କନକ ବ୍ୟୁରୋ: ନେପାଳରେ ସୋସିଆଲ ମିଡିଆ ବ୍ୟାନ୍‌ ଓ ଦୁର୍ନୀତି ବିରୁଦ୍ଧରେ ଗର୍ଜିଥିଲେ ଜେନ୍‌-ଜି । ସୋସିଆଲ ମିଡିଆ ବ୍ୟାନ୍‌ ବିରୋଧୀ ଆନ୍ଦୋଳନ ଏଭଳି ଭୟଙ୍କର ରୂପ ନେଇପାରେ ତାହା ସାରା ବିଶ୍ୱ ଦେଖିଲା । କ୍ୟାବିନେଟ୍ ମନ୍ତ୍ରୀଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ ଆନ୍ଦୋଳନକାରୀ । ସ୍ଥିତି ଏମିତି ହେଲା ଯେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଇସ୍ତଫା ଦେବା ସହିତ ରାତାରାତି ଦେଶ ଛାଡ଼ିବାକୁ ପଡ଼ିଥଲା । ଦେଶର ଦାୟିତ୍ୱ ସେନା ହାତକୁ ଯାଇଥିଲା । ଚାରିଆଡ଼େ ଲାଗିଥିଲା କର୍ଫ୍ୟୁ । ଏହାପରେ ଜେନ୍‌-ଜି' ମାନେ ବାଛିଥିଲେ ନୂଆ ପ୍ରଧାନମନ୍ତ୍ରୀ । ପୂର୍ବତନ ବିଚାରପତି ସୁଶୀଳା କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବରେ ବାଛିଥିଲେ । କିନ୍ତୁ ଏ ପ୍ରଧାନମନ୍ତ୍ରୀ ବାଛିବା ପ୍ରକ୍ରିୟା ବି ଥିଲା ସମ୍ପୂର୍ଣ୍ଣ ଭିନ୍ନ । କାରଣ ପ୍ରଥମ ଥର ପାଇଁ କୌଣସି ଗାଣତାନ୍ତ୍ରିକ ରାଷ୍ଟ୍ରରେ ଗେମିଂ ଆପ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ବାଛିଥିଲେ ଲୋକେ । ଏହି ଗେମିଂ ଆପ୍‌ର ନାଁ ହେଉଛି ଡିସ୍‌କର୍ଡ...

Advertisment

ସୋସିଆଲ ମିଡିଆ ଆପ୍‌ ବ୍ୟାନ ବିରୋଧୀ ଆନ୍ଦୋଳନ ପରେ ଆମେରିକା ଆଧାରିତ ଡିସ୍‌କର୍ଡ ଗେମିଂ ଆପ୍‌ ମାଧ୍ୟମରେ ଭୋଟିଂ କରିଥିଲେ ନେପାଳର ଲୋକେ । ଦେଶର ନୂଆ ପ୍ରଧାନମନ୍ତ୍ରୀ ବାଛିବା ପାଇଁ ହୋଇଥିଲା ଏହି ଭୋଟିଂ । ଏଭଳି ଭାବରେ ଜଣେ ପ୍ରଧାନମନ୍ତ୍ରୀ ବାଛିବା ବିଶ୍ୱର ପ୍ରଥମ ଘଟଣା ଥିଲା । ଜେନ୍‌-ଜି'ମାନେ ଏହା ଡିଜିଟାଲ ଲୋକତନ୍ତ୍ରର ପ୍ରଥମ ପଦକ୍ଷେପ ବୋଲି ଅଭିହତ କରୁଛନ୍ତି । ହାମୀ ନେପାଳ ଯୁବ ସଂଗଠନରେ ୧ ଲକ୍ଷ ୬୦ ହଜାରରୁ ଅଧିକ ସଦସ୍ୟ ଯୋଡ଼ି ହୋଇଥିଲେ । ଏହି ସଂଗଠନ ପକ୍ଷରୁ ଡିସ୍‌କର୍ଡ ଆପ୍‌ରେ ୟୁଥ୍‌ ଫର୍‌ କର୍ପୋରେସନ ଚ୍ୟାନେଲ ଆରମ୍ଭ କରାଯାଇଥିଲା । ଏହି ଚ୍ୟାନେଲ ମାଧ୍ୟମରେ ଦେଶ ବିଦେଶରେ ରହୁଥିବା ନେପାଳୀମାନେ ନିଜର ମତାମତ ଉପସ୍ଥାପନ କରିଥିଲେ । ୟୁଜର୍ସ ସଂଖ୍ୟା ବଢ଼ିବାରୁ ୟୁଟ୍ୟୁବ୍‌ ମାଧ୍ୟମରେ ଲାଇଭ ଷ୍ଟ୍ରିମିଂ କରାଯାଇଥିଲା । ଯାହାଫଳରେ ଆହୁରି ଅଧିକ ୟୁଜର ଯୋଡ଼ି ହୋଇ ଦେଶର ପ୍ରଧାନମନ୍ତ୍ରୀ ବାଛିଥିଲେ । 

