କନକ ବ୍ୟୁରୋ: ଅଧିନାୟକ ଶୁବମନ୍ ଗିଲ୍ ପୁଣି ଥରେ ମାଞ୍ଚେଷ୍ଟର୍ ଟେଷ୍ଟର ପ୍ରଥମ ପାଳିରେ ବିଫଳ ହୋଇଛନ୍ତି । ତେବେ ଟିମ୍‌ ଇଣ୍ଡିଆର ଶୀର୍ଷକ୍ରମ ଲଢ଼ୁଆ ବ୍ୟାଟିଂ କରିଛି । ପ୍ରତିକୂଳ ପରିବେଶ ଓ ମେଘାଚ୍ଛନ୍ନ  ପାଗରେ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇବାର ଚାପକୁ ଦୁଇ ଓପନର୍ କେଏଲ୍ ରାହୁଲଓ ଯଶସ୍ୱୀ ଜୟସ୍ୱାଲ ସଫଳତାର ସହ ପ୍ରତିହତ କରିଥିଲେ । ଉଭୟ ଯଥାକ୍ରମେ ୪୬ ଓ ୫୮ ରନ୍‌ କରି ପାଭେଲିୟନ ଫେରିଥିଲେ ।  ପରେ ସାଇ ସୁଦର୍ଶନଙ୍କ ପ୍ରଥମ ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ପ୍ରଥମ ଦିନରେ ୪ ୱିକେଟ୍ ହରାଇ ୨୬୪ ରନ୍ କରି ନେଇଛି । ସେ ୬୧ ରନ୍‌ କରି ଆଉଟ୍‌ ହୋଇଛନ୍ତି ।  ଉପଅଧିନାୟକ ଋଷଭ ପନ୍ତ ଆହତ ହେବା କିନ୍ତୁ ଦଳର ଚିନ୍ତା ବଢ଼ାଇଛି । ରାହୁଲ-ଜୟସ୍ୱାଲ ମଧ୍ୟାହ୍ନ‌ଭୋଜନ ବିରତି ପର୍ଯ୍ୟନ୍ତ ଅପୂର୍ବ ଏକାଗ୍ରତାର ପରିଚୟ ଦେବାରୁ ଭାରତ ବିନା କ୍ଷତି‌ରେ ୭୮ ରନ୍ କରିନେଇଥିଲା । ଏହି କାରଣରୁ ଇଂଲଣ୍ଡ ଉପରେ ପାଲଟା ଚାପ ସୃଷ୍ଟି ହୋଇଥିଲା । ବିରତି ପରେ କିନ୍ତୁ ଘରୋଇ ଦଳ ଅଚାନକ ଫର୍ମକୁ ଫେରିଥିଲା । ଅର୍ଦ୍ଧଶତକର ୪ ରନ୍ ପୂର୍ବରୁ ରାହୁଲଙ୍କୁ କ୍ରିସ୍ ଓକ୍ସ ଆଉଟ୍ କରି ଇଂଲଣ୍ଡକୁ ପ୍ରଥମ ସଫଳତା ଉପହାର ଦେଇଥିଲେ । ୯୪ ରନ୍‌ର ଦଳୀୟ ସ୍କୋର୍‌ ବେଳେ ରାହୁଲ-ଜୟସ୍ୱାଲଙ୍କ ଯୋଡ଼ି ଭାଙ୍ଗିଥିଲା । ଜୟସ୍ୱାଲ ଅବଶ୍ୟ ଧୈର୍ଯ୍ୟର ସହ ଖେଳି ନିଜ ଦ୍ୱାଦଶ ଏବଂ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଅର୍ଦ୍ଧଶତକ ପୂରଣ କରିଥିଲେ । 

