କନକ ବ୍ୟୁରୋ : ଆତଙ୍କବାଦ ପ୍ରସଙ୍ଗକୁ ନେଇ ପୁଣିଥରେ ପଡ଼ୋଶୀ ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଚେତାବନୀ । ଆତଙ୍କବାଦୀ ମସୁଦ ଅଜହର ଏବଂ ହାଫିଜ୍ ସଇଦଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ କଲେ ଦାବି । କେବଳ ଆତଙ୍କବାଦ ପ୍ରସଙ୍ଗରେ ହିଁ ଦୁଇ ଦେଶ ମଧ୍ୟରେ ହେବ ଆଲୋଚନା । ଆତଙ୍କବାଦକୁ ସମର୍ଥନ ଜାରି ରଖିଲେ ପାକିସ୍ତାନ ଭୟଙ୍କର ପରିଣାମ ଭୋଗିବ ବୋଲି ଚେତାବନୀ ଦେଇଛନ୍ତି ରାଜନାଥ ସିଂ । ଆଇଏନ୍ଏସ୍ ବିକ୍ରାନ୍ତରୁ ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ-ସହିଷ୍ଣୁତା ମନୋଭାବକୁ ଦୋହରାଇ ରାଜନାଥ କହିଛନ୍ତି, ଭାରତ ଏହି ଆତଙ୍କବାଦୀ ମୁକାବିଲା ଓ ମୂଳପୋଛ ପାଇଁ ସମସ୍ତ ଉପାୟ ବ୍ୟବହାର କରିବ । ଏଥର ପାକିସ୍ତାନ ପୂର୍ବ ଭୁଲକୁ ଦୋହରାଇଲେ ଭାବିବାକୁ ମଧ୍ୟ ସୁଯୋଗ ଦେବୁନାହିଁ ବୋଲି ସେ କହିଛନ୍ତି । କେବଳ ଆତଙ୍କବାଦ ପ୍ରସଙ୍ଗରେ ହିଁ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବ ବୋଲି ସେ କହିଛନ୍ତି । ଅପରେସନ୍ ସିନ୍ଦୂରର ଶୌର୍ଯ୍ୟ କେତେ ପ୍ରଭାବଶାଳୀ ତାହା ଶତ୍ରୁ ଦେଶ ସହ ପୂରା ବିଶ୍ବ ଦେଖିଲା । ଆତଙ୍କବାଦର ମୂଳପୋଛ ଓ ଦେଶର ଅଖଣ୍ଡତାକୁ ସୁରକ୍ଷା ଦେବା ପାଇଁ ଭାରତ କିଛି ବି କରିପାରେ ବୋଲି ପାକ୍କୁ ଚେତାଇ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଅପରେସନ୍ ସିନ୍ଦୂର ଓ ପରବର୍ତ୍ତୀ ଯୁଦ୍ଧ ସ୍ଥିତିରେ ତିନି ସେନାର ଘେରାବନ୍ଦୀରେ ରହିଥିଲା ପୂରା ପାକିସ୍ତାନ । ଆଇଏନ୍ଏସ୍ ବିକ୍ରାନ୍ତର କବ୍ଜାରେ ଥିଲା କରାଚୀ ବନ୍ଦର । ବିଭିନ୍ନ ସାମରିକ ଘାଟି ଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯାଇଥିଲା । ପରେ ଯୁଦ୍ଧବିରତି ପାଇଁ ପାକିସ୍ତାନ ନେହୁରା ହୋଇଥିଲା । ଆଗକୁ ଭୁଲ କଲେ ପାକିସ୍ତାନକୁ ଭାବିବାକୁ ମଧ୍ୟ ସମୟ ଦେବୁନାହିଁ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଏହି ସମୟରେ ରାଜନାଥ ସିଂ ନୌବୀରମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।
‘ହଫିଜ୍, ମସୁଦକୁ ଆମକୁ ଦିଅ’
-ଆଇଏନ୍ଏସ୍ ବିକ୍ରାନ୍ତରୁ ପାକିସ୍ତାନ ବିରୋଧରେ ରାଜନାଥଙ୍କ ରଣହୁଙ୍କାର
-ଆତଙ୍କବାଦୀ ମସୁଦ ଅଜହର ଏବଂ ହାଫିଜ୍ ସଇଦଙ୍କୁ ଭାରତକୁ ହସ୍ତାନ୍ତର ଦାବି
-କେବଳ ଆତଙ୍କବାଦ ପ୍ରସଙ୍ଗରେ ହିଁ ଦୁଇ ଦେଶ ମଧ୍ୟରେ ହେବ ଆଲୋଚନା
-ଆତଙ୍କବାଦକୁ ସମର୍ଥନ ଜାରି ରଖିଲେ ପାକିସ୍ତାନ ଭୋଗିବ ଭୟଙ୍କର ପରିଣାମ
-ଆତଙ୍କବାଦୀ ମୁକାବିଲା ଓ ମୂଳପୋଛ ପାଇଁ ଭାରତ ସମସ୍ତ ଉପାୟ ବ୍ୟବହାର କରିବ
-ସରିନାହିଁ ଅପରେସନ ସିନ୍ଦୂର, ଜାରି ରହିଛି ଆତଙ୍କବାଦୀ ବିରୋଧୀ ଅଭିଯାନ
-ଏଥର ପାକିସ୍ତାନ ଭୁଲ ଦୋହରାଇଲେ ଅପରେସନ ସିନ୍ଦୂର ଠାରୁ ହେବ ବଡ଼ ଆକ୍ରମଣ