କନକବ୍ୟୁରୋ : ତହସିଲଦାରଙ୍କ କାମ ଚାପ ଏବଂ ଦୁର୍ବ୍ୟବହାର ଯୋଗୁଁ ମେଡିକାଲରେ ଆର.ଆଇ । କେନ୍ଦୁଝର ଘସିପୁରା ବ୍ଲକ କେଶଦୁରାପଡ଼ାର ମହିଳା ରାଜସ୍ବ ନିରୀକ୍ଷକ ସବିତା ପଣ୍ଡିତ, ଘସିପୁରା ତହସିଲଦାରଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ ।  ତାଙ୍କୁ ତହସିଲଦାର ନୀଳକଣ୍ଠ ବେହେରା ବିଭିନ୍ନ ସମୟରେ ମାନସିକ ନିର୍ଯାତନା ଦେବା ସହିତ ଅଶ୍ଳିଳ କଥାବାର୍ତ୍ତା କରୁଥିବା ସେ ସିଧାସଳଖ ଅଭିଯୋଗ କରିଛନ୍ତି ।

Advertisment

ତେବେ ଗତକାଲି ତହସିଲଦାରଙ୍କ ଦୁର୍ବ୍ୟବହାର ସବୁ ସୀମା ଟପି ଯାଇଥିଲା। ଆର.ଆଇ ସବିତା ପଣ୍ଡିତଙ୍କୁ ରାତିରେ ରେକର୍ଡ ପତ୍ର ଧରି ତହସିଲ କାର୍ଯ୍ୟାଳୟକୁ ଆସିବାକୁ କହିବାରୁ ସବିତା ସାମାନ୍ୟ ଅମଙ୍ଗ ହୋଇଥିଲେ । 

ଏଥିରେ ଉତକ୍ଷିପ୍ତ ହୋଇ ତହସିଲଦାର ଚଢା ଗଳାରେ ଫୋନ୍ ଯୋଗେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଚାକିରୀ ନେଇଯିବାର ଧମକ ଦେଇଥିବା ଅଭିଯୋଗ ହୋଇଛି । ଫଳରେ ରୋଷେଇ କରିବା ବେଳେ ଚେତାଶୂନ୍ୟ ହୋଇଯାଇଥିଲେ ଆର.ଆଇ । ଏହାପରେ ପରିବାର ଲୋକେ ତାଙ୍କୁ ଆଣି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ଏନେଇ ଘସିପୁରା ତହସିଲଦାର ନୀଳକଣ୍ଠ ବେହେରାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।