କନକ ବ୍ୟୁରୋ : ଗୋଆର ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡର ଲୋମହର୍ଷଣକାରୀ ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିଆଁ ଲାଗିବା ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଯେତେବେଳେ ନିଆଁ ଲାଗିଲା ସେତେବେଳେ ଅତିକମରେ ୧୦୦ ଜଣ ଲୋକ 'ଡ୍ୟାନ୍ସ ଫ୍ଲୋର'ରେ ଉପସ୍ଥିତ ଥିଲେ । ନିଜକୁ ବଞ୍ଚାଇବା ପାଇଁ ସେମାନଙ୍କ ମଧ୍ୟରୁ କିଛି ଲୋକ ତଳେ ଥିବା ରୋଷେଇ ଘର ଆଡକୁ ଦୌଡ଼ି ପଳାଇଥିଲେ, ଯେଉଁଠାରେ ସେମାନେ କର୍ମଚାରୀଙ୍କ ସହ ଫସି ଯାଇଥିଲେ । ଯଦିଓ ରାଜ୍ୟ ପୁଲିସ କହିଛି ଯେ ଶନିବାର ମଧ୍ୟରାତ୍ରି ପରେ ସିଲିଣ୍ଡର ବିସ୍ଫୋରଣ ହେତୁ ନାଇଟ୍ କ୍ଲବରେ ନିଆଁ ଲାଗିଥିଲା, କିନ୍ତୁ କିଛି ପ୍ରତ୍ୟକ୍ଷଦର୍ଶୀ ଦାବି କରିଛନ୍ତି ଯେ କ୍ଲବର ପ୍ରଥମ ମହଲାରେ ନିଆଁ ଲାଗିଥିଲା ଯେଉଁଠାରେ ପର୍ଯ୍ୟଟକମାନେ ନାଚୁଥିଲେ ।
ପୁଲିସ ସୂଚନା ଅନୁଯାୟୀ, ରାଜ୍ୟ ରାଜଧାନୀ ପାଣାଜୀଠାରୁ ୨୫ କିଲୋମିଟର ଦୂର ଆରପୋରା ଗାଁରେ ଅବସ୍ଥିତ ଲୋକପ୍ରିୟ ପାର୍ଟି ସ୍ଥଳ 'ବର୍ଚ୍ଚ ବାଏ ରୋମିଓ ଲେନ୍' (Burch by Romeo Lane) ନାଇଟ୍ କ୍ଲବରେ ନିଆଁ ଲାଗିବା କାରଣରୁ ଅତିକମରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ ମୃତକଙ୍କ ମଧ୍ୟରୁ ଅଧିକାଂଶ ଲୋକ କ୍ଲବର ରୋଷେଇ ଘରେ କାମ କରୁଥିଲେ । ସେ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଏବଂ "ତିନିରୁ ଚାରିଜଣ ପର୍ଯ୍ୟଟକ" ମଧ୍ୟ ସାମିଲ ଅଛନ୍ତି । ଜଣେ ପର୍ଯ୍ୟଟକ ଫାତିମା ଶେଖ କହିଛନ୍ତି, "ନିଆଁର ଜ୍ୱାଳା ଉଠିବା ମାତ୍ରେ ହଠାତ୍ ଦୌଡାଧାପଡା ଆରମ୍ଭ ହୋଇଗଲା । ଆମେ କ୍ଲବରୁ ବାହାରକୁ ଦୌଡ଼ି ଆସି ଦେଖିଲୁ ଯେ ପୁରା କ୍ଲବ ନିଆଁ ଘେରରେ ଥିଲା ।"
ଅଧିକ ପଢ଼ନ୍ତୁ--ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ; ଗ୍ୟାସ୍ ସିଲିଣ୍ଡର ଫାଟିଯିବାକୁ ୨୩ ଜଣ ଜୀବନ୍ତ ଦଗ୍ଧ
