜାରେ ବିଭିନ୍ନ ଶସ୍ତ୍ର ସହ ମସ୍ତକରେ ଅର୍ଦ୍ଧଚନ୍ଦ୍ର ବିରାଜମାନ ହୋଇଥାଏ ।
ମାତା କୁସ୍ମଣ୍ଡା: ଚତୁର୍ଥ ଦିନରେ ଜଗତଜନନୀ ମା କୁସ୍ମଣ୍ଡା ରୂପରେ ପୂଜା ପାଆନ୍ତି। ଏହି ରୂପର ବାହନ ଭାବେ ସିଂହ ରହିଥାଏ । ସେଥିପାଇଁ ମାଙ୍କର ଏହି ରୂପ ଆଦି ଶକ୍ତିର ପ୍ରତୀକ ।
ଦେବୀ ସ୍କନ୍ଦମାତା: ନବରାତ୍ରର ପଞ୍ଚମ ଦିନରେ ଦେବୀଙ୍କୁ ସ୍କନ୍ଦମାତା ରୂପରେ ପୂଜା କରାଯାଏ। ଏହି ରୂପରେ ମା ତାଙ୍କ ପୁତ୍ର କାର୍ତ୍ତିକେୟଙ୍କୁ କୋଳରେ ଧରିଥାନ୍ତି ଏବଂ ପଦ୍ମ ଉପରେ ବିରାଜମାନ କରିଥାନ୍ତି.
ମାତା କାତ୍ୟାୟନୀ: ନବରାତ୍ରୀର ଷଷ୍ଠ ଦିନରେ ମାତା କାତ୍ୟାୟନୀଙ୍କ ରୂପ ପୂଜା କରାଯାଏ । ମୁନୀଋଷିଙ୍କ କାର୍ୟ୍ୟ ସିଦ୍ଧି କରିବା ପାଇଁ ମହର୍ଷି କାଥ୍ୟନାଙ୍କ ଆଶ୍ରମରେ ମା ପ୍ରକଟ ହୋଇଥିବା ଯୋଗୁ ତାଙ୍କ ନାମ କାତ୍ୟାୟନୀ ରଖାଯାଇଛି ।ଏହି ରୂପରେ ତାଙ୍କ ହାତ ଅଭୟ ମୁଦ୍ରା, ବର ମୁଦ୍ରା, ଖଡ୍ଗ ଏବଂ ପଦ୍ମ ଫୁଲ ରହିଥାଏ ।
ମାତା କାଳରାତ୍ରୀ: ନବରାତ୍ରିର ସପ୍ତମ ଦିନରେ ଦେବୀ ଦୁର୍ଗା କାଳରାତ୍ରୀ ରୂପରେ ପୂଜା ପଇଥାନ୍ତି । ମାଙ୍କର ଏହି ରୂପ ଅତ୍ୟନ୍ତ ଭୟଙ୍କର ହୋଇଥାଏ,ଆସୁରିକ ଶକ୍ତିର ବିନାଶ କରିବା ପାଇଁ ମା ଏହି ରୂପ ଧାରଣ କରିଥାନ୍ତି ।
ମାତା ମହାଗୌରୀ: ନବରାତ୍ରୀର ଅଷ୍ଟମ ଦିନରେ ମାଙ୍କ ମହାଗୌରୀ ରୂପକୁ ପୂଜା କରାଯାଏ। ଏହି ରୂପରେ ମାତା ବଳଦ ଉପରେ ବିରଜମାନ ହୋଇଥାନ୍ତି । ମାତା ମହାଗୌରୀ ଅଭୟ ମୁଦ୍ରା, ତ୍ରିଶୁଳ, ଡମ୍ବରୁ ଧାରଣ କରିଥାନ୍ତି ।
ମାତା ସିଦ୍ଧିଦାତ୍ରୀ: ନବରାତ୍ରର ନବମ ତଥା ଶେଷ ଦିନରେ ମାତା ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ। ମାତା ସିଦ୍ଧିଦାତ୍ରୀ ହେଉଛନ୍ତି ମା ସରସ୍ବତୀ ଙ୍କ ସ୍ୱରୂପ,ନବରାତ୍ରରେ ମାଙ୍କ ଏହି ରୂପକୁ ପୂଜା କଲେ ସିଦ୍ଧି ପ୍ରାପ୍ତ ହୋଇଥାଏ । ଏହି ବେଶରେ ମାତାଙ୍କର ୧୦ଟି ବାହୁ ରହିଥିବା ବେଳେ ପଦ୍ମ, ଚକ୍ର, ଗଦା ଏବଂ ଶଙ୍ଖ ଧରିଥାନ୍ତି । ଦେବୀ ସିଦ୍ଧିଦାତ୍ରୀ ସିଂହ ଉପରେ ଆରୋହଣ କରନ୍ତି।