ସ୍ୱାମୀ ବିହାର ସରକାରରେ ମନ୍ତ୍ରୀ, ଶ୍ୱଶୁର କେନ୍ଦ୍ରମନ୍ତ୍ରୀ, ଏବେ ବୋହୂ ହେଲେ ବିଧାୟିକା
କନକ ବ୍ୟୁରୋ: ଶ୍ୱଶୁର ଜଣେ କେନ୍ଦ୍ର ମନ୍ତ୍ରୀ, ତାଙ୍କ ସ୍ୱାମୀ ବିହାର ସରକାରରେ ମନ୍ତ୍ରୀ ଏବଂ ଏବେ ବୋହୂ ହେଲେ ଇମାମଗଞ୍ଜରୁ ବିଧାୟିକା ହେଲେ । ସେ ହେଉଛନ୍ତି ଦୀପା ମାଂଝୀ । ଗୟା ଜିଲ୍ଲାର ଇମାମଗଞ୍ଜ ବିଧାନସଭା ଆସନ ସମେତ ବିହାରର ୪ଟି ଆସନପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଏନଡିଏ ପ୍ରାର୍ଥୀ ଦୀପା ମାଂଝୀ ଏହି ଆସନରେ ବିଜୟୀ ହୋଇଛନ୍ତି । ଦୀପା ମାଂଝୀ ମହାମେଣ୍ଟ ପ୍ରାର୍ଥୀ ରୋଶନ ମାଝୀ ଓ ଜନ ସୁରଜଙ୍କ ଜିତେନ୍ଦ୍ର ପାଶୱାନଙ୍କୁ ପରାସ୍ତ କରିଛନ୍ତି। ଦୀପା ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଥିଲେ ଏବଂ ପ୍ରଥମ ଥର ପାଇଁ ଜିତିଲେ । ଇମାମଗଞ୍ଜରୁ ନିର୍ବାଚନ ଜିତିବା ପରେ ଇମାମଗଞ୍ଜର ଇତିହାସ ମଧ୍ୟ ବଦଳିଯାଇଛି ଏବଂ ଇମାମଗଞ୍ଜକୁ ପ୍ରଥମ ଥର ପାଇଁ ଜଣେ ମହିଳା ବିଧାୟକ ମିଳିଛି ।
ତାଙ୍କ ସ୍ୱାମୀ ସନ୍ତୋଷ କୁମାର ସୁମନ ବିହାର ସରକାରରେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି ଏବଂ ଲଗାତାର ଦୁଇ ଥର ଏମଏଲସି ଅଛନ୍ତି । ସନ୍ତୋଷ ୨୦୧୫ରେ କୁଟୁମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ୨୦୧୮ରେ ସେ ପ୍ରଥମ ଥର ପାଇଁ ବିଧାନ ପରିଷଦର ସଦସ୍ୟ ହୋଇଥିଲେ ଏବଂ ସରକାରରେ ମନ୍ତ୍ରୀ ପଦ ପାଇଥିଲେ । ସେବେଠାରୁ ସେ ଲଗାତାର ଦୁଇ ଥର ଏମଏଲସି ଭାବେ କାର୍ୟ୍ୟ କରିଛନ୍ତି। ରାଜନୀତି କରିବା ବ୍ୟତୀତ ସନ୍ତୋଷ ସୁମନ ଗୟା କଲେଜରେ ମଧ୍ୟ ପ୍ରଫେସର ଅଛନ୍ତି ।
ଦୀପା ମାଝୀ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି । ଏହା ପୂର୍ବରୁ ଦୀପା ୨୦୧୦ରେ ଖିଜରସରାଇରୁ ଜିଲ୍ଲା ପରିଷଦର ସଭ୍ୟ ଥିଲେ। ଦୀପା ସ୍ନାତକ ହୋଇ ଫତେପୁର ହାଇସ୍କୁଲରେ ପାଠ ପଢ଼ିଛନ୍ତି। ଦୀପାଙ୍କ ଶ୍ୱଶୁର ଜିତନ ରାମ ମାଝୀ ଜଣେ କେନ୍ଦ୍ର ମନ୍ତ୍ରୀ ଏବଂ ତାଙ୍କ ପୂର୍ବରୁ ଜିତନ ରାମ ମାଝୀ ଇମାମଗଞ୍ଜରୁ ବିଧାୟକ ଥିଲେ, କିନ୍ତୁ ଗୟାରୁ ସାଂସଦ ହେବା ପରେ ଏହି ଆସନ ଖାଲି ପଡିଥିଲା ଏବଂ ଉପନିର୍ବାଚନ ହୋଇଥିଲା । ଇମାମଗଞ୍ଜ ଉପନିର୍ବାଚନରେ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ଦୀପା ମାଂଝୀଙ୍କୁ ୫୩,୪୩୫, ଆରଜେଡିର ରୋଶନ ମାଝୀଙ୍କୁ ୪୭,୪୯୦ ଏବଂ ଜନସୁରାଜର ଜିତେନ୍ଦ୍ର ପାଶୱାନଙ୍କୁ ୩୭,୧୦୩ ଖଣ୍ଡ ଭୋଟ୍ ମିଳିଛି