କନକ ବ୍ୟୁରୋ: ଇଂଲଣ୍ଡ ମାଟିରେ ଗର୍ଜିଲା ଶୁବମନଙ୍କ ବ୍ୟାଟ୍ । ଏଜବେଷ୍ଟନ ଟେଷ୍ଟରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଭାରତର ପ୍ରଥମ ଇନିଂସରେ ଶୁବମନ ୨୬୯ ରନ କରିଥିଲେ । ଏବେ ଦ୍ବିତୀୟ ଇନିଂସରେ ବି ଶତକ କରିଛନ୍ତି ଶୁବମନ ଗିଲ୍ । ଶୁବମନ ହେଉଛନ୍ତି ଦ୍ବିତୀୟ ଭାରତୀୟ, ଯିଏ ଟେଷ୍ଟ ମ୍ୟାଚରେ ଉଭୟ ଇନିଂସରେ ଦ୍ବିଶତକ ଓ ଶତକ ହାସଲ କରିଛନ୍ତି । ଶୁବମନଙ୍କ ପୂର୍ବରୁ ସୁନୀଲ ଗାଭାସ୍କରଙ୍କ ନାଁରେ ଏ ରେକର୍ଡ ରହିଥିଲା । ଗାଭାସ୍କର ଏପ୍ରିଲ ୧୯୭୧ ମସିହାରେ ୱେଷ୍ଟଇଣ୍ଡିଜ ବିରୋଧରେ ମୋଟ ୩୪୪ ରନ କରିଥିଲେ । ଏଥିମଧ୍ୟରେ ୧୨୪ ଓ ୨୨୦ ରନ ସାମିଲ ଥିଲା ।
ଶୁବମନ ଗିଲ୍ ଟେଷ୍ଟ ମ୍ୟାଚରେ ଅଧିକ ରନ ସ୍କୋର କରିଥିବା ଭାରତୀୟ ଅଧିନାୟକ ସାଜିଛନ୍ତି । ବିରାଟ କୋହଲିଙ୍କୁ ପଛରେ ପକାଇ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ଶୁବମନ । ଏହାପୁର୍ବରୁ କୋହଲି ଶ୍ରୀଲଙ୍କା ବିପକ୍ଷ ଉଭୟ ଇନିଂସରେ ୨୯୩ ରନ୍ କରିଥିଲେ । ଏସିଆ ବାହାରେ କୌଣସି ଟେଷ୍ଟ ମ୍ୟାଚରେ ୩୫୦ରୁ ଅଧିକ ରନ କରିଥିବା ଦ୍ବିତୀୟ ଖେଳାଳି ହୋଇଛନ୍ତି ଶୁବମନ ଗିଲ୍ । ଏହାପୂର୍ବରୁ ହନିଫ ମହମ୍ମଦ ୧୯୫୮ରେ ୱେଷ୍ଟଇଣ୍ଡିଜ ବିରୋଧରେ ବ୍ରିଜଟାଉନ ଟେଷ୍ଟରେ ୩୫୪ ରନ କରିଥିଲେ । ଏବେ ଶୁବମନ ହନିଫଙ୍କ ରେକର୍ଡ ମଧ୍ୟ ଭାଙ୍ଗି ସାରିଛନ୍ତି ।