କନକ ବ୍ୟୁରୋ: ଭୁବନେଶ୍ୱରରେ କଳକୀ ଅବତାର ନାଁରେ ପୁଅକୁ ଭଗବାନ ବେଶରେ ସଜାଇ, ପାଦ ତଳେ ତୁଳସୀ ରଖି ପୂଜା କରିବା ବାବା କାଶୀନାଥଙ୍କ ପାଇଁ ଅଡୁଆ ବଢ଼ାଇଛି । କାଶୀନାଥଙ୍କ ଖଣ୍ଡଗିରି ସ୍ଥିତ ଆଶ୍ରମରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ସମର୍ଥକ ଓ ସ୍ଥାନୀୟ ଯୁବକ ମୁହାଁମୁହିଁ ହୋଇଛନ୍ତି। ସ୍ଥିତି ବିଗୁଡୁଥିବାବେଳେ ଆଶ୍ରମରେ ପୋଲିସ ପହଁଚିଛି । ବେଆଇନ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଳାପାଳ କହିଛନ୍ତି । ଅନ୍ୟପଟେ ଶିଶୁ ଆୟୋଗ ପକ୍ଷରୁ ନିଜ ଆଡୁ ମାମଲା ରୁଜୁ ହୋଇଛି ।
ଭୁବନେଶ୍ୱର ଖଣ୍ଡଗିରି ବାରୀ ସ୍ଥିତ ବୈକୁଣ୍ଠ ଧାମର ବାବା କାଶୀନାଥ, ଭଗବାନ ନଁରେ ପ୍ରବଚନ ଦେଉଥିଲେ । ଭିନ୍ନ ଭିନ୍ନ ଭାଷାରେ ରାଜ୍ୟ ଓ ରାଜ୍ୟ ବାହାରେ ଭଗବତ କଥା ପ୍ରଚାର କରୁଥିଲେ । ମାଳିକା କହି ଲୋକଙ୍କ ମନ ଜିଣୁଥିଲେ । କିନ୍ତୁ ନିଜର ପୁଅକୁ ଭଗବାନଙ୍କ ଅବତାର କଳକୀ ବୋଲି କହି ତାଙ୍କ ପାଦ ତଳେ ତୁଳସୀ ରଖି ପୂଜା କରିବା କାଶୀନାଥଙ୍କ ପାଇଁ ଅଡୁଆ ଡାକି ଆଣିଛି । ଏଭଳି କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ହେବା ପରେ ଉତେଜନା ବଢ଼ିଛି । ଖଣ୍ଡଗିରି ସ୍ଥିତ ଆଶ୍ରମରେ ଉତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଯୁବକମାନେ ବାବାଙ୍କ ଏଭଳି କାର୍ୟ୍ୟକୁ ବିରୋଧ କରି ହୋହାଲ୍ଲା କରିଛନ୍ତି । ଆଶ୍ରମ ଭିତରକୁ କିଛି ଯୁବକ ଧସେଇ ପଶିବାରୁ ବାବାଙ୍କ ସମର୍ଥକଙ୍କ ସହ ମୁହାଁମୁହିଁ ହୋଇଛନ୍ତି ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଆଶ୍ରକୁ ସ୍ଥାନୀୟ ଲୋକଙ୍କୁ ଅନୁମତି ମିଳେନି । କେହି ଗଲେ ସେମାନଙ୍କୁ ତଡି ଦିଆଯାଏ । ବାହାରୁ ଲୋକ ଆସିଥାନ୍ତି । ଆଶ୍ରମ ଭିତରେ ପ୍ରବଚନ ନାଁରେ ଭାଣ୍ଡାମି ଚାଲେ । ଲୋକଙ୍କ ଅଭିଯୋଗର ସତ ପରଖିବାକୁ ଆଶ୍ରମ ଭିତରେ ପହଁଚିଥିଲା କନକ ନ୍ୟୁଜ୍ ଟିମ୍ । ଆଶ୍ରମ ଭିତରେ ବଡ ବଡ କୋଠା ରହିଥିବା ଦେଖିବାକୁ ମିଳିଛି । ଏଥିସହ ପ୍ରବଚନ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି । ଭଗବାନ ଧରିବା ଭଳି ଧନୁ, ତୀର ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି । ସେହପରି କଳକୀ ବୋଲି କୁହାଯାଉଥିବା ବାବାଙ୍କ ପୁଅ ଚଢୁଥିବା ଦାମୀ ବାଇକ ମଧ୍ୟ କନକ ନ୍ୟୁଜ୍ କ୍ୟାମେରାରେ କଏଦ ହୋଇଛି ।
ଉତେଜନା ବଢ଼ୁଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଁଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛି । ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି, ଅନୁଧ୍ୟାନ କରାଯାଉଛି। ବେଆଇନ ଭାବେ ନିର୍ମାଣ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ତୁଳସୀ ମହାପ୍ରଭୁଙ୍କ ମୁଣ୍ଡରେ ଲାଗି ହେଉଥିବାବେଳେ, କାଶୀନାଥ ନିଜ ପୁଅ ପାଦରେ ରଖିବାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ବିବାଦରେ ଫଶିବା ପରେ ସଫେଇ ରଖିଛନ୍ତି ବାବା କାଶୀନାଥ । ଅଭିଯୋଗକୁ ଖଣ୍ଡନ କରିବା ସହ ଚକ୍ରାନ୍ତ କରାଯାଉଥିବା ଅଭିଯୋଗ କରିଛନ୍ତି ।
ତେବେ ବାବା କାଶୀନାଥ କାହିଁକି ପୁଅକୁ କଳକୀ ଅବତାର ବୋଲି କହୁଥିଲେ? ଆଶ୍ରମ ଭିତରେ ଚାଲିଥିଲା କଣ? ଏହା ଏବେ ବି ରହସ୍ୟ ଘେରରେ । ଏହା ଭକ୍ତି ଥିଲା ନା ଥିଲା ବ୍ୟବସାୟ? ତଦନ୍ତ ପରେ ସମସ୍ତ ରହସ୍ୟ ଉପରୁ ପରଦା ହଟିବ ।