ପୂର୍ବ ସରକାର ସୋସିଆଲ ମିଡିଆ ଉପରେ ବ୍ୟାନ୍ ଲଗାଇଥିବାରୁ ବିକଳ୍ପ ଖୋଜୁଥିଲେ ଜେନ୍‌-ଜି' । ଡିସ୍‌କର୍ଡ ସୁରକ୍ଷିତ ବିକଳ୍ପ ଥିଲା, ଏହାକୁ ସହଜରେ ଗ୍ରହଣ କରିନେଇଥିଲେ ଯୁବପିଢ଼ି । ପୂର୍ବରୁ ଏହା କେବଳ ଗେମିଂ ଓ ଭଏସ୍‌ ଚାଟ୍‌ ପାଇଁ ବ୍ୟବହାର କରୁଥିଲେ ୟୁଜର୍ସ । ତେଣୁ ଏହା ସହଜରେ ଲୋକପ୍ରିୟ ହୋଇଯାଇଥିଲା । ଆନ୍ଦୋଳନ ସମୟରେ ବି ଏହି ଆପ୍ ନେପାଳରେ ବେଶ ସକ୍ରିୟ ହୋଇଉଠିଥିଲା । ଆନ୍ଦୋଳନକାରୀଙ୍କ ପାଇଁ ଏହା ରିୟଲ ଟାଇମ କମ୍ୟୁନିକେସନ ପାଲଟିଥିଲା । କାରଣ ଏଥିରେ ଭଏସ୍‌ ଚାଟ୍‌, ଟେକ୍ସଟ୍‌ ଚାଟ୍‌ ଓ ପୋଲ୍‌ ଭଳି ଫିଚର ରହିଛି, ଯେଉଁଥିରେ ରାଲି କେଉଁଠି ଆୟୋଜନ ହେବ, ତର୍କର ବିଷୟ କଣ ରହିବ ଏସବୁ ଉପରେ ନିଷ୍ପତ୍ତି ନେବାରେ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଥିଲା । ନେପାଳର ଆନ୍ଦୋଳନକାରୀଙ୍କ ପାଇଁ ଡିସ୍‌କର୍ଡ ଆପ୍‌ ବ୍ୟବହାର କରିବା ବେଶ ସହଜ ଥିଲା । 

ପ୍ରଧାନମନ୍ତ୍ରୀ ପଦ ପାଇଁ ୫ ଜଣଙ୍କ ନାମ ଚୟନ  ହୋଇଥିଲା । ସୁଶୀଲା କାର୍କିଙ୍କ ସହ ହର୍‌କା ସମ୍ପାଙ୍ଗ, ମହାବୀର ପୁନ୍‌, ସାଗର ଢକାଲ ଏବଂ ରାସ୍ତ୍ର ବିମୋଚନ ତମଲସିନା ସାମିଲ ଥିଲେ । କିନ୍ତୁ ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ଡିସ୍‌କର୍ଡ ଆପ୍‌ରେ ସୁଶୀଲା କାର୍କିଙ୍କୁ ସମର୍ଥନ ଘୋଷଣା ହୋଇଥିଲା ।