କନକ ବ୍ୟୁରୋ : ପୁରୁଷୋତ୍ତମ କ୍ଷେତ୍ରରେ ରାଜାଧିରାଜ ବିରାଜିତ । ଯିଏ ସର୍ବ ଦେବ-ଦେବୀମାନଙ୍କ ମଧ୍ୟରେ ଶ୍ରେଷ୍ଠ, ଅଗ୍ରଗଣ୍ୟ,ସର୍ବମୟ କର୍ତ୍ତା । ତାଙ୍କର ଆରାଧନା ମହୋତ୍ସବରେ ନାନା ବାଦ୍ୟ ବାଜଣା ଭକ୍ତ ଜନମନକୁ ଭକ୍ତି ଭାବରେ ଉଦବୁଦ୍ଧ କରେ । ରଥଯାତ୍ରା ସମୟରେ ଗୀତ,ବାଦ୍ୟ ଓ ନୃତ୍ୟ ପ୍ରଭୃତି ପରିବେଷଣ କରାଯିବା ପାଇଁ ବିଧିବ୍ୟବସ୍ଥା ରହିଛି । ମାଦଳ,ମହୁରୀ,ଘଣ୍ଟ,ଘଣ୍ଟା ବାଜିଉଠିଲେ ହୃଦୟତନ୍ତ୍ରୀରେ ଯେଉଁ ଅପୂର୍ବ ଶିହରଣ ଖେଳିଯାଏ , ତାହା ଅବର୍ଣ୍ଣନୀୟ । 

Advertisment
Ghanta sebak
Ghanta sebak Photograph: (kanaknews)

ଏ ଦୁନିଆରେ ଆଦ୍ୟ ସୃଷ୍ଟି ହେଲା ଧ୍ବନି ଆଉ ଆଦ୍ୟ ଧ୍ବନି ହେଉଛି ଓଁକାର , ଯାହା ହେଉଛି ସ୍ବୟଂ ଈଶ୍ବରଙ୍କର ଆରାଧନାର ମନ୍ତ୍ର । ସେହି ମନ୍ତ୍ରବୀଜ ବା ବୀଜମନ୍ତ୍ରର ଶକ୍ତି ଅସୀମ । ସବୁ ଶ୍ଲୋକର ଆରମ୍ଭରେ ଏହି ଓଁକାର ଆଦି ଅକ୍ଷର,ମୂଳ । ସମସ୍ତ ମଙ୍ଗଳକର୍ମରେ ବାଦ୍ୟ ପ୍ରୟୋଜନ । ଘଣ୍ଟବାଦ୍ୟ ଶୁଭ ତଥା ବିଜୟର ପ୍ରତୀକ । ଶ୍ରୀମନ୍ଦିର ସ୍ବତ୍ବଲିପିରେ ଥିବା ସେବାଟି ହେଲା ଘଣ୍ଟସେବା । ସବୁ ସେବା ମୂଳରେ ଧାର୍ମିକ ତଥା ବୈଜ୍ଞାନିକ ପ୍ରଭାବ ରହିଛି । ସେ ଦୁଇଟି ହେଲା ଭିତର ଘଣ୍ଟୁଆ ଏବଂ ବାହାର ଘଣ୍ଟୁଆ। ଭିତର ଘଣ୍ଟୁଆ ବର୍ଷସାରା ଶ୍ରୀମନ୍ଦିର ଭିତରେ ବିଭିନ୍ନ ନୀତି ସମୟରେ ଘଣ୍ଟବାଦନ କରୁଥିବାବେଳେ ବାହାର ଘଣ୍ଟୁଆମାନେ ରଥଯାତ୍ରା ସମୟରେ ରଥ ଉପରେ ଘଣ୍ଟବାଦନ କରିଥା’ନ୍ତି । 

RATHAJATRA
RATHAJATRA Photograph: (google)

ଶ୍ରୀମନ୍ଦିରରେ ଶାଢ଼ିବନ୍ଧା ଶୂଦ୍ର ସେବକ ବଂଶାନୁକ୍ରମିକ ଘଣ୍ଟବାଦନ ସେବାରେ ରହିଥା’ନ୍ତି । ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ଯେଉଁମାନେ ବର୍ଷର ବିଭିନ୍ନ ସମୟରେ ଘଣ୍ଟବାଦନ କରିଥା’ନ୍ତି ସେମାନେ ରଥଯାତ୍ରାରେ ଘଣ୍ଟବାଦନ ସେବା କରି ନଥା’ନ୍ତି । ନନ୍ଦିଘୋଷ ରଥରେ ୩୨ ଜଣ , ତାଳଧ୍ବଜ ରଥରେ ୨୮ ଏବଂ ଦର୍ପଦଳନ ରଥରେ ୨୪ ଜଣ ଘଣ୍ଟୁଆ ରହିଥା’ନ୍ତି । ସଙ୍ଗୀତ ଶାସ୍ତ୍ରରେ ଘନବାଦ୍ୟ କହିଲେ ଘଣ୍ଟ-ଘଣ୍ଟା-ଘଣ୍ଟି ନାଦକୁ ବୁଝାଏ । ଏହାର ବିଭାଗ ଧାତୁ ଭେଦରେ ରହିଛି ଯେମିତିକି ଜୟ ଘଣ୍ଟିକା ହେଲା ମଞ୍ଜରୀ,ଗିନି,ଘଟିକା ବାଦ୍ୟ ହେଲା ବଡ଼ ଘଣ୍ଟି, କ୍ଷୁଦ୍ର ଘଣ୍ଟି ହେଲା ପୂଜାର ଘଣ୍ଟି ଆଉ ଦୋଳାୟମାନ ଘଣ୍ଟି ।