Land Photograph: (Kanak news)
କନକ ବ୍ୟୁରୋ: ଠାକୁରଙ୍କ ଜମି। ଭାଗଚାଷୀ ରାଜଭାଗ ବି ଦେଉଛନ୍ତି । ହେଲେ ସେମାନଙ୍କ ଅଜାଣତରେ ଜମି ବିକ୍ରି ସରିଲାଣି । ମଠ, ମନ୍ଦିର ସମ୍ପତ୍ତି ବିକ୍ରି ହୋଇପାରିବନି । ହେଲେ ଏସବୁ ସତ୍ତ୍ବେ କେମିତି ଠାକୁରଙ୍କ ସମ୍ପତ୍ତି ବିକ୍ରି ହେଲା ବୋଲି ଏବେ ସାଧାରଣ ପ୍ରଶ୍ନ ଉଠିଛି । ବ୍ରହ୍ମପୁର ଉପଖଣ୍ଡ ଦିଗପହଣ୍ଡି ତହସିଲରେ ଏପରି ତଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି ।
ଦିଗପହଣ୍ଡି ତହସିଲ ଅଧୀନ ନୂଆସାହିରେ ପାଇଚ୍ଛା ମଠ। ତତ୍କାଳୀନ ଦିଗପହଣ୍ଡି ରାଜା ଏହାକୁ କରିଥିଲେ। ଏଠାରେ ରାଧା ଦାମୋଦର ମହାପ୍ରଭୁ ବିଜେ ଅଛନ୍ତି। ମଠ ସମ୍ପତ୍ତିର ପରିଚାଳନା ଲାଗି ଗୋଟିଏ ଟ୍ରଷ୍ଟ ମଧ୍ୟ ରହିଛି। ଯଦିଓ ଏବେ ବି ଭୂ-ସମ୍ପତିରେ ମାର୍ଫତଦାର କିଶୋର ମୋହନ ଦେବ ଗୋସ୍ବାମୀ, ନାରାୟଣ ଦେବ ଗୋସ୍ବାମୀ, ବୃନ୍ଦାବନ ଦେବ ଗୋସ୍ବାମୀଙ୍କ ନାଁ ରହିଛି ଏବଂ ସୁନିତା ଦେବ ଗୋସ୍ବାମୀ ଏହାର ଟ୍ରଷ୍ଟି ରହିଛନ୍ତି। ମଠ ସମ୍ପତ୍ତିକୁ ବେଆଇନ ଭାବେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ମଠ ଜମିକୁ ଭାଗଚାଷ କରୁଥିବା ଚାଷୀ। ଏନେଇ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି।
ଆହୁରି ପଢ଼ନ୍ତୁ... କାହା ପାଇଁ ଆବାସ ଯୋଜନା? କାହା ପାଇଁ ଅନ୍ତ୍ୟୋଦୟ ଗୃହ ନିର୍ମାଣ ଯୋଜନା?
ଚାଷୀମାନଙ୍କ ଅଭିଯୋଗ ହେଲା, ରାଧା ଦାମୋଦରଙ୍କ ନାଁରେ ଥିବା ଜମିରେ ୨୦ ପରିବାର ପିତୃପୁରୁଷ ଅମଳରୁ ଚାଷ କରୁଛନ୍ତି। ୧୯୯୮ ମସିହାରୁ ତତ୍କାଳୀନ ତହସିଲଦାର ସେମାନଙ୍କୁ ଭାଗଚାଷୀର ମାନ୍ୟତା ଦେଇଛନ୍ତି। ଏବେ ସେମାନଙ୍କ ଅଗୋଚରରେ ସେହି ଜମିକୁ ବିକ୍ରି କରାଯାଇଛି। ପ୍ରାୟ ୬ ଏକର ଜମିକୁ ଖୁବ୍ କମ୍ ଦରରେ ପ୍ଲଟିଂ କରି ବିକି ଦିଆଯାଇଛି! ଏଥିପାଇଁ ଦେବୋତ୍ତର ବିଭାଗରୁ ଟ୍ରଷ୍ଟି ଅନୁମତି ଆଣିଥିବା ଜଣାପଡ଼ିଛି। ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ବାରମ୍ବାର ଅଭିଯୋଗ କରିବା ପରେ ବି କେହି ଶୁଣୁନାହାନ୍ତି। ଦିଗପହଣ୍ଡି ତହସିଲଦାର ଓ ଆର୍ଆଇ ଲାଞ୍ଚ ନେଇ ଜମିପଟ୍ଟା କରି ଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଠାକୁର ଜମି ହଡ଼ପ ଅଭିଯୋଗ ଉପଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଛି। ତହସିଲଦାରଙ୍କୁ ରିପୋର୍ଟ ମଗାଯାଇଛି। ଆବଶ୍ୟକ ପଡ଼ିଲେ ତଦନ୍ତ କମିଟି ଗଠନ କରି ସରଜମିନ୍ ତଦନ୍ତ ହେବ ବୋଲି ଉପଜିଲ୍ଲାପାଳ ଅବିନାଶ କୁମାର କହିଛନ୍ତି।
Follow Us