କନକବ୍ୟୁରୋ : ପ୍ରଥମ ଛଅଦିନର ଉପାସ୍ୟା- ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା ଓ କାତ୍ୟାୟନୀଙ୍କ ପରେ, ‘ନବରାତ୍ରି’ର ଶେଷ ତିନିଦିନର ଉପାସ୍ୟା ଯଥାକ୍ରମେ- କାଳରାତ୍ରି, ମହାଗୌରୀ ଓ ସିଦ୍ଧିଦାତ୍ରୀ। ଏହି ନଅରୂପ ହେଉଛନ୍ତି- ‘ନବଦୁର୍ଗା’ ।
କାଳରାତ୍ରି:‘କାଳରାତ୍ରି’ ମା’ ଦୁର୍ଗାଙ୍କର ସପ୍ତମ ଶକ୍ତି। ତାଙ୍କର ଶରୀରର ବର୍ଣ୍ଣ ନିରନ୍ଧ୍ର ଅନ୍ଧକାର ପରି କଳା । ମସ୍ତକର କେଶ ଆଲୁଳାୟିତ । ଗଳାରେ ବିଦ୍ୟୁତ୍ ପରି ଦୀପ୍ତ ମାଳା। ସେ ତ୍ରିନେତ୍ରା ଏବଂ ସେହି ନେତ୍ରତ୍ରୟ ବ୍ରହ୍ମାଣ୍ଡ ପରି ବର୍ତ୍ତୁଳ । ତାଙ୍କର ନାସିକାର ଶ୍ବାସ ପ୍ରଶ୍ବାସରେ ବହ୍ନିଶିଖା ଦୃଶ୍ୟମାନ ହୁଏ । ଦେବୀ ଗର୍ଦ୍ଦଭବାହନା ଓ ଚତୁର୍ଭୁଜା । ତାଙ୍କର ଦକ୍ଷିଣ ଦୁଇ ଭୁଜରେ ଅଭୟ ଓ ବରଦମୁଦ୍ରା ଏବଂ ବାମ ଦୁଇ ଭୁଜରେ ଲୌହକଣ୍ଟକ ଓ ଖଡ୍ଗ ପରିଲକ୍ଷିତ ହୁଏ। ମାତ୍ର ରୂପ ଭୟଙ୍କର ହେଲେ ମଧ୍ୟ, ଏହି ଦେବୀ ଦୁଷ୍ଟବିନାଶିନୀ ଓ ମଙ୍ଗଳଦାତ୍ରୀ। ତେଣୁ ତାଙ୍କର ଅନ୍ୟନାମ ‘ଶୁଭଙ୍କରୀ’ ।
‘କାଳରାତ୍ରି’ ନବରାତ୍ରିର ସପ୍ତମଦିନର ଉପାସ୍ୟା। ଏହିଦିନ ସାଧକଙ୍କର ମନ ସହସ୍ରାରଚକ୍ରରେ ଅବସ୍ଥାନ କରେ । ଦେବୀଙ୍କର ସାକ୍ଷାତ ସାଧକଙ୍କୁ ମହାପୁଣ୍ୟ ପ୍ରଦାନ କରେ। ତାଙ୍କର ସମସ୍ତ ପାପ ଓ ବାଧାବିଘ୍ନର ବିନାଶ ଘଟି ସେ ଅକ୍ଷୟ ପୁଣ୍ୟର ଅଧିକାରୀ ହୁଅନ୍ତି ।
ମହାଗୌରୀ:‘ମହାଗୌରୀ’ ମା’ ଦୁର୍ଗାଙ୍କର ଅଷ୍ଟମ ଶକ୍ତି। ଶରୀରର ବର୍ଣ୍ଣ ଗୌର ହେତୁ ତାଙ୍କର ନାମ ‘ମହାଗୌରୀ’ । ଶଙ୍ଖ, ଚନ୍ଦ୍ର ଓ କୁନ୍ଦପୁଷ୍ପ ସହିତ ତାଙ୍କର ଶରୀରର ବର୍ଣ୍ଣର ତୁଳନା କରାଯାଏ । ଶାସ୍ତ୍ରୋକ୍ତି ଅଛି- “ଅଷ୍ଟବର୍ଷା ଭବେଦ୍ ଗୌରୀ ” ଅର୍ଥାତ୍- ତାଙ୍କୁ ଆଠବର୍ଷ ବୟସ ବୋଲି ମନେକରାଯାଏ । ଦେବୀ ଶ୍ବେତବସନା ଏବଂ ଶ୍ବେତବୃଷଭ ବାହନା। ଚତୁର୍ଭୁଜା ଏହି ଦେବୀଙ୍କର ଦକ୍ଷିଣ ଦୁଇଭୁଜରେ ଅଭୟ ମୁଦ୍ରା ଓ ତ୍ରିଶୂଳ ଏବଂ ବାମ ଦୁଇଭୁଜରେ ବରଦମୁଦ୍ରା ଓ ଡମ୍ବରୁ ଶୋଭାପାଏ ।
