କନକ ବ୍ୟୁରୋ : ହାତରେ ଆଉ ଦିନ କେଇଟା । ଧରାବତରଣ କରିବେ ମାଆ ଦୁର୍ଗା । ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ସହ ତୋରଣ କାମ ବି ଆଗେଇ ଚାଲିଛି । ସତେ ଯେମିତି ପୂଜା ମଣ୍ଡପଗୁଡ଼ିକରେ ଲାଗିଛି ଅଘୋଷିତ ପ୍ରତିଯୋଗିତା । ରାଜଧାନୀ ଭୁବନେଶ୍ବରରେ ସଜେଇ ହେଲାଣି ପୂଜା ମଣ୍ଡପ । ତୋରଣ ସାଙ୍ଗକୁ ଚାଲିଛି ସାଜସଜ୍ଜା କାମ । ଏପଟେ ମାଆଙ୍କ ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି ଶିଳ୍ପୀ । ରସୁଲଗଡ଼ ପୂଜା ମଣ୍ଡପରେ ଏଥର ଦେଖିବାକୁ ମିଳିବ ପାହାଡ଼ ଗୁମ୍ଫାରେ ଦେବୀ ମନ୍ଦିର । ୮୫ ଫୁଟ୍ ଉଚ୍ଚ ଓ ୧୨୦ ଫୁଟ୍ ଚଉଡ଼ା ବିଶିଷ୍ଟ ତୋରଣ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି ।
ଏପଟେ ନୟାପଲ୍ଲୀ ପୂଜା ମଣ୍ଡପରେ ଏଥର ଦେଖିବାକୁ ମିଳିବ କେରଳ କୁଚିପୁଡ଼ି ନୃତ୍ୟ କଳାକୃତି । ତୋରଣ ଭିତର ଓ ବାହାରେ ଭଳିକି ଭଳି ନୃତ୍ୟଭଙ୍ଗୀର ଝଲକ । ସେହିପରି ୨୬ ବର୍ଷରେ ପଦାର୍ପଣ କରିଥିବା ବରମୁଣ୍ଡାରେ ଏଥର କାଳ୍ପନିକ ତୋରଣ ସାଜସଜ୍ଜାରେ ଦେବୀଙ୍କ ଆବାହନ କରାଯିବ । ଏଥର ଦୁର୍ଗାପୂଜା ଉପଲକ୍ଷେ ପ୍ରାଚୀନ ଦୁର୍ଗା ମେଢ଼କୁ ଆର୍ଥିକ ଅନୁଦାନ ଦେବେ ସରକାର । ଐତିହ୍ୟ ସମ୍ପନ୍ନ ମେଢ଼ ଶହେ ବର୍ଷରୁ ଅଧିକ ପୁରୁଣା ହୋଇଥିଲେ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇବେ । ୭୫ ବର୍ଷରୁ ଅଧିକ ପୁରୁଣା ମେଢ଼କୁ ୭୫ ହଜାର ଟଙ୍କା ଓ ୫୦ ବର୍ଷରୁ ପୁରୁଣା ମେଢ଼ ୫୦ ହଜାର ଟଙ୍କାର ମିଳିବ ।