କନକ ବ୍ୟୁରୋ: ନେପାଳରେ ଜେନ-ଜି ମାନଙ୍କ ଦୁର୍ନୀତି ଏବଂ ପରିବାରବାଦ ବିରୋଧରେ ସ୍ୱର ଉତ୍ତୋଳନ ଏଭଳି ଭୟଙ୍କର ରୂପ ନେବ ତାହା କେହି କେବେ କଳ୍ପନା କରିନଥିବେ । ବିକ୍ଷୋଭକାରୀଙ୍କ ଭୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ ଇସ୍ତଫା ଦେବା ସହିତ ଦେଶ ଛାଡ଼ିବାକୁ ପଡ଼ିଛି । ଏହି ଆନ୍ଦୋଳନ ସୋସିଆଲ ମିଡିଆରେ #NepoKids ହ୍ୟାସଟ୍ୟାଗ୍ ସହିତ ଆରମ୍ଭ ହୋଇଥିଲା । ଅଭିଯୋଗ କରାଯାଇଥିଲା ଯେ ରାଜନେତାଙ୍କ ପିଲାମାନେ ଜନତାଙ୍କ ପଇସାରେ ମୌଜ କରୁଛନ୍ତି । ଏମାନଙ୍କୁ ବିନା ପରିଶ୍ରମରେ ସବୁକିଛି ମିଳିଯାଉଛି ।
'ମିସ୍ ନେପାଳ' ଟାଇଟଲ୍ ଜିତିଥିବା କିମ୍ବା 'ଚାମ୍ବର ଅଫ୍ କମର୍ସ' ନିର୍ବାଚନରେ ଜିତିଥିବା ସମସ୍ତ ବ୍ୟକ୍ତି ଜଣେଜଣେ ରାଜନେତାଙ୍କ ପିଲାମାନେ । ଜନତାଙ୍କ ଟଙ୍କାରେ ପାଳିପୋଷି ସେମାନଙ୍କୁ ବଡ଼ କରାଯାଉଛି ଏବଂ ପରେ ସେମାନେ ଜନତାଙ୍କ ଅଧିକାରକୁ ହିଁ ଛଡ଼ାଇ ନେଇଥିବା ଜେନ-ଜିଙ୍କ ଅଭିଯୋଗ କରିଛନ୍ତି । ନେପାଳରେ ଜେନ୍-ଜି'ଙ୍କ ନେପୋ କିଡ୍ ଲିଷ୍ଟରେ କେତେ ଜଣ ଜଣାଶୁଣା ବ୍ୟକ୍ତିତ୍ୱ ରହିଛନ୍ତି । ଯାହାଙ୍କୁ ଖୋଲୋଖୋଲି ଟାର୍ଗେଟ୍ କରାଯାଇଛି । ଏମାନଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ ଯୋଗୁଁ ଜେନ-ଜିଙ୍କ ରାଗ ଚରମ ସୀମାରେ ପହଞ୍ଚିଥିଲା ।
ସୌଗତ ଥାପା
ସୌଗତ ଥାପା ହେଉଛନ୍ତି ପୂର୍ବତନ ଆଇନ ମନ୍ତ୍ରୀ ବିନ୍ଦୁ କୁମାର ଥାପାଙ୍କ ପୁଅ, ଯିଏ ନିଜ ପିତାଙ୍କ ନାମରେ ଚାମ୍ବର ଅଫ୍ କମର୍ସ ନିର୍ବାଚନରେ ଜିତିଥିଲେ । ଜେନ-ଜି ଅଭିଯୋଗ କରିଛନ୍ତି ଯେ ତାଙ୍କୁ ତାଙ୍କ ପିତାଙ୍କ ପ୍ରଭାବର ଲାଭ ମିଳିଥିଲା । ତାଙ୍କ ଜୀବନଶୈଳୀ ମଧ୍ୟ ସାଧାରଣ ନଥିଲା; ସେ ବିଦେଶରେ ରହୁଥିଲେ, ଦାମୀ ଗାଡ଼ିରେ ବୁଲୁଥିଲେ । ଜୀବନଶୈଳୀରୁ ଲାଗୁଥିଲା ସତେ ଯେମିତି ସେ କୌଣସି ବଡ଼ ବ୍ୟବସାୟୀଙ୍କ ପୁଅ । ଜେନ୍ ଜି'ଙ୍କ ଅଭିଯୋଗ ମୁତାବକ ଚାମ୍ବର ଅଫ୍ କମର୍ସ ପାଇଁ ସୌଗତ ଥାପାଙ୍କ ପାଖରେ ଆବଶ୍ୟକ ଯୋଗ୍ୟତା ବି ନଥିଲା ।
ଶୃଙ୍ଖଳା ଖତିୱାଡା