ଭାବଭଙ୍ଗୀେର ଏହି ଦେବୀ ଶାନ୍ତା। ‘ମହାଗୌରୀ’ ନବରାତ୍ରିର ଅଷ୍ଟମ ଦିନର ଉପାସ୍ୟା। ତାଙ୍କର ଶକ୍ତି ଅମୋଘ ଓ ଫଳପ୍ରଦ । ତାଙ୍କର ଉପାସନା ଭକ୍ତ ଓ ସାଧକଙ୍କର ସକଳ କଳୁଷ ନାଶ କରେ। ଭବିଷ୍ୟତରେ ମଧ୍ୟ ଭକ୍ତ ଓ ସାଧକଙ୍କର କୌଣସି ପାପ, ସନ୍ତାପ, ଦୁଃଖ, ଦୈନ୍ୟ ରହେନାହିଁ । ସେ ସର୍ବତୋଭାବେ ପବିତ୍ର ଓ ଅକ୍ଷୟ ପୁଣ୍ୟର ଅଧିକାରୀ ହୁଅନ୍ତି। ଦେବୀଙ୍କର କୃପା ଫଳରେ ଅଲୌକିକ ସିଦ୍ଧି ଲାଭ ହୁଏ ।
ସିଦ୍ଧିଦାତ୍ରୀ:‘ସିଦ୍ଧିଦାତ୍ରୀ’ ମା’ ଦୁର୍ଗାଙ୍କର ନବମ ଶକ୍ତି। ‘ମାର୍କଣ୍ଡେୟ ପୁରାଣ’ରେ ଯେଉଁ ‘ଅଷ୍ଟସିଦ୍ଧି’ର ବର୍ଣ୍ଣନା ଅଛି, ତାହା ହେଉଛି- ଅଣିମା, ମହିମା, ଗରିମା, ଲଘିମା, ପ୍ରାପ୍ତି, ପ୍ରକାମ୍ୟ, ଈଶିତ୍ବ ଓ ବଶିତ୍ବ। ତେବେ ‘ବ୍ରହ୍ମବୈବର୍ତ୍ତ ପୁରାଣ’ରେ ଏହି ସିଦ୍ଧିର ସଂଖ୍ୟା ୧୮ ବୋଲି ବର୍ଣ୍ଣିତ ଅଛି। ଏହି ସକଳ ସିଦ୍ଧିର ଅଧିକର୍ତ୍ତ୍ରୀ ଓ ଦାତ୍ରୀ, ଦେବୀ ‘ସିଦ୍ଧିଦାତ୍ରୀ’ ।
‘ଦେବୀପୁରାଣ’ ଅନୁସାରେ, ଭଗବାନ ଶିବ ଏହାଙ୍କର କୃପାରେ ହିଁ ସକଳ ସିଦ୍ଧିପ୍ରାପ୍ତ ହୁଅନ୍ତି । ଦେବୀଙ୍କର ଅନୁକମ୍ପା ଫଳରେ ଶିବଙ୍କର ଅର୍ଦ୍ଧାଙ୍ଗ ଦେବୀଙ୍କର ହୋଇଥିଲା ଏବଂ ଶିବ ‘ଅର୍ଦ୍ଧନାରୀଶ୍ବର’ ଭାବରେ ପ୍ରସିଦ୍ଧ ହୋଇଥିଲେ ।
ଏହି ଦେବୀ ‘ନବରାତ୍ରି’ର ନବମ ତଥା ଶେଷଦିନର ଉପାସ୍ୟା। ସେ ଉଭୟ ସିଂହବାହନା ଓ ପଦ୍ମାସନା ରୂପରେ ପରିଲକ୍ଷିତ ହୁଅନ୍ତି। ଏହି ଦେବୀ ଚତୁର୍ଭୁଜା । ତାଙ୍କର ଦକ୍ଷିଣ ଦୁଇ ହସ୍ତରେ ଚକ୍ର ଓ ଗଦା ଏବଂ ବାମ ଦୁଇ ହସ୍ତରେ ଶଙ୍ଖ ଓ ପଦ୍ମ ଶୋଭାପାଏ । ତାହାଙ୍କର ପୂଜା କଲେ ଭକ୍ତ ଓ ସାଧକ ସିଦ୍ଧିର ଅଧିକାରୀ ହୁଅନ୍ତି । ସଂସାରର କିଛି ବି ତାଙ୍କପାଇଁ ଅଗମ୍ୟ ହୋଇ ରହେନାହିଁ। ସେ ବ୍ରହ୍ମାଣ୍ଡ ବିଜୟର କ୍ଷମତାଲାଭ କରନ୍ତି । ଏହିପରି ଭାବରେ, ନବରାତ୍ରିରେ ନବଦୁର୍ଗାଙ୍କର ଉପାସନା ଭକ୍ତ ଓ ସାଧକଙ୍କୁ କୃତାର୍ଥ କରିଥାଏ ।