କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଖେଳାଳି ଦମଦାର ପ୍ରଦର୍ଶନ କରିଥିଲେ । ଜୟସ୍ୱାଲ, ଗିଲ ଓ ପନ୍ତଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିଥିଲା । ଫଳରେ ଦଳ ୪୦୦ରୁ ଅଧିକ ସ୍କୋର କରି ଦୃଢ଼ ସ୍ଥିତିରେ ପହଞ୍ଚିଛି । ଗୋଟିଏ ପଟେ ଗିଲ ଅଧିନାୟକ ଭାବେ ପ୍ରଥମ ମ୍ୟାଚରେ ଚମତ୍କାର ପାଳି ଖେଳିଥିଲା ବେଳେ ଆଉ ଗୋଟିଏ ପଟେ ଏମିତି ଏକ ଭୁଲ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । 

Advertisment

ଏହି ମ୍ୟାଚ୍‌ର ପ୍ରଥମ ଦିନରେ ଶୁବମନ କଳା ମୋଜା ପିନ୍ଧି ବ୍ୟାଟିଂ କରିବାକୁ ଆସିଥିଲେ, ଯାହାକୁ ଆଇସିସି ନିୟମର ଉଲ୍ଲଂଘନ ବୋଲି ବିବେଚନା କରାଯାଉଛି । ଆପଣଙ୍କୁ କହି ରଖୁଛୁ ଯେ, ଆଇସିସି ପୋଷାକ ଏବଂ ଉପକରଣ ନିୟମର ଧାରା ୧୯.୪୫ ଅନୁଯାୟୀ, ଖେଳାଳିମାନଙ୍କୁ ଟେଷ୍ଟ କ୍ରିକେଟରେ ଧଳା, କ୍ରିମ୍ କିମ୍ବା ହାଲୁକା ଧୂସର ରଙ୍ଗର ମୋଜା ପିନ୍ଧିବାକୁ ପଡିବ । କିନ୍ତୁ ଶୁଭମନ ଗିଲ୍ କଳା ରଙ୍ଗର ମୋଜା ପିନ୍ଧି ବାହାରିଥିଲେ । ମେରିଲେବୋନ୍ କ୍ରିକେଟ୍ କ୍ଲବର ସୁପାରିଶ ପରେ ଏହି ନିୟମ ମେ’ ୨୦୨୩ରୁ କାର୍ଯ୍ୟକାରୀ ହୋଇଥିଲା ।

ଏବେ ଏହା ମ୍ୟାଚ୍ ରେଫରି ରିଚି ରିଚାର୍ଡସନଙ୍କ ଉପରେ ନିର୍ଭର କରିବ ଯେ ସେ କି ନିଷ୍ପତ୍ତି ନେବେ । ଯଦି ମ୍ୟାଚ୍ ରେଫରି ଭାବନ୍ତି ଯେ ଶୁବମନ ଜାଣିଶୁଣି ସ୍ତର-୧ ଅପରାଧ କରିଛନ୍ତି, ତେବେ ଭାରତୀୟ ଅଧିନାୟକଙ୍କୁ ଜରିମାନା ଦିଆଯାଇପାରେ, ଯାହା ୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ । ତଥାପି, ଯଦି ରେଫରି ଅନୁଭବ କରନ୍ତି ଯେ ଶୁବମନ ଗିଲ୍ ଏହା ଅଜାଣତରେ କିମ୍ବା ପରିସ୍ଥିତି ଯୋଗୁଁ କରିଛନ୍ତି ତେବେ ସେ ଜରିମାନାରୁ ବଞ୍ଚିପାରିବେ ।

ଆଇସିସିର ଲେଭଲ୍-୧ ଅପରାଧ ପାଇଁ, ଜଣେ ଖେଳାଳିଙ୍କୁ ତାଙ୍କ ମ୍ୟାଚ୍ ଫି’ର ୦ରୁ ୫୦ ପ୍ରତିଶତ ଜରିମାନା କରାଯାଇପାରେ ଏବଂ ଡିମେରିଟ୍ ପଏଣ୍ଟ ଦିଆଯାଇପାରେ । ଲେଭଲ୍-୨ ଅପରାଧ ପାଇଁ, ଜଣେ ଖେଳାଳିଙ୍କୁ ତାଙ୍କ ମ୍ୟାଚ୍ ଫି’ର ୫୦ରୁ ୧୦୦ ପ୍ରତିଶତ ଜରିମାନା କରାଯାଇପାରେ ଏବଂ ବ୍ୟାନ୍ କରାଯାଇପାରେ । ତଥାପି, ଡ୍ରେସ୍ କୋଡ୍ ସମ୍ବନ୍ଧୀୟ ମାମଲାଗୁଡ଼ିକ କ୍ୱଚିତ୍ ଲେଭଲ୍-୨ ଅପରାଧ ଅଧୀନରେ ଆସେ ।