କନକ ବ୍ୟୁରୋ; ସୋସିଆଲ ମିଡିଆ ଏକ ଏଭଳି ଦୁନିଆ, ଯେଉଁଠି କେତେବେଳେ କ'ଣ ଭାଇରାଲ୍ ହେବ, ତାହା କେହି କହିପାରିବେ ନାହିଁ । କେତେବେଳେ କୌଣସି ମଜାଦାର ଭିଡିଓ ଲୋକଙ୍କୁ ହସାଇଥାଏ ତ ଆଉ କେତେବେଳେ କିଛି ଭାବବିହ୍ୱଳ ଦୃଶ୍ୟ ଲୋକଙ୍କ ଆଖିରେ ଲୁହ ଆଣିଦିଏ । ନିକଟରେ ଏଭଳି ଏକ ଭିଡିଓ ଇଣ୍ଟରନେଟରେ ଝଡ଼ ସୃଷ୍ଟି କରିଛି, ଯାହାକୁ ଦେଖି କୋଟି କୋଟି ଲୋକଙ୍କ ହୃଦୟ ତରଳି ଯାଇଛି । ଏହି ଭିଡିଓରେ ଜଣେ ଝିଅ ରାସ୍ତାକଡ଼ରେ ବସିଥିବା ଜଣେ ବୃଦ୍ଧ ଫଳ ବିକାଳିଙ୍କୁ ଏକ ସାଧାରଣ ପ୍ରଶ୍ନ ପଚାରୁଛନ୍ତି, କିନ୍ତୁ ତା'ର ଉତ୍ତର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦେଖାଯାଉଛି ଯେ, ଜଣେ ଝିଅ ହାତରେ ବୁମ୍ ଧରି ରାସ୍ତାକଡ଼ରେ ଫଳ ବିକ୍ରି କରୁଥିବା ଜଣେ ବୟସ୍କ ବ୍ୟକ୍ତିଙ୍କ ପାଖକୁ ଯାଉଛନ୍ତି । ସେ ଅତି ସ୍ନେହରେ ବୃଦ୍ଧ ଜଣଙ୍କୁ ପଚାରୁଛନ୍ତି, "ଆଜ୍ଞା, ଆପଣ ଶେଷ ଥର ପାଇଁ କେବେ କାନ୍ଦିଥିଲେ?"  ଏହି ଅଜବ ପ୍ରଶ୍ନ ଶୁଣି ବୃଦ୍ଧ ଜଣକ ପ୍ରଥମେ ଟିକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଏବଂ ଏକ ଫିକା ହସ ହସୁଛନ୍ତି । କିଛି ସମୟ ଚୁପ୍ ରହିବା ପରେ ସେ ଯେଉଁ ଉତ୍ତର ଦେଉଛନ୍ତି, ତାହା କେବଳ ସେହି ଝିଅଟିକୁ ନୁହେଁ, ବରଂ ଭିଡିଓ ଦେଖୁଥିବା କୋଟି କୋଟି ଲୋକଙ୍କୁ ଭାବବିହ୍ୱଳ କରିଦେଉଛି ।  ବୃଦ୍ଧ ଜଣକ କୋହଭରା କଣ୍ଠରେ କହୁଛନ୍ତି,  ମୋ ଅଧୁରା ପ୍ରେମ..  ୮ ବର୍ଷ ସମ୍ପର୍କରେ ରହିବା ପରେ ଅଲଗା ହୋଇଥିଲୁ । ବ୍ୟକ୍ତି ଜଣଙ୍କ  କହିଛନ୍ତି ମୁଁ ତାଙ୍କୁ ବିବାହ କରିବାକୁ ଚାହୁଁଥିଲି କିନ୍ତୁ ତାଙ୍କ ଘର ଲୋକ ରାଜି ନଥିଲେ ।  ଯାହାଦ୍ବାରା  ଦୁଇ ଜଣଙ୍କୁ ଅଲଗା ହେବାକୁ ପଡିଥିଲା ।  ଏବେ ବି ସେ ମୋର ମନେ ପଡେ ।  ଏତିକି କହି କାନ୍ଦି ପକାଇଥିଲେ ବ୍ୟକ୍ତି ଜଣଙ୍କ ।    

ଏହି ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏହାକୁ ଦେଖୁ ଦେଖୁ ୭ କୋଟିରୁ   ଅଧିକ ଥର ଦେଖା ସରିଲାଣି । ଲକ୍ଷ ଲକ୍ଷ ଲୋକ ଏହାକୁ ସେୟାର କରିଛନ୍ତି ଏବଂ କମେଣ୍ଟ ବକ୍ସରେ ନିଜର ଭାବନା ବ୍ୟକ୍ତ କରୁଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି, "ହସୁଥିବା ଚେହେରା ପଛରେ କେତେ ଯେ ଯନ୍ତ୍ରଣା ଲୁଚି ରହିଥାଏ, ଏହି ଭିଡିଓ ତା'ର ପ୍ରମାଣ ।" ଆଉ ଜଣେ ଲେଖିଛନ୍ତି, "ଏହି ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଏକ ସଂଘର୍ଷର କାହାଣୀକୁ ନେଇ ବଞ୍ଚୁଛି । ଆମେ କାହାକୁ ବି ତାଙ୍କ ବାହ୍ୟ ରୂପରୁ ବିଚାର କରିବା ଉଚିତ୍ ନୁହେଁ ।" ଅନେକ ଲୋକ ସେହି ବୃଦ୍ଧ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଆଗ୍ରହ ଦେଖାଇଛନ୍ତି ।