କନକ ବ୍ୟୁରୋ: ଅଧା ଆଇପିଏଲ ଶେଷ ହେଲାଣି । ହେଲେ ପଞ୍ଜାବ ପାଇଁ ଏଯାଏଁ ଆଖିଦୃଶିଆ ପ୍ରଦର୍ଶନ କରି ପାରିନାହାନ୍ତି ଷ୍ଟାର୍ ବ୍ୟାଟର୍ ଗ୍ଲେନ୍ ମାକ୍ସୱେଲ୍ । ପଏଣ୍ଟ ଟେବୁଲରେ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହି ପ୍ଲେ-ଅଫ୍ ରେସ୍ରେ ରହିଛି ପଞ୍ଜାବ୍ କିଙ୍ଗ୍ସ । ହେଲେ ପଞ୍ଜାବ ପାଇଁ ମୁଣ୍ଡ ବ୍ୟଥା ପାଲଟିଛନ୍ତି ଗ୍ଲେନ୍ ମାକ୍ସୱେଲ୍ । କାରଣ ଏଯାଏଁ ଦଳ ଖେଳିଥିବା ୭ଟି ମ୍ୟାଚ୍ର ୭ ଇନିଂସରେ ମାତ୍ର ୪୮ ରନ୍ କରିଛନ୍ତି ଅଷ୍ଟ୍ରେଲିୟ ଖେଳାଳି ଗ୍ଲେନ୍ ମାକ୍ସୱେଲ୍ । ସବୁଠାରୁ ବଡ଼ କଥା ହେଉଛି ମାକ୍ସୱେଲ୍ଙ୍କୁ ୪ କୋଟି ୨୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା ପଞ୍ଜାବ ।
ଗତ ଶନିବାର କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ୍ ମଧ୍ୟରେ ଆଇପିଏଲ୍ର ୪୪ତମ ମ୍ୟାଚ୍ ଆରମ୍ଭ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ କିଙ୍ଗ୍ସ୍ । ନିର୍ଦ୍ଧାରିତ ଓଭରରେ ୨୦୧ ରନ୍ କରିଥିଲା ଦଳ । ଏଥିରେ ମାକ୍ସୱେଲ୍ ମାତ୍ର ୭ ରନ୍ର ଯୋଗଦାନ କରିଥିଲେ । ବର୍ଷା ଯୋଗୁଁ ଏହି ମ୍ୟାଚ୍ ବାତିଲ ହୋଇଥିଲା । ପ୍ରତ୍ୟେକ ଦଳକୁ ମିଳିଥିଲା ଗୋଟିଏ ଲେଖାଏଁ ପଏଣ୍ଟ୍ । ଏହି ଗୋଟିଏ ମ୍ୟାଚ୍ ନୁହେଁ, ପ୍ରତିଟି ମ୍ୟାଚ୍ରେ ମାକ୍ସୱେଲ୍ ଉଭୟ ଓ ବୋଲିଂରେ ଫ୍ଲପ୍ ସୋ' ପ୍ରଦର୍ଶନ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କ ସର୍ବାଧିକ ସ୍କୋର୍ ୩୦ ରନ୍ ରହିଛି ।
ଚଳିତ ଆଇପିଏଲ୍ ସିଜିନ୍ରେ ମାକ୍ସୱେଲଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ସ୍ପିନର । ଖାସ୍ କରି ବରୁଣ ଚକ୍ରବର୍ତ୍ତୀଙ୍କ ସ୍ପିନ୍ ଯାଦୁରେ ବାରମ୍ବାର ଫସୁଛନ୍ତି ମାକ୍ସୱେଲ୍ । ନିଜ ଆଇପିଏଲ୍ କ୍ୟାରିଅର୍ରେ ବରୁଣ ଚକ୍ରବର୍ତ୍ତୀଙ୍କୁ ପିଚ୍ରେ ୮ ଥର ଭେଟିଛନ୍ତି ମାକ୍ସୱେଲ୍ । ୩୩ଟି ବଲ୍ର ସାମ୍ନା କରି ୫୦ ରନ୍ କରିଥିବା ବେଳେ ବରୁଣଙ୍କ ବୋଲିଂରେ ୫ ଥର ଆଉଟ୍ ହୋଇଛନ୍ତି ମାକ୍ସୱେଲ୍ । ଏହାର ଅର୍ଥ ମାକ୍ସୱେଲ୍ଙ୍କ ପାଖରେ ବରୁଣଙ୍କ ବୋଲିଂର କୌଣସି ପ୍ରଶ୍ନର ଉତ୍ତର ନାହିଁ ।
ସେପଟେ ପଞ୍ଜାବ କଥା କହିଲେ, ଦଳ ବର୍ତ୍ତମାନ ସୁଦ୍ଧା ୯ଟି ମ୍ୟାଚ୍ ଖେଳି ୧୧ ପଏଣ୍ଟ ହାସଲ କରିଛି । କୋଲକାତା ବିପକ୍ଷରେ ମ୍ୟାଚ୍ ବାତିଲ ହେବାପରେ ଦଳ ଗୋଟିଏ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି । ଆଗାମୀ ମ୍ୟାଚ୍ଗୁଡ଼ିକରେ କ୍ୟାପ୍ଟେନ୍ ଶ୍ରେୟସ ଆୟର ମାକ୍ସୱେଲ୍ଙ୍କୁ ସୁଯୋଗ ଦେଉଛନ୍ତି କି ନାହିଁ ତାହାରି ଉପରେ ନଜର ରହିବ । ଏଥର ଦଳୀୟ ପ୍ରଦର୍ଶନ ଭଲ ରହିଛି । ଟିମ୍ ଟ୍ରଫି ଆଶା କରୁଛି, ଏଭଳି ସ୍ଥିତିରେ ପଞ୍ଜାବ ଟିମ୍ କୌଣସି ଚାନ୍ସ ନେବାକୁ ଚାହିବ ନାହିଁ । ସେପଟେ ଦଳର ଟ୍ରଫି ଆଶା ପୂରଣ କରିବାକୁ ହେଲେ ମାକ୍ସୱେଲ୍ଙ୍କୁ ଉଭୟ ବ୍ୟାଟିଂ ଓ ବୋଲିଂ ଭଲ ପ୍ରଦର୍ଶନ କରିବାକୁ ହେବ ବୋଲି କ୍ରିକେଟ ସମୀକ୍ଷକ ମତ ଦେଉଛନ୍ତି ।