କନକ ବ୍ୟୁରୋ: ଆଫଗାନିସ୍ତାନରେ ପୁଣି ଏକ ବିଚିତ୍ର ନିୟମ ଆଣିବାକୁ ଯାଉଛି ତାଲିବାନ ସରକାର। ମହିଳାଙ୍କ ଡାକ୍ତରୀ ପାଠ ପଢ଼ାରେ ଲାଗିବ ରୋକ । ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେବେ ମହିଳା । ଏନେଇ ଘୋଷଣା କରିଛନ୍ତି ତାଲିବାନର ସର୍ବୋଚ୍ଚ ନେତା ହାଇବତୁଲ୍ଲା ଆଖୁନ୍ଦଜାଦା । ତାଲିବାନର ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବୈଠକରେ ଏଭଳି ଘୋଷଣା କରାଯାଇଛି । ଘରୋଇ ମେଡିକାଲ ପ୍ରଶିକ୍ଷଣ ଅନୁଷ୍ଠାନର ନିର୍ଦ୍ଦେଶକମାନଙ୍କୁ ଡାକି ନୂତନ ଆଦେଶ ବିଷୟରେ ଅବଗତ କରାଯାଇଛି । ଏହି ଘୋଷଣା ପରେ ଏବେ ଚିନ୍ତାରେ ଡାକ୍ତରୀ ପାଠ ପଢ଼ୁଥିବା ଛାତ୍ରୀ । ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ଛାତ୍ରୀମାନେ ପୋଷ୍ଟର ଓ ବ୍ୟାନର ଧରି ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।
ଆଫଗାନିସ୍ତାନର ଦୁଇ କ୍ରିକେଟର ରସିଦ ଖାନ ଏବଂ ମହମ୍ମଦ ନବୀ ମଧ୍ୟ ତ୍ରୁଟିଯୁକ୍ତ ଆଇନ ବିରୋଧରେ ସ୍ୱର ଉଠାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଟ୍ବିଟ୍ କରି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସରକାରକୁ ପରାମର୍ଶ ଦେଇଛନ୍ତି । ରସିଦ ଲେଖିଛନ୍ତି ଶିକ୍ଷା ଇସଲାମରେ ମୁଖ୍ୟ ସ୍ତମ୍ଭ ଏବଂ ଏହା ଉପରେ ସମସ୍ତଙ୍କର ଅଧିକାର ରହିଛି। ସେହିପରି ସରକାରଙ୍କ ନିଷ୍ପତ୍ତିକୁ ଦୁଃଖଦାୟକ ବୋଲି ବର୍ଣ୍ଣନା କରିଛନ୍ତି ମହମ୍ମଦ ନବୀ ।
ମହିଳାଙ୍କ ପାଇଁ ବଢ଼ିବ ସ୍ବାସ୍ଥ୍ୟ ସଙ୍କଟ
ଉଠିଲା ପ୍ରଦିବାଦର ସ୍ବର
ଆଫଗାନିସ୍ତାନର ଅନେକ ପ୍ରଦେଶରେ ମହିଳାଙ୍କୁ ପୁରୁଷ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରିବା ମନା । ଏନେଇ ପ୍ରତିବନ୍ଧ ଲଗାଇଛି ତାଲିବାନ । ଏବେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପାଠପଢ଼ା ଓ ନିଯୁକ୍ତି ଉପରେ ମଧ୍ୟ ରୋକ ଲଗାଇବାକୁ ଘୋଷଣା କରାଯାଇଛି । ଯାହା ମହିଳାଙ୍କ ପାଇଁ ଘାତକ ହେବାକୁ ଯାଉଛି । ଗୋଟେପଟେ ମହିଳାଙ୍କୁ ପୁରୁଷ ଡାକ୍ତର ଚିକିତ୍ସା ଯୋଗାଇ ପାରିବେନି । ଅନ୍ୟପଟେ ଦେଶରେ ମହିଳା ଡାକ୍ତର ରହିବେନି । ଅର୍ଥାତ ଝିଅମାନେ ସ୍ୱାସ୍ଥ୍ୟସେବା ବିନା ରହିବାକୁ ବାଧ୍ୟ ହେବେ । ଏହି ନିୟମ ପରେ ମହିଳାମାନେ ଯନ୍ତ୍ରଣା, ଅସୁସ୍ଥତା ଏବଂ ମୃତ୍ୟୁର ସମ୍ମୁଖୀନ ହେବେ । ଏଭଳି ନିଷ୍ପତ୍ତି ପରେ ପୂରା ଦେଶରେ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି ।