କନକ ବ୍ୟୁରୋ: ପ୍ରାୟତଃ ଶୀତ ଦିନେ ଛୋଟ ପିଲା ଟିକେ ସକାଳୁ ଉଠିବାକୁ ନାରାଜ ଥାନ୍ତି । ଆଉ ବାପା ମା ପିଲାଙ୍କୁ ବୁଝାସୁଝା କରି ତାଙ୍କ ମନ ବହଲାଇ ସ୍କୁଲ ପଠାଇଥାନ୍ତି । ଏମିତିରେ ଟିକେ ବିଳମ୍ବ ହୋଇଯାଇଥାଏ ସ୍କୁଲରେ ପହଞ୍ଚିବାରେ । ଏହା ତ ଏକ ସାଧାରଣ କଥା । କିନ୍ତୁ ସ୍କୁଲରେ ବିଳମ୍ବରେ ପହଞ୍ଚିବାରୁ ଶିକ୍ଷୟିତ୍ରୀ ଛାତ୍ରୀଙ୍କ ଚୁଟି କାଟିଦେଲେ । ଏ ଖବର ନିଶ୍ଚିତ ଆଶ୍ଚର୍ଯ୍ୟ କରୁଥିବ । ସ୍କୁଲରେ ବିଳମ୍ବରେ ପହଞ୍ଚିବାରୁ ୧୮ ଛାତ୍ରୀଙ୍କର ଚୁଟି କାଟିଦେଲେ ଏକ ସରକାରୀ ସ୍କୁଲର ଶିକ୍ଷୟିତ୍ରୀ ।
ମିଡିଆ ରିପୋର୍ଟ ଅନୁସାରେ ଶିକ୍ଷୟିତ୍ରୀ ଜଣଙ୍କ ରାଗି ଯାଇ ଏପରି ଦଣ୍ଡ ଦେଇଛନ୍ତି ଛାତ୍ରୀଙ୍କୁ । ଶିକ୍ଷୟିତ୍ରୀଙ୍କ ରାଗ ଏତିକିରେ ଶାନ୍ତ ହୋଇ ନଥିଲା, ଚୁଟି କାଟିବା ପରେ ଛାତ୍ରୀ ଜଣଙ୍କୁ ମାଡ଼ ମାରିବା ସହ ଖରାରେ ଠିଆ କରାଇଦେଇଥିଲେ । ଏ ସମ୍ପର୍କରେ କାହାକୁ କିଛି ନ କହିବାକୁ ଧମକ ମଧ୍ୟ ଦେଇଥିଲେ । ଘଟଣା ଟି ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଥିଲା ବିବାଦ । ତେବେ ଏ ଖବରଟି ହେଉଛି ଆନ୍ଧ୍ର ପ୍ରଦେଶର ଅଲ୍ଲୁରି ସୀତାରାମରାଜୁ ଜିଲ୍ଲାର ଏକ ସରକାରୀ ସ୍କୁଲ୍ର । ଏହି ଚୁଟି କଟା ଖବର ଟି ପହଞ୍ଚିିଲା ଜିଲ୍ଲାପାଳଙ୍କ ନିକଟରେ । ପରେ ଚୁଟି କାଟିଥିବା ଗୁରୁମାଙ୍କୁ ସସପେଣ୍ଡ କରିଛନ୍ତି ଜିଲ୍ଲାପାଳ । ତେବେ ଘଟଣାର ପୁଖାନୁପୁଙ୍ଖ ତଦନ୍ତ ପରେ ବିଳମ୍ବିତ ରାତ୍ରରେ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନର ନିର୍ଦ୍ଦେଶ ଦେଇଥିଲେ । ଏହି ପରି ଆଉ ଏକ ଘଟଣା ବିହାରର ଅରବଲ ଜିଲ୍ଳାରୁ ସାମ୍ନାକୁ ଆସିଛି । ଏଠାରେ ଶିକ୍ଷକ ଜଣଙ୍କ ୧୨ ବର୍ଷିୟ ଛାତ୍ରଙ୍କୁ ନିର୍ଧୁମ ମାଡ ମାରିଛନ୍ତି । କାରଣ ଥିଲା ଛାତ୍ର ଜଣଙ୍କ ହୋମୱାର୍କ କରିନଥିଲେ । ଶିକ୍ଷକଙ୍କ ଏହି ମାଡରେ ଛାତ୍ରଙ୍କ ଆଖିରେ ଗୁରୁତର ଆଘାତ ଲାଗିଥିଲା । ଯାହାଦ୍ୱାରା ଛାତ୍ରଙ୍କୁ ହସ୍ପିଟାଲରେ ଆଡମିଟ୍ କରିବାକୁ ପଡିଥିଲା ।
ତେବେ କଣ ପାଇଁ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କର ରାଗର ସିକାର ହେଉଛନ୍ତି କୋମଳମତି ଛାତ୍ରଛାତ୍ରୀ ? କାହାର ରାଗ କାହା ଉପରେ ସାରୁଛନ୍ତି ଶିକ୍ଷକ? ଏ କଥା ବୋଧ ହୁଏ ସେହି ଶିକ୍ଷକ ହିଁ ଜାଣିଥିବେ ଯେଉଁମାନେ ଆକ୍ରୋଶମୂଳକ ଭାବେ ପିଲାଙ୍କୁ ଦଣ୍ଡ ଦେଉଛନ୍ତି । ତେବେ ଆମେ ଏଇଠି ଗୋଟିଏ କଥା କହିବୁ, ଯାହା ଦେହରେ ଚାହାଳି ଛାଟ ବାଜିନି ସେ କି ମଣିଷ ହୋଇଛି । ଗୁରୁଙ୍କ ଛାଟ ଆମକୁ ଅନୁଶାସନ ଖିଖାଇଥାଏ । ସେଥିପାଇଁ ତ ପୂର୍ବରୁ ବାପା-ମା ମାନେ ଦୁଷ୍ଟ ହେଉଥିବା ପିଲାଙ୍କୁ ଚାହାଳିରେ ଛାଡିକି ଆସିବା ସମୟରେ କହିକି ଆସିଥାନ୍ତି ଆଖି କାନ ଛାଡି ତାକୁ ବାଡାଅ । କାରଣ ବାପା-ମା ଜାଣିଛନ୍ତି ଶିକ୍ଷକଙ୍କ ବେତର ଭୟରେ ପିଲା ଶାସନ ହେବା ସହ ସୃଙ୍ଖଳିତ ହୋଇଥାଏ । ଆଉ ସେତେବେଳର ଗୁରୁଙ୍କ ଦଣ୍ଡ ପିଲାଙ୍କ ପ୍ରତ ଆକ୍ରଶୋମୂଳକ ନଥିଲା । ଏମିତିି କିଛି ଦଣ୍ଡ ଦେଉନଥିଲେ ଯେଉଁ ଦଣ୍ଡ ପାଇଁ ଗୁରୁ ନିନ୍ଦା ସହିବାକୁ ପଡିବ । ହେଲେ ବର୍ତ୍ତମାନର ଶିକ୍ଷକ ରାଗ ଜର୍ଜରିତ ହୋଇ ଛୋଟ ଛୋଟ କଥରେ ପିଲାଙ୍କୁ ପିଟିବା, ଚୁଟିକାଟିବା ଭଳି ଦଣ୍ଡ ଦେଉଛନ୍ତି । ଯାହା ସମ୍ପୂର୍ଣ୍ଣ ନିନ୍ଦନୀୟ ।