କନକ ବ୍ୟୁରୋ:  ମାଡାଗାସ୍କରର ମୁଖ୍ୟ ବନ୍ଦର ସହର ଟୋଆମାସିନାରେ ବାତ୍ୟା ଗେଜାନି ତାଣ୍ଡବ ରଚିଛି । ଗେଜାନି ସ୍ଥଳଭାଗ ଛୁଇଁବା ସମୟରେ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଥିଲା । ଏହାର ପ୍ରଭାବରେ ୩୧ ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି । ୪ ଜଣ ନିଖୋଜ ଥିବାବେଳେ ୩୬ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପ୍ରବଳ ବର୍ଷା ଓ ପବନ ଲାଗି ରହିଥିବାରୁ ୬,୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଘୂର୍ଣ୍ଣିଝଡ଼ ଗେଜାନି ମଙ୍ଗଳବାର ଲ୍ୟାଣ୍ଡଫଲ୍‌ କରିଥିବାବେଳେ ଭୟଙ୍କର ପବନ ହୋଇଥିଲା । ଘଣ୍ଟା ପ୍ରତି ପ୍ରାୟ ୧୮୫ କିଲୋମିଟର (୧୧୫ ମାଇଲ) ବେଗରେ ପବନ ବହିଥିଲା ।

Advertisment

ଅଧିକ ପଢନ୍ତୁ:  ଆସୁଛି ବାତ୍ୟା ‘ଡିଟୱା’ : ଓଡ଼ିଶାରେ ପଡ଼ିବନି ପ୍ରଭାବ 

ସ୍ଥଳ ବିଶେଷରେ ୨୭୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଝଟ୍‌କା ପବନ ବହିବା ଯୋଗୁ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ପବନ ଯୋଗୁ ଅନେକ ଦୁର୍ବଳ କୋଠା ଭୁଶୁଡ଼ି ପଡ଼ିଥିଲା । ‌କୋଠା ଭୁଶୁଡ଼ି ପଡ଼ିବା ଯୋଗୁ ବହୁ ଲୋକଙ୍କ ମୃତ୍ୟୁ ହୋଇଥିଲା ବୋଲି ଜାତୀୟ ବିପଦ ଏବଂ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଅଧିକାରୀମାନେ କହିଛନ୍ତି ଯେ ଟୋମାସିନାର ପ୍ରାୟ ୭୫ ପ୍ରତିଶତ ଭିତ୍ତିଭୂମି କ୍ଷତିଗ୍ରସ୍ତ କିମ୍ବା ନଷ୍ଟ ହୋଇଯାଇଛି, ଯେଉଁଥିରେ ଘର, ଦୋକାନ, ବିଦ୍ୟୁତ୍ ଭିତ୍ତିଭୂମି ଏବଂ ରାସ୍ତା ରହିଛି । ଅକ୍ଟୋବରରେ ଏକ ସାମରିକ ବିଦ୍ରୋହ ପରେ କ୍ଷମତାକୁ ଆସିଥିବା ରାଷ୍ଟ୍ରପତି ମାଇକେଲ ରାଣ୍ଡ୍ରିଆନିରିନା କ୍ଷୟକ୍ଷତି ଆକଳନ କରିବା ପାଇଁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ ।

ଜାତିସଂଘ ଆକଳନ କରିଛି ଯେ ଘୂର୍ଣ୍ଣିଝଡ଼ ମାଡାଗାସ୍କରରେ ବାର୍ଷିକ ପ୍ରାୟ ୮୫ ନିୟୁତ ଡଲାରର ଭିତ୍ତିଭୂମି କ୍ଷତି କରିଥାଏ । ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ଯେ ଗେଜାନି ଭାରତ ପହଞ୍ଚିବାର ସମ୍ଭାବନା ନାହିଁ । ଏହି ପ୍ରଣାଳୀ ଦକ୍ଷିଣ-ପଶ୍ଚିମ ଭାରତ ମହାସାଗର ଅଞ୍ଚଳରେ ସୀମିତ ରହିବ, ଯଦି ଏହା ପୁଣି ଶକ୍ତିଶାଳୀ ହୁଏ ତେବେ ମାଡାଗାସ୍କର ଏବଂ ସମ୍ଭବତଃ ମୋଜାମ୍ବିକର ଉପକୂଳର କିଛି ଅଂଶକୁ ପ୍ରଭାବିତ କରିବ । ଚଳିତ ବର୍ଷ ମାଡାଗାସ୍କରରେ ଏହା ଦ୍ୱିତୀୟ ଘୂର୍ଣ୍ଣିଝଡ଼ ଥିଲା। ଦଶ ଦିନ ପୂର୍ବରୁ ଆସିଥିବା ଘୂର୍ଣ୍ଣିଝଡ଼ ଫିଟିଆରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୩୧,୦୦୦ ରୁ ଅଧିକ ଲୋକ ବାସଚ୍ୟୁତ ହୋଇଥିଲେ ।