Advertisment

ସ୍ପିନର୍‌ ଲିଆମ ଡ’ସନ୍ ଅର୍ଦ୍ଧଶତକର ଠିକ୍‌ ୮ ରନ୍ ପରେ ତାଙ୍କୁ ବି ଆଉଟ୍ କରିବା ଇଂଲଣ୍ଡକୁ ଉତ୍ସାହିତ କରିଥିଲେ । ମାତ୍ର ୨୦ ରନ୍ ପରେ ଗିଲ୍ ପ୍ରତିପକ୍ଷ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ଇନ୍ ସୁଇଂ ବଲ୍‌କୁ ସଟ୍  ନଖେଳି LBW ହେବା ଭାରତୀୟ ପ୍ରଶଂସକଙ୍କୁ କିନ୍ତୁ ନିରାଶ କରିଥିଲା । ଦ୍ୱିତୀୟ ଅଧିବେଶନରେ ଇଂଲଣ୍ଡ ୭୧ ରନ୍ ଖର୍ଚ୍ଚ କରି ୩ ୱିକେଟ୍ ଅକ୍ତିଆର କରିଥିଲା । ତୃତୀୟ ତଥା ଶେଷ ଅଧିବେଶନର ପ୍ରଥମ ୪୫ ମିନିଟ୍‌ରେ ସୁଦର୍ଶନଙ୍କ ଲଢ଼ୁଆ ଖେଳ ଏବଂ ପନ୍ତଙ୍କ ପ୍ରତିଆକ୍ରମଣ ଆକର୍ଷଣ ପାଲଟିଥିଲା । ତେବେ ୬୮ତମ ଓଭରର କ୍ରିସ୍ ଓକ୍ସଙ୍କ ୟର୍କର ଲେନ୍ଥ ବଲ୍‌କୁ ରିଭର୍ସ ସୁଇପ୍ କରିବାକୁଯାଇ ପନ୍ତ ଆହତ ଅବସର ହେବା ଭାରତ ପାଇଁ ବଡ଼ ଝଟ୍‌କା ଥିଲା। ଏହା ପୂର୍ବରୁ ସୁଦର୍ଶନ ଓ ପନ୍ତ ଚତୁର୍ଥ ୱିକେଟ୍‌ରେ ଯୋଡ଼ିଥିବା ୭୨ ରନ୍ ଟିମ୍ ଇଣ୍ଡିଆ ପାଇଁ  ଦ୍ୱିତୀୟ ସର୍ବାଧିକ ଭାଗୀଦାରି ଥିଲା । ପନ୍ତ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହେବା ପରେ ସୁଦର୍ଶନ ଓ ରବୀନ୍ଦ୍ର ଜାଡେଜା ଭାରତୀୟ ପାଳିକୁ ଆଗେଇ ନେବାକୁ ଚେଷ୍ଟା କରିଥିଲେ । ହେଲେ ‌ଷ୍ଟୋକ୍ସ କୌଶଳକ୍ରମେ ସୁଦର୍ଶନଙ୍କୁ ଶିକାର କରି ଭାରତ ପାଇଁ ସବୁଠୁ ବଡ଼ ଅଡ଼ୁଆ ଭାବେ ଉଭା ହୋଇଥିଲେ ।

ଲଗାତାର ୧୪ ଟସ୍ ହାରିଲା ଭାରତ

ଅଧିନାୟକ ବଦଳିଲେ, ହେଲେ ଟସ୍‌ରେ ଭାରତୀୟ କ୍ରିକେଟ୍‌ର ଭାଗ୍ୟ ବଦଳିଲାନି । ରୋହିତ ଶର୍ମାଙ୍କ ଅମଳରୁ ଯେଉଁ ଧାରା ଆରମ୍ଭ ହୋଇଥିଲା ଗିଲ୍‌ଙ୍କ ନେତୃତ୍ୱରେ ସେହି ଧାରା ଲାଗି ରହିଛି । ଭାରତୀୟ କ୍ରିକେଟ୍ ଦଳ ବୁଧବାର ସବୁ ଫର୍ମାଟ୍‌କୁ ମିଶାଇ ଲଗାତାର ୧୪ ଟସ୍ ହାରିବାର ଆଲୋଡ଼ା ରେକର୍ଡ କରିଛି । କ୍ରିକେଟ୍‌ରେ ଏଭଳି ସମ୍ଭାବନା ୧୬୩୮୪ରେ ଥରେ ଘଟିଥାଏ । ପୁଣି ଚଳିତ ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳାରେ ଚାରିଟିରୁ ଚାରିଟି ଟସ୍ ହାରିଛି ଟିମ୍ ଇଣ୍ଡିଆ । ଗିଲ୍ ନିଜ ଅଧିନାୟକତ୍ୱର ୪ ଟେଷ୍ଟ୍‌ ମଧ୍ୟରୁ ଗୋଟିଏ ହେଲେ ବି ଟସ୍ ଜିତିବାରେ ବିଫଳ ହେବାରୁ ଘରୋଇ ଦଳ ଇଂଲଣ୍ଡ ଫାଇଦାରେ ରହୁଛି । ମେଘାଚ୍ଛନ୍ନ ମାଞ୍ଚେଷ୍ଟର୍ ପାଗର ସଦୁପଯୋଗ କରି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଛି । ଏହା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ଲର୍ଡସରେ ଖେଳାଯାଇଥିବା ଏହି ଶୃଙ୍ଖଳାର ତୃତୀୟ ଟସ୍ ହାରିବା ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଲଗାତାର ସର୍ବାଧିକ ଟସ୍ ହାରିଥିଲା । ଏହିକ୍ରମରେ ଭାରତୀୟ କ୍ରିକେଟ୍ ଦଳ ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ଭାଙ୍ଗିଥିଲା । ଇଣ୍ଡିଜ୍ ୧୯୯୯ ମସିହାରେ ଲଗାତାର ୧୨ ‌ଟସ୍ ହାରିଥିଲା ।