ଶୃଙ୍ଖଳା ଖତିୱାଡା 'ମିସ୍ ନେପାଳ ୱାର୍ଲ୍ଡ' ଟାଇଟଲ୍ ଜିତିଛନ୍ତି, ଜେନ୍ ଜି'ଙ୍କ ଅଭିଯୋଗ ତାଙ୍କୁ ଏହି ଟାଇଟଲ୍ ତାଙ୍କ ପିତାଙ୍କ ପ୍ରଭାବ ଯୋଗୁଁ ମିଳିଛି । ସେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ବିରୋଧ ଖତିୱାଡାଙ୍କ ଝିଅ । ଶୃଙ୍ଖଳା ମଧ୍ୟ ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାନ୍ତି ଏବଂ ବିଦେଶରେ ଛୁଟି କାଟନ୍ତି । ଜେନ-ଜି ଆନ୍ଦୋଳନ ପରେ ତାଙ୍କ ଇନଷ୍ଟାଗ୍ରାମ ଫଲୋର୍ସଙ୍କ ସଂଖ୍ୟା ଏକ ଲକ୍ଷ ହ୍ରାସ ପାଇଛି ।
ବୀଣା ମଗର
ବୀଣା ମଗର ମଧ୍ୟ 'ନେପୋ କିଡ୍ସ' ତାଲିକାରେ ଅନ୍ତର୍ଭୁକ୍ତ । #NepoKid ହ୍ୟାସଟ୍ୟାଗ୍ ସହିତ ତାଙ୍କୁ ବି କମ୍ ଭତ୍ସର୍ନା ସହିବାକୁ ପଡ଼ିନି । ବୀଣା ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦାହଲ 'ପ୍ରଚଣ୍ଡ'ଙ୍କ ବୋହୂ ଏବଂ ନେପାଳର ଜଳ ମନ୍ତ୍ରୀ ରହିସାରିଛନ୍ତି । ତାଙ୍କ ଉପରେ ସରକାରୀ ପାଣ୍ଠିରୁ ବିଦେଶ ଯାତ୍ରା କରିବା ଏବଂ ଗ୍ରାମୀଣ ଜଳ ଯୋଜନାର ବଜେଟ୍ କାଟି ନିଜ ପକେଟ୍ ଭରିବାର ଅଭିଯୋଗ ରହିଛି ।
ଶିବାନା ଶ୍ରେଷ୍ଠା
ଶିବାନା ଶ୍ରେଷ୍ଠା ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କ ବୋହୂ । ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ସୋସିଆଲ ମିଡିଆରେ ବେଶ୍ ଭାଇରାଲ । ଶିବାନା କୋଟି କୋଟି ଟଙ୍କାର ସମ୍ପତ୍ତି ମାଲିକାଣୀ । ସେ ମଧ୍ୟ ଜନତାଙ୍କ ଟଙ୍କାରେ ବିଳାସପୂର୍ଣ୍ଣ ଜୀବନ ବିତାଇଥିବା ଅଭିଯୋଗ କରିଛନ୍ତି ଜେନ୍-ଜି ।
ଜେନ୍-ଜି 'ଙ୍କ ଏହି 'ନେପୋ କିଡ୍ସ'ଙ୍କ ତାଲିକା ବହୁତ ଲମ୍ବା । ନେପାଳରେ ଏହି ହ୍ୟାସଟ୍ୟାଗ୍ ରାଜନେତା ଏବଂ ସେମାନଙ୍କ ପିଲାମାନଙ୍କର ଭବ୍ୟ ଜୀବନଶୈଳୀକୁ ପର୍ଦ୍ଦାଫାଶ କରିଛି । ରାଜନେତାଙ୍କ ପିଲାମାନେ କୋଟି କୋଟି ଟଙ୍କାର ଘଣ୍ଟା, ଗୁଚି ବ୍ୟାଗ୍ ଏବଂ ଡିଜାଇନର୍ ପୋଷାକରେ ମଜା କରୁଛନ୍ତି, ଯେତେବେଳେ କି ସାଧାରଣ ଜନତା ଦୈନନ୍ଦିନ ଅସୁବିଧା ସହ ସଂଘର୍ଷ କରୁଥିବା ଅଭିଯୋଗ ରହିଛି ।