କନକ ବ୍ୟୁରୋ : ନେପାଳରେ ମୁଣ୍ଡ ଟେକିଥିବା ଜେନ-ଜି ଆନ୍ଦୋଳନ ଏବେ ବାଟ ବଦଳାଇଛି । ପାଖାପାଖି ୪ ଘଣ୍ଟା ଧରି ଚାଲିଥିବା ଭର୍ଚୁଆଲ ବୈଠକରେ ଆନ୍ଦୋଳନକାରୀମାନେ ପୂର୍ବତନ ମୁଖ୍ୟ ବିଚାରପତି ସୁଶିଲା କାର୍କିଙ୍କୁ ଅନ୍ତରୀଣ ନେତା ଭାବେ ଚୟନ କରିଛନ୍ତି । ଜେନ-ଜି ସଦସ୍ୟଙ୍କ କହିବା ମୁତାବକ କୌଣସି ବି ରାଜନୈତିକ ଦଳ ସହ ଜଡିତ ଯୁବକଙ୍କୁ ନେତୃତ୍ୱ ଦିଆଯିବ ନାହିଁ । କାର୍କିଙ୍କୁ ତାଙ୍କର ନରପେକ୍ଷ ଛବି ଓ ରାଜନୈତିକ ଦଳଙ୍କ ଠାରୁ ଦୂରେଇ ରହିବା କାରଣରୁ ଚୟନ କରାଯାଇଛି । ଜେନ-ଜି ଗୋଷ୍ଠୀର କହିବା କଥା ଏଭଳି ପରିସ୍ଥିତିରେ ପୂର୍ବତନ ବିଚାରପତି କାର୍କିଙ୍କ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । 

Advertisment

ଏହି ବୈଠକରେ କାଠମାଣ୍ଡୁର ମେୟର ବାଲେନ୍ଦର ଶାହ ଓ ଯୁବନେତା ସାଗର ଢକାଲଙ୍କ ନାମ ବି ଉଠିଥିଲା । ହେଲେ କାର୍କିଙ୍କ ନାମରେ ସହମତି ପ୍ରକାଶ ପାଇଛି । ଏହା ପୂର୍ବରୁ ସେନା ମୁଖ୍ୟ ଜେନରାଲ ଅଶୋକ ରାଜ ସିଗଦଲ ଜେନ-ଜିକୁ କିଛି ରାଜନୈତିକ ଦଳର ନେତାମାନଙ୍କ ସହ କଥା ହେବାକୁ ପରାମର୍ଶ ଦେଇଥିଲେ । ହେଲେ ଜେନ-ଜି ସମୁହ ଏହାକୁ ଖାରଜ କରିଦେଇଥିଲେ । 

ଏହା ଭିତରେ କାଠମାଣ୍ଡୁରେ କର୍ଫ୍ୟୁ ଜାରି ରହିଛି । ସେନା ତରଫରୁ ପୂରା କାଠମାଣ୍ଡୁରେ ପହରା ଦିଆଯାଉଛି । ସଂସଦ ଭବନ, ରାଷ୍ଟ୍ରପତି ଭବନ ଓ ସୁପ୍ରିମକୋର୍ଟ ଉପରେ ଆକ୍ରମଣ ପରେ ରାସ୍ତାରେ କେବଳ ସୁରକ୍ଷାବଳ ଦେଖାଯାଉଛନ୍ତି । ଏହି ମାମଲାରେ ୨୭ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ସେନାର କହିବା କଥା କିଛି ଅସାମାଜିକ ଲୋକ ଏହି ମାହୋଲର ଫାଇଦା ଉଠାଇ ସାର୍ବଜନିକ ସମ୍ପତ୍ତି ଲୁଟ କରୁଛନ୍ତି ।