ସପ୍ତାହ ଶେଷ ଦିନ ଥିବାରୁ ନାଇଟ୍ କ୍ଲବରେ ପ୍ରବଳ ଭିଡ଼ ଥିଲା ଏବଂ 'ଡ୍ୟାନ୍ସ ଫ୍ଲୋର'ରେ ଅତିକମରେ ୧୦୦ ଜଣ ଲୋକ ଥିଲେ । ନିଆଁ ଲାଗିବା ପରେ କିଛି ପର୍ଯ୍ୟଟକ ତଳ ମହଲାକୁ ଦୌଡ଼ି ରୋଷେଇ ଘରକୁ ଚାଲିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ପର୍ଯ୍ୟଟକମାନେ ଅନ୍ୟ କର୍ମଚାରୀଙ୍କ ସହ ସେଠାରେ ଫସି ଯାଇଥିଲେ । ଅନେକ ଲୋକ କ୍ଲବରୁ ବାହାରିବାରେ ସଫଳ ହୋଇଥିଲେ । କିଛି ସମୟ ମଧ୍ୟରେ ପୁରା କ୍ଲବ ନିଆଁ କବଳକୁ ଆସିଯାଇଥିଲା । ସେଠାରେ ତାଳ ପତ୍ରରେ ତିଆରି ଏକ ଅସ୍ଥାୟୀ ଢାଞ୍ଚା ଥିଲା, ଯାହା ଖୁବ୍ ଶୀଘ୍ର ନିଆଁ ଧରି ନେଇଥିଲା ।
'ସଂକୀର୍ଣ୍ଣ ଗଳିରେ କ୍ଲବ ଥିବାରୁ ଉଦ୍ଧାର କାର୍ଯ୍ୟ ହେଲା କଷ୍ଟକର'
ନାଇଟ୍ କ୍ଲବ ସଂକୀର୍ଣ୍ଣ ଗଳିରେ ଅବସ୍ଥିତ ହୋଇଥିବାରୁ ଦମକଳ ଗାଡ଼ିଗୁଡ଼ିକ କ୍ଲବ ପାଖରେ ପହଞ୍ଚିବା ସମ୍ଭବ ହୋଇନଥିଲା ଏବଂ ଟ୍ୟାଙ୍କରଗୁଡ଼ିକୁ ଘଟଣାସ୍ଥଳରୁ ପ୍ରାୟ ୪୦୦ ମିଟର ଦୂରରେ ରଖିବାକୁ ପଡ଼ିଥିଲା । ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଅନୁସାରେ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଘଟଣାସ୍ଥଳରେ ପହଞ୍ଚିବା କଷ୍ଟକର ହୋଇପଡ଼ିଥିଲା । ଯାହା ଫଳରେ ନିଆଁକୁ ଆୟତ୍ତ କରିବା ଏକ ଚ୍ୟାଲେଞ୍ଜପୂର୍ଣ୍ଣ କାମ ହୋଇଥିଲା । ସେ କହିଛନ୍ତି ଯେ ପୀଡିତମାନେ ତଳ ମହଲାରେ ହିଁ ଫସି ରହିଥିଲେ, ଯାହା ଫଳରେ ଅଧିକାଂଶ ଲୋକଙ୍କର ମୃତ୍ୟୁ ଶ୍ୱାସରୁଦ୍ଧ ହୋଇ ଘଟିଛି ।
ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ସାୱନ୍ତ କହିଥିଲେ ଯେ ନାଇଟ୍ କ୍ଲବ ଅଗ୍ନି ସୁରକ୍ଷା ନିୟମ ପାଳନ କରିନଥିଲା । ସାୱନ୍ତ କହିଛନ୍ତି, "ଆମେ କ୍ଲବ ପରିଚାଳନା ଏବଂ ସେହି ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଯେଉଁମାନେ ସୁରକ୍ଷା ନିୟମର ଉଲ୍ଲଙ୍ଘନ କରିଛନ୍ତି ।"
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/07/goa-night-club-fair-2025-12-07-13-11-01.jpg)