କନକ ବ୍ୟୁରୋ : ଗତ ବର୍ଷ ଅଗଷ୍ଟ ମାସରୁ କାମଚଳା ସରକାରର ମୁଖ୍ୟ ପରାମର୍ଶଦାତା ଥିବା ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ଆହୁରି ବର୍ଷେ ଯାଏ ପଦବୀରେ ରହିବେ । ଶୀଘ୍ର ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳର ଦାବି ସତ୍ତ୍ବେ ମଧ୍ୟ ଏଥିପାଇଁ ପ୍ରସ୍ତୁତ ନାହାଁନ୍ତି ଅନ୍ତରୀଣ ସରକାର । ତମାମ ରାଜନୈତିକ ଦଳଙ୍କ ସହ ତାଳ ମିଳାଇଛନ୍ତି ସେନାମୁଖ୍ୟ ଜେନେରାଲ ୱାକର ଉଜ୍ ଜମାନ । ସେ ମଧ୍ୟ ଶୀଘ୍ର ନିର୍ବାଚନ ସହ ସାଧାରଣ ଜନତାଙ୍କ ଦ୍ବାରା ନିର୍ବାଚିତ ସରକାର ସପକ୍ଷରେ ଜୋର ଦେଇଥିଲେ । ମାତ୍ର ଦେଶର ପରିସ୍ଥିତି ଏବେ ନିର୍ବାଚନ ପାଇଁ ଅନୁକୂଳ ନଥିବା ଦର୍ଶାଇ ୟୁନୁସ ସରକାର ଏହାକୁ ଘୁଞ୍ଚାଇଦେଇଛନ୍ତି । 

Advertisment

ଅନ୍ୟପକ୍ଷରେ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ସାଧାରଣ ନିର୍ବାଚନ ଶେଷ କରିବାକୁ ବାଂଲା ନ୍ୟାସନାଲ ପାର୍ଟି ଦାବି କରିଛି । ଶେଖ୍ ହସିନାଙ୍କ ବିରୋଧୀ ଥିବା ଏହି ଦଳ ସାଧାରଣ ଆକ୍ରୋଶରୁ ଫାଇଦା ନେବାକୁ ଆଶା ରଖିଛି । ଏହା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିଆଙ୍କ ଉପରୁ ବିଭିନ୍ନ ମାମଲା ପ୍ରତ୍ୟାହାର ପରେ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏଭଳି ସ୍ଥିତିରେ ସାଧାରଣ ନିର୍ବାଚନ ଆଗାମୀ ବର୍ଷ ହେବାକୁ ସମସ୍ତ ରାଜନୈତିକ ଦଳ ଏକସ୍ବରରେ ଦାବି କରିଛନ୍ତି । ବାଂଲାଦେଶ ଅନ୍ତରୀଣ ସରକାରର ଦାୟିତ୍ବ ନେବା ପରଠାରୁ ମହମ୍ମଦ ୟୁନୁସ ଭାରତ ବିରୋଧୀ ମନୋଭାବ ପୋଷଣ କରିଆସୁଛନ୍ତି । ସେଥିପାଇଁ ୟୁନୁସ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଚାଇନା ଓ ପାକିସ୍ତାନ ସହ ସମ୍ପର୍କ ବୃଦ୍ଧି କରିବାକୁ ଚେଷ୍ଟାରେ ଅଛନ୍ତି । ନିର୍ବାଚନ ଘୁଞ୍ଚାଇ ଏହି ଦୁଇ ଦେଶ ସହ ବହୁ ପ୍ରତିରକ୍ଷା ଚୁକ୍ତି ସହ ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷରିତ କରିବାକୁ ସେ ଚାହୁଛନ୍ତି । ଏହାଦ୍ବାରା ଶେଖ ହସିନାଙ୍କ ସରକାର ପତନରେ ମୁଖ୍ୟ ଭୂମିକା ନେଇଥିବା ଛାତ୍ର ସମାଜକୁ ପ୍ରଭାବିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ଅନ୍ତରୀଣ ସରକାର । ଯାହା ଫଳରେ ସାଧାରଣ ନିର୍ବାଚନ ସମୟରେ ସେ ଏକ ନିର୍ଣ୍ଣାୟକ ଭୂମିକା ନେଇପାରିବେ ବୋଲି ଆଶା ରଖିଛନ୍ତି ।