କନକ ବ୍ୟୁରୋ: ଗୃହମନ୍ତ୍ରୀ ଆସିଲେ ଆଉ ଚାଲିଗଲେ । ମୋ ପୁଅକୁ ଫେରାଇବ କିଏ ? ମୋତେ ମୋ ପୁଅକୁ ଫେରାଇଦିଅ । ପୋଷ୍ଟମର୍ଟମ ଦରକାର ନାହିଁ । ବାସ୍ ମୋତେ ମୋର ପୁଅକୁ ଫେରାଇଦିଅ । ମୁଁ ଗୋଟିଏ ଘଣ୍ଟା ବି ତା ବିନା ରହିପାରିବି ନାହିଁ । ୨୨ ବର୍ଷ ମୁଁ ତାର ଲାଳନପାଳନ କରିଛି । ଆଜି ଆପଣ ସମସ୍ତ ଙ୍କ ପାଇଁ ମୋ ପୁଅ ମରିଗଲା । ବାସ୍ ତାକୁ ଫେରାଇଦିଅ । ଏହି ଶବ୍ଦ ଥିଲା ୨୨ ବର୍ଷର ପୁଅକୁ ହରାଇଥିବା ଗୋଟିଏ ଅଭାଗା ବାପାର । କୋହ ଭରା କଣ୍ଠରେ ଚିତ୍କାର କରି ମୃତ ପୁଅକୁ ଫେରାଇଦେବାକୁ ଦାବି କରୁଛନ୍ତି ।
ବେଙ୍ଗାଲୁରୁରେ ବୁଧବାର ହୋଇଥିବା ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି ଅନେକ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଏହି ୨୨ ବର୍ଷର ପିଲା ମଧ୍ୟ ସାମିଲ ଅଛି । ବାପା ତାର କାନ୍ଦି କାନ୍ଦି ପ୍ରଶାସନକୁ କହୁଛନ୍ତି ମୋ ଘର ପୂରା ଖାଲି ହୋଇଗଲା । କଣ ଭୁଲ ଥିଲା ମୋ ପୁଅର ? ସେ କେବଳ ବିଜୟ ଉତ୍ସବରେ ସାମିଲ ହେବା ପାଇଁ ଆସିଥିଲା ହେଲେ ଆଉ ଘରକୁ ଫେରିଲା ନାହିଁ । ଖାଲି ଏହି ଗୋଟିଏ ବାପା ନୁହେଁ ଏପରି ଅନେକ ବାପା ତାଙ୍କ ପୁଅକୁ ଏହି ଦଳାଚକଟାରେ ହରାଇଛନ୍ତି । ଏବେ ପ୍ରଶ୍ନ ଉଠୁଛି ଏହି ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? କାହାର ଭୁଲ ପାଇଁ ଏମାନଙ୍କୁ ଜୀବନ ହରାଇବାକୁ ପଡିଲା?
ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ଆସିଥିଲେ ଆଉ ଶବ ହୋଇ ଫେରିଲେ । ଏପଟେ ଘଟଣାକୁ ନେଇ କର୍ଣ୍ଣାଟକ ସରକାରକୁ ଘେରିଛି ବିଜେପି । ବିଜୟ ଉତ୍ସବକୁ ଅତି ଶୀଘ୍ର କରିବାକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ବିସିସିଆଇ ଏବଂ ଆଇପିଏଲ ଅଧ୍ୟକ୍ଷକଙ୍କ ଉପରେ ଚାପ ପକାଇଥିବା ଅଭିଯୋଗ କରିଛନ୍ତି । ବିନା ପ୍ରସ୍ତୁତିରେ ଏଭଳି ଉତ୍ସବ କରିବାକୁ ଦଳାଚକଟା ଘଟିଥିବା କହିଛନ୍ତି ସମ୍ବିତ ପାତ୍ର । ଏବେ ପ୍ରଶ୍ନ ଉଠୁଛି ବିଜୟ ଉତ୍ସବ ପାଇଁ କାହିଁକି ବିକଳ ହେଉଥିଲେ କର୍ଣ୍ଣାଟକ ସରକାର? ସାଧାରଣ ଲୋକଙ୍କ ଜୀବନ ବଡ଼, ନା ବିଜୟ ଉତ୍ସବ ବଡ଼ ? ଭିଡ଼ ନିୟନ୍ତ୍ରଣ ପାଇଁ କାହିଁକି ହୋଇ ନଥିଲା ବ୍ୟବସ୍ଥା? ବିନା ପ୍ରସ୍ତୁତିରେ ବିଜୟ ଉତ୍ସବ ପାଇଁ କିଏ ଦେଇଥିଲା ଅନୁମତି? ପୁଷ୍ପା-୨ ଫିଲ୍ମ ସମୟରେ ହୋଇଥିଲା ଦଳାଚକଟା ।
ସେତେବେଳେ ତାମିଲ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା । ଏବେ ସେହି ଘଟଣାର ପୁନରାବୃତ୍ତି ହୋଇଛି। ଘଟଣାରେ କାହିଁକି କାହାକୁ ଗିରଫ କରାଯାଇ ନାହିଁ? ସାଧାରଣ ଲୋକଙ୍କ ପାଇଁ ଗୋଟେ ଆଇନ ଥିବା ବେଳେ ବଡ଼ବଡ଼ିଆଙ୍କ ପାଇଁ ଆଇନ ଅଲଗା କି ? ଏଯାଏ କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ? ତେବେ ଚିନ୍ନା ସ୍ବାମୀ ଷ୍ଟାଡିୟମର କ୍ଷମତା ୩୫ ହଜାର ଥିବାବେଳେ ବାହାରେ ୩ ଲକ୍ଷ ଲୋକ ଜମା ହୋଇଥିଲେ । ସେଥିପାଇଁ ଏଭଳି ଦଳଚକଟା ହେଲା ବୋଲି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । କିନ୍ତୁ ଏଯାଏ କାହାରିକୁ ଗିରଫ କରାଯାଇ ନାହିଁ ।