ଟେଷ୍ଟରେ ଡେବ୍ୟୁ କଲେ କମ୍ବୋଜ

ଓଲ୍‌ଡ ଟ୍ରାଫୋର୍ଡ ଟେଷ୍ଟ୍‌ ପାଇଁ ଅପ୍ରତ୍ୟାଶିତ ଭାବେ ଭାରତୀୟ ଦଳରେ ସାମିଲ ହେବା ସହ ହରିୟାଣାର ୨୪ବର୍ଷୀୟ ଡାହାଣହାତୀ ଦ୍ରୁତ ବୋଲର ଅଂଶୁଲ କମ୍ବୋଜ ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି । ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ୍ ଆରମ୍ଭ ହେବା ପୂର୍ବରୁ ତାଙ୍କୁ ଟିମ୍‌ ଇଣ୍ଡିଆ କ୍ୟାପ୍‌ ପ୍ରଦାନ କରାଯାଇଥିଲା । ୬ ଫୁଟ ୨ ଇଞ୍ଚ ଉଚ୍ଚତା ବିଶିଷ୍ଟ କମ୍ବୋଜ ୨୪ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୭୯ ୱିକେଟ୍ ନେଇଛନ୍ତି । ସେ ଗତ ରଣଜୀ ସିଜିନ୍‌ରେ  ୬ ମ୍ୟାଚ୍‌ରୁ ୩୪ ୱିକେଟ୍ ନେଇଥିଲେ । କମ୍ବୋଜ ମଧ୍ୟ ୨୦୨୪-୨୫ ଋତୁରେ ଦଲୀପ ଟ୍ରଫିର ସର୍ବାଧିକ ୱିକେଟ୍ ସଂଗ୍ରହକାରୀ ଥିଲେ । ସେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଆଇପିଏଲ୍ ଖେଳିଛନ୍ତି । ୨୦୨୨ରେ ତ୍ରିପୁରା ବିପକ୍ଷରେ ରଣଜୀ କ୍ୟାରିୟର୍ ଆରମ୍ଭ କରିଥିବା କମ୍ବୋଜ ଗତବର୍ଷ ନଭେମ୍ବର ମାସରେ ତୃତୀୟ ଭାରତୀୟ ବୋଲର ଭାବେ କେରଳର ସମସ୍ତ ୧୦ଟି ଯାକ ୱିକେଟ୍ ନେଇ ଚର୍ଚ୍ଚାକୁ ଆସିଥିଲେ । ସିମ୍ ଓ ସୁଇଂ ଦକ୍ଷତା ଲାଗି ତାଙ୍କୁ କିଂବଦନ୍ତି ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ପୂର୍ବତନ ଅଫ୍‌ସ୍ପିନର ଆର୍‌ ଅଶ୍ବିନ ଉଚ୍ଚ ପ୍ରଶଂସା କରିସାରିଛନ୍ତି ।